ନୂଆଦିଲ୍ଲୀ,୨୭/୦୪:କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଆକ୍ରମଣ ଜାରି ରହିଛି। ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଉ ୩ଟି ଘର ଧ୍ୱଂସ କରିଛି ସେନା। ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ଗତ ୬ ଦିନରେ ୧୦ ଜଣ ଆତଙ୍କବାଦୀଙ୍କ ଘର ଭଙ୍ଗା ଯାଇଛି।
ତେବେ ଗତ ମଙ୍ଗଳବାର ଆତଙ୍କବାଦୀମାନେ ପହଲଗାମ୍ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସରନରେ ଆକ୍ରମଣ କରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ ସମଗ୍ର ଉପତ୍ୟକାରେ ଥିବା ଜଣାଶୁଣା ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଆତଙ୍କବାଦ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ବର୍ତ୍ତମାନ ଜାମ୍ମୁ-କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ଘର ବୋମାରେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉଛି। ଗତ ୬ ଦିନରେ ସୁରକ୍ଷା ବାହିନୀ ଜମ୍ମୁ ଏବଂ କାଶ୍ମୀରରେ ଅନେକ ଆତଙ୍କବାଦୀଙ୍କ ଘର ଭାଙ୍ଗି ଉଡ଼ାଇ ଦେଇଛି। ଏବେ ପୁଣି ପାକିସ୍ତାନରେ କାର୍ଯ୍ୟରତ କୁପୱାଡ଼ାରେ ଥିବା ଲସ୍କର-ଏ-ତୈବା ଆତଙ୍କବାଦୀ ଫାରୁକ ଅହମ୍ମଦଙ୍କ ଘର ଉଡ଼ାଇ ଦିଆଯାଇଛି। ପହଲଗାମ ଆକ୍ରମଣ ପରେ ଏହା ଷଷ୍ଠ କାର୍ଯ୍ୟାନୁଷ୍ଠାନ। ଫାରୁକଙ୍କ ଘର ସହିତ,ଅନ୍ୟ ଆତଙ୍କବାଦୀଙ୍କ ସହ ଜଡିତ ସମ୍ପତ୍ତିକୁ ମଧ୍ୟ ଟାର୍ଗେଟ କରାଯାଇଛି।
ଏହା ପୂର୍ବରୁ ଅନନ୍ତନାଗ ଜିଲ୍ଲାର ଥୋକରପୁରାରୁ ଆଦିଲ ଅହମ୍ମଦ ଥୋକର ଘର, ପୁଲୱାମାର ମୁରାନରୁ ଅହସାନ ଉଲ ହକ ଶେଖ, ଟ୍ରାଲରୁ ଆସିଫ ଅହମ୍ମଦ ଶେଖ, ଶୋପିଆଁର ଚୋଟିପୋରାରୁ ସହିଦ ଅହମ୍ମଦ କୁଟ୍ଟେ ଏବଂ କୁଲଗାମର ମାଥାଲହମାରୁ ଜାହିଦ ଅହମ୍ମଦ ଗାନିର ଉଡ଼ାଇ ଦିଆଯାଇଛି। ସେହିପରି ଶନିବାର ଶ୍ରୀନଗରରେ ୨ ଡଜନରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରାଯାଇଛି। ଅନନ୍ତନାଗ ଜିଲାରେ ୨୪ ଘଣ୍ଟିଆ ତଲାସି ଅଭିଯାନ ଜାରି ରହିଥିବାବେଳେ ସୁରକ୍ଷା ବଳ ସଜାଗ ରହିଛନ୍ତି।