ଭୁବନେଶ୍ବର,୦୪/୦୫:ମହାପ୍ରଭୁଙ୍କ ଦାରୁ ମହାବିଭ୍ରାଟକୁ ନେଇ ହୁଲସ୍ତୂଲ ହେବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିନ ତମାମ ତୁହାକୁ ତୁହା ବୈଠକ ଡକାଇ ବିଭିନ୍ନ ବର୍ଗ ସହ ଆଲୋଚନା ଚଳାଇଛନ୍ତି । ଦାରୁ ଦସହ ସଂପୃକ୍ତ ସେବାୟତମାନଙ୍କୁ ଡକାଇ ଆଲୋଚନା ଚଳାଇଛନ୍ତି । ଆଜି ୩ଟି ପର୍ଯ୍ୟାୟରେ ଘନ ଘନ ବୈଠକ ବସିଥିଲା । ପ୍ରଥମ ବୈଠକରେ ଛତିଶା ନିଯୋଗ ନାୟକ, ଦେଉଳ କରଣ, ତଢ଼ଉ କରଣ ଉପସ୍ଥିତ ରହି ନିଜର ମତ ରଖିଥିଲେ । ଦ୍ୱିତୀୟ ବୈଠକରେ ତିନି ଦିଅଙ୍କ ବାଡ଼ଗ୍ରାହୀମାନଙ୍କୁ ଡାକି ଆଲୋଚନା କରିଥିଲେ । ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର, ଶ୍ରୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଓ ଶ୍ରୀଜଗନ୍ନାଥ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ପୁଅ ଯୋଗଦେଇ ନିଜର ମତ ରଖିଥିଲେ । ଶେଷରେ ଚତୁର୍ଦ୍ଧାମୂର୍ତ୍ତି ଗଢ଼ିବାରେ ପ୍ରମୁଖ ଭୂମିକା ତୁଲାଉଥିବା ୩ ବିଶ୍ୱକର୍ମାଙ୍କୁ ମଧ୍ୟ ଡାକି ଆଲୋଚନା କରିଥିଲେ ।
ବାସ୍ତବରେ ଗତ ନବକଳେବରରେ କେତେ ପରିମାଣ ଦାରୁ ବଳକା ଥିଲା, ତାହା କାହା ତତତ୍ତ୍ୱାବଧାନରେଥିଲା, ସେଥିରୁ କିଛି ବାହାରକୁ ଯାଇଛି କି ନାହିଁ ସେନେଇ ପଚରା ଉଚରା କରିଥିଲେ । ସେପଟେ ଶ୍ରୀମନ୍ଦିର ଛତିଶା ନିଯୋଗର ସମସ୍ତ ସଭାପତି ଓ ସମ୍ପାଦକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇ ଏହି ପ୍ରସଙ୍ଗରେ ମତାମତ ଲୋଡ଼ା ଯାଇଛି । ରବିବାର ଅପରାହ୍ନ ୫ଟା ସୁଦ୍ଧା ସେମାନେ ଚାହିଁଲେ ସେମାନଙ୍କ ମତାମତ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ନିକଟରେ ରଖିପାରିବେ ବୋଲି ଚିଠିରେ କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ଶନିବାର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ’ଣ ନିଷ୍ପତ୍ତି ନିଆଗଲା ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ ସେନେଇ ମୁଖ୍ୟ ପ୍ରଶାସକ କୌଣସି ମତାମତ ଗଣମାଧ୍ୟମକୁ ଦେଇନାହାନ୍ତି । ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ଏବଂ ବିବାଦୀୟ ମତ ରଖିଥିବା ରାମକୃଷ୍ଣ ଦାସମହାପାତ୍ର ଓ ଅନ୍ୟ ଦଇତା ସେବକଙ୍କୁ ରବିବାର ପୂର୍ବାହ୍ନରେ ପଚରାଉଚରା କରିବାକୁ ସମୟ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଆଲୋଚନା ହେବ ।
ଶ୍ରୀମନ୍ଦିର ପ୍ରତିଷ୍ଠିତ ଦାରୁ ବିଗ୍ରହଙ୍କ ବଳକା ଅଂଶକୁ ପଶ୍ଚିମବଙ୍ଗର ଦୀଘାଠାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ସ୍ଥାପନ ହୋଇଥିବା କାଠ ମୂର୍ତ୍ତି ପାଇଁ ବ୍ୟବହାର କରାଯାଇଛି ବୋଲି ଏକ ବଙ୍ଗଳା ନ୍ୟୁଜ୍ ଚ୍ୟାନେଲକୁ ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା । ପରେ ବିବାଦ ଉପୁଜିବାରୁ ପୁରୀରେ ନିଜର ପ୍ରତିକ୍ରିୟା ରଖି ଏହାକୁ ଅସ୍ୱୀକାର କରିବା ବିବାଦକୁ ବଢ଼ାଇ ଦେଇଛି । ଯଦି ସତରେ ଶ୍ରୀମନ୍ଦିର ଭିତରୁ ବଳକା ଦାରୁ ଅଂଶ ଯାଇଥାଏ ତେବେ ମହାଅନିଷ୍ଟ ହୋଇପାରେ । ଏନେଇ ମତ ରଖିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର । ଏହି ଘଟଣା ପରେ ଏବେ ରାମକୃଷ୍ଣ ଦାସମହାପାତ୍ରଙ୍କ କାର୍ଯ୍ୟ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଥାଉକି, ଦୀଘାଠାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ପୁରୀ ଶ୍ରୀମନ୍ଦିରର ଅବିକଳ ନକଲ କରାଯିବାକୁ ଚେଷ୍ଟା ହୋଇଛି । ସେହିପରି ଏହି ସ୍ଥାନକୁ ଜଗନ୍ନାଥ ଧାମ ନାମ ଦିଆଯାଇଛି । ଏଠାରେ ପୁରୀ ଶ୍ରୀମନ୍ଦିରରେ ପୂଜିତ ଦାରୁ ବିଗ୍ରହଙ୍କ ଉଚ୍ଚତା ଓ ଅନ୍ୟ ମାପର ସମକକ୍ଷ ପଥର ମୂର୍ତ୍ତି କରାଯାଇଛି । ଏହି ମୂର୍ତ୍ତି ଆଗରେ ଦାରୁମୂର୍ତ୍ତି ପ୍ରତିଷ୍ଠା କରାଯିବା ସହ ବ୍ରହ୍ମ ସ୍ଥାପନ ମଧ୍ୟ ହୋଇଛି । ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ଏସବୁ ଜାଣି ମଧ୍ୟ ପ୍ରାୟ ୫୦ରୁ ଅଧିକ ଦଇତାପତି ସେବାୟତଙ୍କ ସହ ଏହି ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କ ନେତୃତ୍ୱରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ପୂର୍ଣ୍ଣାହୁତି ହୋଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ହୋଇଥିଲା । ରାମକୃଷ୍ଣ ମଧ୍ୟ ଏହି ମନ୍ଦିର ଟ୍ରଷ୍ଟର ସଦସ୍ୟ ଅଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟକ୍ଷ ସେବାରେ ରହିଥିଲେ ହେଁ କିପରି ଏପରି ଅସଙ୍ଗତି କାର୍ଯ୍ୟ କରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଗଣମାଧ୍ୟମକୁ କହିଛନ୍ତି, ଚତୁର୍ଦ୍ଧା ବିଗ୍ରହଙ୍କ ଦାରୁର ବଳକା ଅଂଶ ଅନ୍ୟସ୍ଥାନରେ ବ୍ୟବହାର ହେବା ଗ୍ରହଣୀୟ ନୁହେଁ । ଏହାର ଅନ୍ତ ହେବା ଆବଶ୍ୟକ । ଏଥିରେ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବାର ଆବଶ୍ୟକତା ରହିଛି । ସେପଟେ ଦୀଘାରେ ଜଗନ୍ନାଥ ଧାମ କରାଯିବା ଏକ ଷଡ଼ଯନ୍ତ୍ର ହୋଇଥିବା ଦର୍ଶାଇ ଗଜପତିଙ୍କୁ ଏକ ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିବାଦର ଆବଶ୍ୟକ ସମାଧାନ କରିବାକୁ ସେ ହସ୍ତକ୍ଷେପ ଲୋଡ଼ିଛନ୍ତି । ସେହିପରି ଚାରିଧାମ ଭିତରେ ରହିଥିବା ପୁରୀକୁ ଶ୍ରୀଜଗନ୍ନାଥ ଧାମ କୁହାଯାଉଥିବାରୁ ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ ନାମରେ ନାମକରଣ କରିବା ଉଚିତ୍ ନୁହେଁ ବୋଲି ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି । ଅନ୍ୟପଟେ ନାଁ ନ ନେଇ ମମତା ବାନାର୍ଜୀଙ୍କୁ ଆଙ୍ଗୁଠି ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯିଏ ହିନ୍ଦୁ ସଂସ୍କୃତି ଓ ପରମ୍ପରା ସହ ଖେଳିବ ସେ ଫଳ ଭୋଗିବ ବୋଲି ସେ କହିଛନ୍ତି ।