କଟକ, ୪।୫: କଟକ ଖାନନଗର ରିଂ ରୋଡ୍ ସମ୍ପ୍ରସାରଣ ବେଳେ ବ୍ରିଜ୍ ସ୍ଲାବ୍ ଖସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସଦର ଉପଜିଲ୍ଲାପାଳ ଦିବ୍ୟ ଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ରେ ଅଧିକ୍ଷଣ ଯନ୍ତ୍ରୀ ଡିଭିଜନ ୨ ସ୍ମୃତି ରଞ୍ଜନ ପତି ଓ ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି ।
କେଉଁ ପରିସ୍ଥିତିରେ କ୍ରେନ୍ ଭାଙ୍ଗିଲା ସେନେଇ ସବିଶେଷ ଯାଞ୍ଚ କରାଯାଇଛି । ବର୍ତ୍ତମାନ ପ୍ରାରମ୍ଭିକ ସ୍ଥିତିରେ ତଦନ୍ତ ଚାଲିଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ଯାଞ୍ଚ ସହ ଠିକା ସଂସ୍ଥାକୁ ପଚରାଉଚୁରା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସେହିଭଳି ସମସ୍ତ ଟେକ୍ନିକାଲ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ଏଥିସହ ମୃତ କର୍ମଚାରୀଙ୍କୁ ସହାୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ।