ଭୁବନେଶ୍ୱର, ୨୮।୯: ଦୁଇଦିନିଆ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀ । ଲୋକମାନେ କିଭଳି ନ୍ୟାୟ ପାଇପାରିବେ ଓ ଓଡ଼ିଶାବାସୀ କିଭଳି ଶାନ୍ତିରେ ବାସ କରିପାରିବେ ସେନେଇ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ଅଧିକ ସୁରକ୍ଷିତ ଓ ଶୃଙ୍ଖଳାର ସହ ସମାପନ କରିବାକୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ବାଟାଲିୟନ୍ ପ୍ରସ୍ତୁତ ହେଉଛି । ଏଥିପାଇଁ ନିଷ୍ପତ୍ତି ହୋଇସାରିଥିବା ବେଳେ ଏନେଇ ପ୍ରକ୍ରିୟା ଜାରି ରହିଛି । ଯେଉଁଥିରେ ୧୦୪୩ରୁ ଅଧିକ କର୍ମଚାରୀ ନିଯୁକ୍ତି ହେବେ । ୨୯୯୮ ଜଣ ହୋମଗାର୍ଡଙ୍କୁ ପୁନଃନିଯୁକ୍ତି କରାଯିବ । ଯେଉଁ ଥାନାମାନଙ୍କରେ ୨ ଚକିଆ ବା ୪ ଚକିଆ ଯାନର ସୁବିଧା ନାହିଁ, ସେଥିପାଇଁ ରାଜ୍ୟର ସବୁ ଥାନାମାନଙ୍କରେ ମୋଟ୍ ୯ ହଜାର ମୋଟରସାଇକେଲ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଆପତ୍ତିକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତି ଥାନାରେ ଗୋଟିଏ ଲେଖାଏଁ ୪ ଚକିଆ ଯାନା ପ୍ରଦାନ କରାଯିବ । ଆପତ୍ତିକାଳୀନ ପରିସ୍ଥିତିରେ ଶକ୍ତି ବୃଦ୍ଧି କରିବାକୁ ୧୨୪୩ ପଦବୀ ରହିବ । ମେଡିକାଲ କଲେଜରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତି ପାଇଁ ୧୦ଟି ମେଡିକାଲ କଲେଜରେ ୧୦ଟି ପୋଲିସ ପାଣ୍ଠି ପ୍ରତିଷ୍ଠା କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପୂର୍ବରୁ ୨୦ଟି ଓଡ୍ରାଫ୍ ଟିମ୍ ୟୁନିଟ୍ ରହିଥିବା ବେଳେ ଆଉ ୧୦ଟି ୟୁନିଟ୍ ପ୍ରତିଷ୍ଠା କରାଯିବ । ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭାବରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଓଡ୍ରାଫ୍ ଟିମ୍ ୟୁନିଟ୍ ମୁତୟନ ହେବେ । ଫଳରେ ଓଡ଼ିଶା ପୋଲିସ ଶକ୍ତିଶାଳୀ ହୋଇ ଭାରତ ବର୍ଷର ପ୍ରଥମ ସ୍ଥାନରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।