ଭୁବନେଶ୍ୱର,୦୪/୦୫: ୨୦୨୫ର ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଗତ ୨୮ ତାରିଖରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଭେଷଜ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଦେଶର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ମହାପାତ୍ର ସୋଆର ପୂର୍ବତନ କୁଳପତି ଥିଲେ ।
ବର୍ତ୍ତମାନ ସେ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦବିରେ ଅଧିଷ୍ଠିତ ଅଛନ୍ତି । ନୂଆଦିଲ୍ଲୀ ସ୍ଥିତ ଏମ୍ସ ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଫେସର ମହାପାତ୍ର ଭୁବନେଶ୍ୱର ଏମ୍ସରେ ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଶ୍ୱର ଶ୍ରେଷ୍ଠ ୫ ଜଣ ନ୍ୟୁରୋସର୍ଜନଙ୍କ ମଧ୍ୟରେ ତାଙ୍କୁ ମାନ୍ୟତା ଦିଆଯାଇଛି । ନୂଆଦିଲ୍ଲୀରୁ ଫେରିବା ପରେ ପ୍ରଫେସର ମହାପାତ୍ର ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।