ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଖରାବର୍ଷାରୁ ରକ୍ଷା କରୁଛି ସ୍ଥାୟୀ ସେଡ୍; ଖଞ୍ଜାଯିବ ସୋଲାର ପ୍ୟାନେଲ୍‌, ରାତିରେ ଝଲସିବ ଲାଇଟ୍‌

Published By : prameya | May 4, 2025 9:55 AM

ଭୁବନେଶ୍ବର,୦୪/୦୫:ଖରା ହେଉ କି ବର୍ଷା । ଏଣିକି ରାଜଧାନୀର ଟ୍ରାଫିକ୍‌ ପୋଷ୍ଟରେ ଅଟକିବା ବେଳେ ଆଉ ହଇରାଣ ହେବାକୁ ପଡି଼ବନି । ପ୍ରଚଣ୍ଡ ଖରା ମାଡ଼ ସହିବାବୁ ପଡି଼ବନି କି ବର୍ଷାରେ ଭିଜିବନି । କାହିଁକି ନା, କିଛି ବଛା ବଛା ଟ୍ରାଫିକ୍‌ ପୋଷ୍ଟରେ ନିର୍ମାଣ ଚାଲିଛି ସ୍ଥାୟୀ ସେଡ୍‌ । ଏଜି ଛକରେ ପରୀକ୍ଷାମୂଳକ ଭାବେ ଲୁହା ଖୁଣ୍ଟ ଲଗାଇ ସେଡ୍‌ ନିର୍ମାଣ ସରିଛି । ଆଗକୁ ଆହୁରି ୧୨ଟି ଟ୍ରାଫିକ୍‌ ପୋଷ୍ଟରେ ସ୍ଥାୟୀ ସେଡ୍‌ ନିର୍ମାଣ ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି ।  ମୁଣ୍ଡ ଫଟା ଖରାରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସେଡ୍‌ ଲଗାଯାଇଛି । କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାରେ ନିର୍ମିତ ଏହି ସେଡ୍‌ର ଉଚ୍ଚତା ୨୪ ଫୁଟ୍‌ ଥିବା ବେଳେ ଲମ୍ବା ୫୨ ଫୁଟ୍‌ ରହିଛି । ୧୦ଟି ଲୁହା ଢାଞ୍ଚା ଉପରେ ଫାବ୍ରିକ କଭର ଦିଆହୋଇଛି । ଏକାବେଳକେ ୪୦-୫୦ ଦୁଇଚକିଆ ଯାନ ଅଟକିବା ଭଳି ବ୍ୟବସ୍ଥା ହୋଇଛି । 

ଏହି ସେଡ୍‌ ଉଦୁଉଦିଆ ଖରା ବେଳେ ବାଇକ୍‌ ଅରୋହୀମାନଙ୍କୁ ରକ୍ଷା ଦେଉଛି ।  ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନିର୍ମିତ ହୋଇଥିବା ଅସ୍ଥୀୟ ସେଡ୍‌କୁ କାଳବୈଶାଖୀ କାଳ ସାଜୁଥିଲା । ବାଉଁଶ ଖୁଣ୍ଟ ଓ ପ୍ଲାଷ୍ଟିକ୍‌ ଜରି ଉଡ଼ି ଯାଇ ଛିନ୍ନଛତ୍ର ହୋଇଯାଉଛି । ଲୋକଙ୍କ ସୁରକ୍ଷା ଲାଗି ଅସ୍ଥାୟୀ ସେଡ୍‌ ହଟାଉଛି ବିଏମସି । ଆଗକୁ ରୁପାଲି ଛକରେ ଏଭଳି ସ୍ଥାୟୀ ସେଡ୍‌ ନିର୍ମାଣ କରାଯିବ । ଓରେଡା ପକ୍ଷରୁ ଏହି ସେଡ୍‌ରେ ସୋଲାର ପ୍ୟାନେଲ ଖଞ୍ଜାଯିବ । ସୌରଶକ୍ତିରୁ ପାଖାପାଖି ୭୦୦ ୟୁନିଟ ବିଦ୍ୟୁତ ଉତ୍ପାଦନ ହେବ । ରାତିରେ ରଙ୍ଗିନ ଲାଇଟ୍‌ ବି ଝଲସିବ ।  ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ବର୍ଷା ଦିନେ ବି ସେଡ୍‌ କାମ ଦେବ । କାଳବୈଶାଖୀ ଓ ବାତ୍ୟା ପ୍ରତିରୋଧ କରିବା କ୍ଷମତା ରହିଛି । ଘଣ୍ଟା ପ୍ରତି ୧୮୦ ବେଗରେ ପବନ ବୋହିଲେ ବି ସେଡ୍‌ର କୌଣସି କ୍ଷତି କରିପାରିବନି । ଡବଲ ଡେକର ବସର ଉଚ୍ଚତାକୁ ମଧ୍ୟ ଦୃଷ୍ଟିରେ ରଖାଯାଉଛି । 

ଏଜି ଛକର ସ୍ଥାୟୀ ସେଡ୍‌ ନିର୍ମାଣରେ ପାଖାପାଖି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଓରେଡ଼ା ପକ୍ଷରୁ ଏହି ସେଡ୍‌ରେ ସୋଲାର ଖଞ୍ଜାଯିବ । ଏଥିରେ ୫-୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯେଉଁ ଟ୍ରାଫିକ୍‌ ପୋଷ୍ଟରେ ଅସ୍ଥାୟୀ ହୋଇଛି, ସେଠାରେ ସ୍ଥାୟୀ ସେଡ୍‌ ନିର୍ମାଣ କରାଯିବ । ପ୍ରାଥମିକ ପ୍ରର୍ଯ୍ୟାୟରେ ରୁପାଲି ଛକ, ନାଲକୋ ଛକ, କଳିଙ୍ଗ ଷ୍ଟାଡିୟମ, କଳିଙ୍ଗ ଷ୍ଟୁଡିଓ ଭଳି ୧୨ଟି ଛକରେ ସ୍ଥାୟୀ ସେଡ୍‌ ନିର୍ମାଣ ହେବ ।  କିନ୍ତୁ ଏହି ବ୍ୟବସ୍ଥା ଗାଡି଼ ଚାଳକଙ୍କ ଦ୍ୱାରା ଆଦୃତ ହେଉଛି କି ନାହିଁ ତାହା ନିରୀକ୍ଷଣ କରାଯାଉଛି । ଯେହେତୁ ସହରର ବିଭିନ୍ନ ସ୍ଥାନରେ ଥିବା ଫୁଟ୍‌ ଓଭରବ୍ରିଜ୍‌ ଅଧିକାଂଶ ସମୟ ଫାଙ୍କା ପଡୁଛି । ବିଶେଷ କାମରେ ଲାଗୁନାହିଁ । ସେଦିଗକୁ ଧ୍ୟାନ ଦିଆଯାଉଛି । ଏନେଇ ଟ୍ରାଫିକ ପୁଲିସ ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା ଚାଲିଛି । ଏଜି ଛକ ସେଡ୍‌ର ସଫଳ ରୂପାୟନ ପରେ ଅନ୍ୟ ପ୍ରକଳ୍ପ ଆଗେଇବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.