ଆଠଗଡ, ୧୫।୭ : ନରସିଂହପୁର - ଖୁଣ୍ଟୁଣୀ ୬୫ ନମ୍ବର ରାଜ୍ୟ ରାଜପଥରେ ଏକ ଟ୍ରକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ସ୍କୁଟି ଚାଳକ ଜଣକ ହେଲେ ନରେଶ ପାତ୍ର। ଯୁବକଙ୍କ ଘର ଆଠଗଡ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ।ସେ ଆଠଗଡ ଗ୍ରାମ୍ୟ ପାନୀୟ ଜଳଯୋଗାଣ କାର୍ଯ୍ୟାଳୟରେ ଖଲାସୀ ଭାବେ କାର୍ଯ୍ୟ କରୁଥିଲେ।
ଆଠଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଯାକ ଗାଡ଼ିକୁ ଜବତ କରିଛି। ଟ୍ରକ ଚାଳକ ବଡ଼ମ୍ବା ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ରାଜୀବ ବେହେରା (୩୭) କୁ ଗିରଫ କରିଛି। ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଟ୍ରକ ଚାଳକକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର କ୍ଷିତିଶ ନାଏକ ସୂଚନା ଦେଇଛନ୍ତି।