ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଓଡ଼ିଶା ପର୍ବରେ ଓଡ଼ିଆତ୍ୱର ଜୟଯାତ୍ରା...

Published By : Prameya | December 6, 2024 2:40 PM

ମୁଁ ଭାବୁଥିଲି ସେଦିନ ସଞ୍ଜରେ ଭେଟିଥିବା  ଜଣେ ସାଧାରଣ ବ୍ୟବସାୟୀ ନୁହଁନ୍ତି,  ଏବେ ପ୍ରତ୍ୟେକ ଓଡ଼ିଆଙ୍କ ଭିତରେ  ପ୍ରତ୍ୟୟ ଜାଗିଲାଣି- ଆମେ ଆଗକୁ  ଯିବୁ, ଆମେ ନିଜକୁ ନିଜ ଅସ୍ମିତାକୁ  ପ୍ରତିଷ୍ଠା କରିବୁ । ଦିଲ୍ଲୀର ଓଡ଼ିଆ ସମାଜ  ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏହି ଯେଉଁ ପ୍ରତ୍ୟୟ ସୃଷ୍ଟି କରିଛନ୍ତି  ତାହା ପୁଣିଥରେ ଓଡ଼ିଆଙ୍କୁ ବିଶ୍ୱ ବିଜୟିନୀ  ପଥରେ ଘେନିଯିବ ।

ଗତ ନଭେମ୍ବର ୨୨ ତାରିଖ ସନ୍ଧ୍ୟା । ଆମେ  କେତେଜଣ ବନ୍ଧୁ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର  ରାସ୍ତା କଡ଼ରେ ଅଟକି ଥିଲୁ । ଲକ୍ଷ୍ୟ ଥିଲା, ସେଇଠି ଥିବା  ଛୋଟିଆ ଜଳଖିଆ ଦୋକାନ । ଦୋକାନ ସାମ୍ନାରେ ଆମର  କଥାବାର୍ତ୍ତା ଶୁଣି ଦୋକାନୀ ବନ୍ଧୁ ଜଣକ ପଚାରିଲେ  "ଆପଣମାନେ ଓଡ଼ିଶା ପର୍ବକୁ ଆସିଛନ୍ତି କି?’ ତାଙ୍କ  ମୁହଁରୁ ଓଡ଼ିଆ ଭାଷା ଶୁଣି ଆମେ ଖୁସି ହେଲୁ । ଭଦ୍ରକ  ଅଞ୍ଚଳରୁ ଯାଇ ସେଠାରେ କିଛି ବର୍ଷ ସଂଘର୍ଷ କରୁଥିବା  ସେ ବନ୍ଧୁ ଜଣକ କହିଲେ- ଦିନ ଥିଲା ଏଠି ଆମେ  ନିଜକୁ ଓଡ଼ିଆ କହିବାକୁ ଡରୁଥିଲୁ । ଆମର ସ୍ଥିତି କିଛି  ନଥିଲା, ଏବେ ପରିସ୍ଥିତି ବଦଳି ଗଲାଣି । କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଆମେ ଓଡ଼ିଆମାନେ ସେଠି  ନୂଆ ପରିଚୟ ପାଇଲେଣି । ସେ ଏକଥା କହୁ କହୁ  ଅତୀତରେ ସେ ଭୋଗିଥିବା ନିର୍ଯାତନା ପାଇଁ ନୁହେଁ,  ବରଂ ଆଜିର ସଫଳତା ପାଇଁ ଖୁସିରେ ଭାବପ୍ରବଣ  ହୋଇଗଲେ । 

ଏମିତି ଜଣକ ଆଖିରେ ଖୁସିର ଲୁହ ବା ଜଣକ  ଛାତିରେ ଗର୍ବର ସ୍ପନ୍ଦନ ଆମେ ଦେଖିଲୁ ନାହିଁ, ବରଂ  ହଜାର ହଜାର ଓଡ଼ିଆଙ୍କୁ ଗର୍ବ ଓ ଗୌରବର ସହ  ଛାତି ଫୁଲେଇ ଚାଲୁଥିବାର ଦେଖି ଆମେ ବି ଆହ୍ଲାଦିତ  ହେଲୁ । ଅବସର ଥିଲା ନଭେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ  ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିଅମ  ଠାରେ ଆୟୋଜିତ ଦିଲ୍ଲୀ ଓଡ଼ିଆ ସମାଜର  ‘ଓଡ଼ିଶା ପର୍ବ-୨୦୨୪' । ଆଜି ଭାରତବର୍ଷର  ମାନ୍ୟବର ଶିକ୍ଷାମନ୍ତ୍ରୀ ଥିବା ଶ୍ରୀଯୁକ୍ତ ଧର୍ମେନ୍ଦ୍ର  ପ୍ରଧାନଙ୍କ ପୃଷ୍ଠପୋଷକତାରେ ୨୦୧୭ ମସିହାରୁ  ଦିଲ୍ଲୀରେ ଆୟୋଜିତ ହୋଇଆସୁଛି ଏ ଓଡ଼ିଶା  ପର୍ବ। ମହାମାରୀ କରୋନା ପାଇଁ ଗୋଟିଏ  ବର୍ଷ ଆୟୋଜିତ ହୋଇପାରିନଥିବା ଏହି ମହାପର୍ବ  ସତରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ଇତିହାସ³  ସର୍ବୋପରି ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଉଦାହରଣ  ହୋଇଛି ।  

ପ୍ରଥମ ଦିନ ସନ୍ଧ୍ୟାର ଉଦ୍‌ଘାଟନୀ ଉତ୍ସବରେ  ଭାରତର ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ  ଦ୍ରୌପଦୀ ମୁର୍ମୁ ଯେତେବେଳେ ଜୟ ଜଗନ୍ନାଥ  ଧ୍ୱନିରେ ଏହି ମହାକୁମ୍ଭକୁ ଉଦ୍‌ଘାଟନ କଲେ,  ସେତେବେଳେ ଜଣେ ଓଡ଼ିଆ ଭାବେ ଛାତି କୁଣ୍ଢେମୋଟ  ହୋଇଗଲା । ମହାମହିମ ରାଷ୍ଟ୍ରପତି ଓଡ଼ିଆଙ୍କ ମହାନ୍‌  ଗୁଣ ବର୍ଣ୍ଣନା କରିବା ସହ ଏବେ  ବିଶ୍ୱରେ ଓଡ଼ିଆମାନଙ୍କ ଆଧିପତ୍ୟ  ଦେଖିବାକୁ ମିଳିଲାଣି ବୋଲି  ଉଲ୍ଲେଖ କରିଥିଲେ । ଏହି ସଭାରେ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଯୋଗଦେଇ  ଏକ ସମୃଦ୍ଧ ଜାତିର ଦାୟାଦ ଭାବେ  ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ  ଓ ଓଡ଼ିଶାର ସହନଶୀଳ ଗୁଣ ତଥା  ଉଦାର ଆତିଥେୟତା ଏବେ ବିଶ୍ୱ  ସମୁଦାୟ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି  କହିଥିଲେ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ  ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ପ୍ରସଙ୍ଗରେ  ଓଡ଼ିଆମାନଙ୍କୁ ସାଲିସ୍‌ହୀନ ଭାବେ ଏକଜୁଟ୍‌ ହେବାକୁ  ଆହ୍ୱାନ ଦେଲେ, ସେତେବେଳେ ମନେ ହେଉଥିଲା,  ସତେ ଅବା ଅନେକ ବର୍ଷ ହେଲା ସୁପ୍ତ ଏକ ଜାତିକୁ  ଜାଗ୍ରତ କରିବାପାଇଁ ଏକ ସମର୍ଥ ସେନାପତି ଏବେ ଉଭା  ହୋଇଛନ୍ତି । ସେହିପରି ପର୍ବର ଉଦ୍‌ଯାପନୀ ସନ୍ଧ୍ୟାରେ  ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ସନ୍ଥକବି ଭୀମ  ଭୋଇଙ୍କ ମହାନ୍‌ ପଙ୍‌କ୍ତି ‘ମୋ ଜୀବନ ପଛେ ନର୍କେ  ପଡ଼ିଥାଉ ଜଗତ ଉଦ୍ଧାର ହେଉ'କୁ ସ୍ପଷ୍ଟ ଓଡ଼ିଆରେ  ଗାନ କରି କହିଲେ- ଏହା ହିଁ ଓଡ଼ିଆ ଜାତିର ପରିଚୟ ।  ସେତେବେଳେ ସେଠାରେ ଉପସ୍ଥିତ ପ୍ରତିଟି ଓଡ଼ିଆ  କୃତଜ୍ଞତାରେ ଘନଘନ କରତାଳି ସୃଷ୍ଟି କରିଥିଲା । ଏହି  ଅବସରରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ମୋଦିଜୀଙ୍କର ଓଡ଼ିଶାକୁ ଭଲ ପାଇବାର  ଉଦାହରଣ ଉଲ୍ଲେଖ କରିଥିଲେ । ମାନ୍ୟବର କେନ୍ଦ୍ରମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ମଧ୍ୟ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ  ଅବଦାନ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ।  

ସ୍ମରଣ କରାଯାଇପାରେ ଯେ, ଖ୍ରୀ.ପୂ. ୫୫୬୧  ମସିହାରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି  ଯୁଦ୍ଧର ଉଦ୍‌ଘାଟନ କରିଥିଲେ କଳିଙ୍ଗ ରାଜା ଶ୍ରୁତାୟୁ ।  ସୁତରାଂ ପ୍ରବଳ ପରାକ୍ରମ ଓ ଅମାପ ଧନଧାନ୍ୟରେ  ପରିପୂର୍ଣ୍ଣ ଏ ଓଡ଼ିଆ ଜାତି ସମୟକ୍ରମେ ନିଜର ଗୌରବ ହରାଇ ଏକ ବିଜିତ ଜାତିରେ ପରିଣତ ହୋଇଗଲା ।  ତା'ର କାରଣ ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ  ସେପରି ପରାକ୍ରମୀ ସେନାପତି କେହି ନଥିଲେ । ଏବେ  କିନ୍ତୁ ଦିଲ୍ଲୀ ମହାନଗରୀରେ ଓଡ଼ିଆମାନଙ୍କର ଏ ସ୍ପର୍ଦ୍ଧିତ  ଉପସ୍ଥିତି ଦେଖି ବିଶ୍ୱାସ ହେଲା ଆମ ରାଜନୈତିକ ଓ  ସାଂସ୍କୃତିକ ପରିମଣ୍ଡଳରେ ସ୍ୱାଭିମାନୀ ସେନାପତିଙ୍କର  ନିଶ୍ଚୟ ଆବିର୍ଭାବ ହୋଇ ସାରିଲାଣି । 

ସେ ସେନାପତିର ଶ୍ରେୟ ଯଦି ମୁଁ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବି,  ତେବେ ତାହା ସତ୍ୟର ଅପଳାପ ହେବନାହିଁ । କାରଣ  ଓଡ଼ିଶା ପର୍ବ କେବଳ ଏକ ସାଧାରଣ ଉତ୍ସବ ନଥିଲା³  ଏହା ଥିଲା ଆମ କଳା, ସାହିତ୍ୟ, ସଂସ୍କୃତିକୁ ପ୍ରଦର୍ଶିତ  କରିବାର ଏକ ମହାର୍ଘ ଅବସର । ସାହିତ୍ୟ ଆଲୋଚନା  ପାଇଁ ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ, କେନ୍ଦ୍ର ସାହିତ୍ୟ  ଏକାଡେମୀ ପୁରସ୍କାର ବିଜୟିନୀ ପାରମିତା ଶତପଥିଙ୍କ  ଠାରୁ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଓ ଯୁବ କେନ୍ଦ୍ର ସାହିତ୍ୟ  ଏକାଡେମୀ ପୁରସ୍କୃତ ଡ. ଚନ୍ଦ୍ରଶେଖର ହୋତାଙ୍କ  ପରି ବହୁ ପ୍ରବୀଣ ଓ ନବୀନ ଲେଖକ ଲେଖିକା  ଯୋଗ ଦେଇଥିଲେ । ଓଡ଼ିଆ ପୁସ୍ତକର ପ୍ରସାର ପାଇଁ  ଓଡ଼ିଶାରୁ ବିଖ୍ୟାତ ପ୍ରକାଶକ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ,  ବିଦ୍ୟାପୁରୀ, ଫ୍ରେଣ୍ଡ୍‌ସ ପବ୍ଲିଶର୍ସ ଓ ଜଗନ୍ନାଥ ରଥଙ୍କ  ସମେତ ଏନ୍‌.ବି.ଟି. କେନ୍ଦ୍ର ସାହିତ୍ୟ ଏକାଡେମୀକୁ  ସାମିଲ୍‌ କରାଯାଇଥିଲା । 

ଓଡ଼ିଶାର ପିଠାପଣା, ଓଡ଼ିଶାର ହସ୍ତତନ୍ତ୍ର, ଓଡ଼ିଶାର  ମୃତ୍ତିକା କଳା, ଚାନ୍ଦୁଆ, ଓଡ଼ିଶୀ ନୃତ୍ୟ ଓ ସଂଗୀତ,  ଓଡ଼ିଆ ଲୋକନୃତ୍ୟ ଓ ଲୋକକଳାକୁ ଉପଭୋଗ କରିବା  ପାଇଁ ହଜାର ହଜାର ଦିଲ୍ଲୀବାସୀ ପରିବାର ସହ ପ୍ରତିଦିନ  ଆସି ଯେପରି ଏକାଠି ହେଉଥିଲେ, ତାହା ଯେ କୌଣସି  ଓଡ଼ିଆକୁ ଉଲ୍ଲସିତ କରିବ । ସେଠାରେ ଉପସ୍ଥିତ ଥିବା  ଏହି ଲେଖକ ଯେତେଜଣ ଭଦ୍ରବ୍ୟକ୍ତିଙ୍କୁ ଭେଟିଛି,  ସମସ୍ତେ ମୁକ୍ତ କଣ୍ଠରେ ସେହି ଗୋଟିଏ କଥା କହୁଥିଲେ  କେତେଦିନ ଆମେ ଆଉ ଆମ ଅତୀତକୁ ନେଇ  ମିଛ ଗର୍ବ କରିବା । ଓଡ଼ିଆମାନେ ଦାଦନ, ସୁରଟର ଶ୍ରମିକ, କଲିକତାର ପାଇପ୍‌ ମିସ୍ତ୍ରୀର ପରିଚୟରେ  ଆଉ କେତେଦିନ ପରିଚୟ ସଂକଟ ନେଇ ବଞ୍ଚିବେ ।  ଏବେ ସମୟ ଆସିଛି ଖାଲି ଦିଲ୍ଲୀ ଦରବାରରେ ନୁହେଁ,  ଭାରତର ପ୍ରତିଟି କ୍ଷେତ୍ରରେ ଓଡ଼ିଆମାନଙ୍କର ତୃପ୍ତ  ପଦଧ୍ୱନି ଶୁଣାଇବାର । ଆମେ ନିଶ୍ଚିତ ଆମକୁ ସାହସର  ସହ ଓ ସ୍ୱାଭିମାନର ସହ ଆଗକୁ ବଢ଼ିବା ପାଇଁ ଜଣେ  ପ୍ରଧାନ ସେନାପତି ମିଳିଯାଇଛନ୍ତି । ସେମାନେ ଖାଲି  ଏକଥା କହୁନଥିଲେ, ଆତ୍ମବିଭୋରରେ ସେମାନଙ୍କ ଆଖି  ଓଦା ହୋଇ ଆସୁଥିଲା । 

ମୁଁ ଭାବୁଥିଲି ସେଦିନ ସଞ୍ଜରେ  ଭେଟିଥିବା ଜଣେ ସାଧାରଣ ବ୍ୟବସାୟୀ ନୁହଁନ୍ତି, ଏବେ  ପ୍ରତ୍ୟେକ ଓଡ଼ିଆଙ୍କ ଭିତରେ ପ୍ରତ୍ୟୟ ଜାଗିଲାଣି-  ଆମେ ଆଗକୁ ଯିବୁ, ଆମେ ନିଜକୁ ନିଜ ଅସ୍ମିତାକୁ  ପ୍ରତିଷ୍ଠା କରିବୁ । ଦିଲ୍ଲୀର ଓଡ଼ିଆ ସମାଜ ଓ ମାନ୍ୟବର  କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯେଉଁ ପ୍ରତ୍ୟୟ  ସୃଷ୍ଟି କରିଛନ୍ତି ତାହା ପୁଣିଥରେ ଓଡ଼ିଆଙ୍କୁ ବିଶ୍ୱ ବିଜୟିନୀ  ପଥରେ ଘେନିଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.