ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବଦନାମ୍ 'ଓୟୋ; ବେପାର ଲୋଭରେ ମାନୁନାହାନ୍ତି ନିୟମ, ୫ ବର୍ଷରେ ୨୪ ମୃତ

Published By : Ankita S | May 16, 2025 2:40 PM

ଭୁବନେଶ୍ୱର,୧୬/୦୫:  ଓୟୋ ହୋଟେଲରେ ସୋନାଲିଙ୍କ ସନ୍ଦେହଜନକ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁରୁଷବନ୍ଧୁ ଠେଲିଦେଲେ ନା ଖସି ପଡିଥିଲେ ତାହା ସନ୍ଦେହରେ । ତେବେ ଓୟୋରେ ଏଭଳି ଅଘଟଣ କିଛି ନୂଆ ନୁହେଁ, ପୂର୍ବରୁ ଅନେକ ଘଟଣାକୁ ନେଇ ବଦନାମ ମୁଣ୍ଡାଇଛି ଓୟୋ । ପ୍ରେମୀଯୁଗଳଙ୍କ ଝଗଡ଼ାରୁ କିଏ ଜୀବନ ହାରୁଛି ତ କେତେବେଳେ ହତ୍ୟା ପାଇଁ ସୁରକ୍ଷିତ ସ୍ଥଳ ପାଲଟିଛି । ଏମିତିକି ହିଡେନ କ୍ୟାମେରାରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ ପାଇଁ ବି ଚର୍ଚ୍ଚାକୁ ଆସିଛି ଓୟୋ । ପୁଲିସ ରେକର୍ଡ କହୁଛି, ଗତ ୫ ବର୍ଷରେ ଓୟୋ ହୋଟେଲରେ ଘଟିଥିବା ଅପମୃତ୍ୟୁ ଓ ହତ୍ୟାଜନିତ ମାମଲା ଦୁଇ ଡଜନରୁ ଅଧିକ । 

୨୦୨୧ ଜାନୁଆରୀ ୨୬ ରାତିରେ ଖଣ୍ଡଗିରି ଧର୍ମବିହାର ‘ଶିବ ସାଇ ଗେଷ୍ଟ ହାଉସ୍‌’ରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ପୁରୁଷବନ୍ଧୁ ରାକେଶ ସ୍ୱାଇଁ ଜଣେ ସହଯୋଗୀଙ୍କ ସହ ଝରାଫୁଲର ମୃତଦେହକୁ ସ୍କୁଟିରେ ବୋହି ଯାଜପୁର କୁଆଖିଆରେ ଫିଙ୍ଗିଥିବା ଜଣାପଡ଼ିଥିଲା । ୨୦୨୩ ଜୁଲାଇ ୨୯ରେ ‘ସାଇ ଆର୍ଯ୍ୟ ରେସିଡେନ୍ସ’ଓୟୋର ୨ କର୍ମଚାରୀଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା । ଅଭିଯୋଗ ଉଠିଥିଲା ଯେ ସେମାନେ ରୁମ୍‌ରେ ହିଡେନ୍‌ କ୍ୟାମେରା ଖଞ୍ଜି ଦମ୍ପତ୍ତି ଓ ଯୁବତୀଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲେ । ପରେ ସେମାନଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ । ୨୦୨୩ ମାର୍ଚ୍ଚ ୨୬ ରାତିରେ ଜାଗମରା ପଞ୍ଚସାଖା ନଗରର ଏକ ଓୟୋ ହୋଟେଲରେ ପ୍ରେମୀଯୁଗଳ ଜନ୍ମଦିନ ସେଲିବ୍ରେଟ କଲେ । ଆଉ ସାମାନ୍ୟ ଝଗଡ଼ାରୁ କଟକ ନିଆଳିର ଦୁର୍ଗା ପ୍ରସାଦ ମିଶ୍ର ପ୍ରେମିକାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିବା ଖବର ଚହଲ ପକାଇଥିଲା ।

ସେହିପରି ୨୦୨୪ ଅଗଷ୍ଟ ୧୪ରେ ଓଡି଼ଆ ରାପର୍‌ ସ୍ବର୍ଗତ ଅଭିନବ ସିଂ ଇନ୍‌ଫୋସିଟି ଅଞ୍ଚଳର ଏକ ଓୟୋରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ସୂଚନା କ୍ରମେ ପୁଲିସ ଉକ୍ତ ଓୟୋରେ ଚଢ଼ଉ କରି ଅଭିନବଙ୍କୁ ୨ଜଣ ବଙ୍ଗୀୟ ଯୁବତୀଙ୍କ ସହ ଧରିଥିଲା ।  ଗତବର୍ଷ ଅକ୍ଟୋବର ୧୯ ତାରିଖରେ ଭରତପୁର ଅଞ୍ଚଳର ଓୟୋରୁ କାମାକ୍ଷାନଗର ଅଞ୍ଚଳର ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଋଣଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିଲେ ବୋଲି  ତଦନ୍ତରୁ ଜଣାପଡି଼ଥିଲା ।  ୨୦୨୪ ଡିସେମ୍ବର ୧୫ରେ ନୟାଗଡ଼ ଅଞ୍ଚଳର ଦୀପକ ନାୟକ ଭରତପୁରର ଏକ ଓୟୋ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ପ୍ରେମ ପ୍ରତ୍ୟାଖାନ ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଥିଲା ।

ଓୟୋର କର୍ତ୍ତୃପକ୍ଷ ବେପାର ଲୋଭରେ ଅନେକ ସମୟରେ ପୁଲିସର ନିୟମକୁ ଦଳିମକଚି ଦେଉଛନ୍ତି । ହୋଟେଲକୁ ଆସୁଥିବା ଅତିଥିଙ୍କ ତାଲିକା ‘ସରାଇ ଆପ୍‌’ରେ ଅପଲୋଡ କରୁନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ଅନେକ ହୋଟେଲରେ ସିସି କ୍ୟାମେରା ବି ଖଞ୍ଜୁନାହାନ୍ତି । ଏମିତିକି ଟଙ୍କା ଲୋଭରେ ପେସାଦାର ଅପରାଧୀମାନଙ୍କୁ ମଧ୍ୟ ଆଶ୍ରୟ ଦେଉଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.