ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବର ଆଦମପୁର ବାୟୁସେନା ଘାଟି ପରିଦର୍ଶନ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସିଆଲକୋଟର ପାସରୁର କ୍ୟାଣ୍ଟୋନମେଣ୍ଟକୁ ଯାଇ ସୈନିକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ଭାରତର ‘ଅପରେସନ ସିନ୍ଦୂର’ ଓ ପାକିସ୍ତାନର ‘ଅପରେସନ ବୁନ୍ୟାନ ଅଲ-ମାରସୁସ’ ପରେ ଆରମ୍ଭ ହୋଇଥିବା ଉତ୍ତେଜନା ମଧ୍ୟରେ ହୋଇଛି।
ସୂଚନା ମୁତାବକ, ଗତ ମଇ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆଦମପୁର ବାୟୁସେନା ଘାଟିରେ ପହଞ୍ଚି ସୈନିକମାନଙ୍କୁ ସମ୍ବୋଧିତ କରିଥିଲେ। ‘ଅପରେସନ ସିନ୍ଦୂର’ରେ ଏହି ଘାଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯେଉଁଥିରେ ଭାରତ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଘାଟି ଉପରେ ଆକ୍ରମଣ କରି ପ୍ରାୟ ୮୦ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହା ଏପ୍ରିଲ ୨୨ ତାରିଖରେ ପହଲଗାମରେ ୨୬ ନାଗରିକଙ୍କ ମୃତ୍ୟୁ ଘଟାଇଥିବା ଆତଙ୍କବାଦୀ ଆକ୍ରମଣର ଏହା କଡା ଜବାବ ଥିଲା। ତେବେ ପିଏମ ମୋଦୀ ପୋଷ୍ଟ କରିଥିବା ଏକ ଫଟୋରେ S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ମିଗ-୨୯ ଯୁଦ୍ଧ ବିମାନ ଅକ୍ଷତ ଥିବା ଦେଖାଯାଇଛି। ଯାହା ପାକିସ୍ତାନର S-400 ନଷ୍ଟ ହୋଇଥିବା ଦାବିକୁ ଖଣ୍ଡନ କରିଛି। ମୋଦୀ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଭାରତର କଠୋର ନୀତି ଆଗକୁ ମଧ୍ୟ ଜାରି ରହିବ।
ଏହାର ଠିକ ଗୋଟିଏ ଦିନ ପରେ ଅର୍ଥାତ ମଇ ୧୪ ତାରିଖରେ ଶେହବାଜ ଶରିଫ ପାସରୁର କ୍ୟାଣ୍ଟୋନମେଣ୍ଟରେ ‘ଅପରେସନ ବୁନ୍ୟାନ ଅଲ-ମାରସୁସ’ରେ ଅଂଶଗ୍ରହଣ କରିଥିବା ସୈନିକମାନଙ୍କୁ ଭେଟିଥିଲେ। ଏହି ଅପରେସନ ଭାରତର ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆରମ୍ଭ ହୋଇଥିଲା। ସେନାପ୍ରମୁଖ ଜେନେରାଲ ଅସିମ ମୁନିରଙ୍କ ସହ ଶରିଫ ପାକିସ୍ତାନକୁ “ଶାନ୍ତିପ୍ରିୟ” ବୋଲି ଦାବି କରି ପହଲଗାମ ଆକ୍ରମଣରେ ସମ୍ପୃକ୍ତି ଅସ୍ୱୀକାର କରିଛନ୍ତି ଏବଂ ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି।
ପାହାଲଗାମ ଆକ୍ରମଣ ପରେ ଭାରତ ଗତ ୭ ତାରିଖରେ ‘ଅପରେସନ ସିନ୍ଦୂର’ ଜରିଆରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନର ପିଓକେରେ ଥିବା ଗଡ ଧ୍ୱଂସ କରିଥିଲା। ଜବାବରେ ପାକିସ୍ତାନ ଗତ ୯-୧୦ ତାରିଖରେ ଆଦମପୁର ଉପରେ ଡ୍ରୋନ ଓ ମିସାଇଲ ଆକ୍ରମଣ କରିଥିଲା। କିନ୍ତୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ବିଫଳ କରିଦେଇଥିଲା।
ଆମେରିକାର ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ୧୦ ତାରିଖରେ ଅସ୍ଥାୟୀ ଯୁଦ୍ଧବିରତି ହୋଇଛି। ତେବେ ସୀମାରେ ଡ୍ରୋନ ଗତିବିଧି ଯୋଗୁଁ ଉତ୍ତେଜନା ବଜାୟ ରହିଛି।