ନୂଆଦିଲ୍ଲୀ: ରବିବାର ମଧ୍ୟରାତ୍ରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ନିଜ ଦେଶକୁ ସମ୍ବୋଧିତ କରିବାପରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଭାରତରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ଅସ୍ୱୀକାର କରିଛି। ଲବୁଠୁ ବଡ କଥା ହେଉଛି ପାକିସ୍ତାନ ସେନା ନିଜ ଆଢୁ ଅସ୍ତ୍ରବିରତି ଉଲଘଂନ କରିଥିବା ବେଳେ ଏହାର ଅଠା ଭାରତ ମୁଣ୍ଡରେ ବୋଳିବାରେ ଲାଗିଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ “ଦେଶ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ। ତଥାପି, ଭାରତ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନର ଘଟଣା ଜାରି ରହିଛି। ଯାହାକୁ ପାକିସ୍ତାନ ସେନା ଦାୟିତ୍ୱ ଏବଂ ସଂଯମର ସହିତ ପରିଚାଳନା କରିଛି। ଆମେ ବିଶ୍ୱାସ କରୁ ଯେ ଅସ୍ତ୍ରବିରତିକୁ ସୁଗମ ଭାବରେ କାର୍ଯ୍ୟକାରୀ କରିବାରେ ସମସ୍ୟା ଏବଂ ଯେକୌଣସି ପ୍ରକାରର ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହେବା ଆବଶ୍ୟକ।”
ଅସ୍ତ୍ରବିରତି ଉଲଘଂନକୁ ମାତ୍ର ଚାରି ଘଣ୍ଟା ପୁରି ନଥିବା ବେଳେ ପାକିସ୍ତାନ ନିଜ ଅସଲି ରଙ୍ଗ ଦେଖାଇବା ଆରମ୍ଭ କରିଛି। ପାକିସ୍ତାନ ସୀମା ସେପଟୁ ଭାରତ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ଆକ୍ରମଣ ଜାରି ରଖିଛି। କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳି ପାକିସ୍ତାନର ଏହି ଉଦ୍ୟମକୁ ପଣ୍ଡ କରିଦେଇଛି। ତେବେ ଏକ ଡ୍ରୋନକୁ ମାରି ଖସାଇବା ସମୟରେ ଏହାର ଭଙ୍ଗାବଶେଷ ଲାଗି ରାଜସ୍ଥାନର ଜଣେ ଜବାନ ସହୀଦ ହୋଇଥିବା ଜଣାପଡିଛି।