ମୋର ପ୍ରିୟ ଦେଶବାସୀଗଣ,
ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି । କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି । କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି । ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି... ମୁଁ ନିଜ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛି ।
ବାସ୍ତବରେ ଏହି ୨୪ ନିର୍ବାଚନରେ ଅନେକ ସୁଖଦ ସଂଯୋଗ ଦେଖିବାକୁ ମିଳିଛି । ଅମୃତକାଳର ଏହି ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଠରୁ ପ୍ରଚାର ଆରମ୍ଭ କରିଥିଲି । ମା' ଭାରତୀର ପରିକ୍ରମା କରି ଏହି ନିର୍ବାଚନରେ ମୋର ଶେଷ ସଭା ପଞ୍ଜାବର ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା । ସନ୍ଥ ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି ପଞ୍ଜାବରେ ଶେଷ ସଭା ହେବାର ସୌଭାଗ୍ୟ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର । ଏହାପରେ କନ୍ୟାକୁମାରୀରେ ଭାରତମାତାଙ୍କ ଚରଣରେ ବସିବାର ସୁଯାଗ ପାଇଥିଲି । ସେହି ପ୍ରାରମ୍ଭିକ ମୁହୂର୍ତ୍ତରେ ମୋ ମନରେ ନିର୍ବାଚନର କୋଳାହଳ ଗୁଞ୍ଜରିତ ହେଉଥିଲା । ସଭା, ସଡ଼କ ଶୋଭାଯାତ୍ରାରେ ମୁଁ ଦେଖିଥିବା ଅଗଣିତ ଚେହେରା ମୋ ଆଖି ସାମ୍ନାକୁ ଆସୁଥିଲା । ମା', ଭଉଣୀ ଓ ଝିଅମାନଙ୍କର ଅସୀମ ସ୍ନେହର ସେହି ଜୁଆର, ସେମାନଙ୍କ ଆଶୀର୍ବାଦ... ସେହି ବିଶ୍ୱାସ, ଯାହା ସେମାନଙ୍କ ଆଖିରେ ମୋ ପାଇଁ ପ୍ରତିଫଳିତ ହୋଇଥିଲା ... ମୁଁ ସବୁ କିଛି ଅନୁଭବ କରୁଥିଲି । ମୋ ଆଖି ଆର୍ଦ୍ର ହୋଇଯାଇଥିଲା... ମୁଁ ଶୂନ୍ୟତା ଭିତରକୁ ଯାଉଥିଲି, ସାଧନାରେ ପ୍ରବେଶ କରୁଥିଲି ।
ଅଳ୍ପ କିଛି ମୁହୂର୍ତ୍ତରେ ରାଜନୈତିକ ବିବାଦ, ଆକ୍ଷେପ ଓ ପ୍ରତି-ଆକ୍ଷେପ... ଅଭିଯୋଗର ସ୍ୱର ଓ ଶବ୍ଦ ଶୂନ୍ୟତା ଭିତରେ ସମାହିତ ହୋଇଯାଇଥିଲା । ମନରେ ଥିବା ବୈରାଗ୍ୟ ଭାବନା ଆହୁରି ତୀବ୍ର ହୋଇଗଲା... ମୋ ମନ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା ।
ଏତେ ବଡ଼ ଦାୟିତ୍ୱ ମଧ୍ୟରେ ଏଭଳି ସାଧନା କଷ୍ଟକର, କିନ୍ତୁ କନ୍ୟାକୁମାରୀର ମାଟି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ଏହାକୁ ସହଜ କରିଦେଇଥିଲା । ମୁଁ ମଧ୍ୟ ମୋ କାଶୀ ଭୋଟରଙ୍କ ଚରଣରେ ସାଂସଦ ଭାବେ ମୋର ନିର୍ବାଚନକୁ ଛାଡି ଏଠାକୁ ଆସିଥିଲି ।
ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ ଯେ ସେ ମୋତେ ଜନ୍ମରୁ ଏହି ସଂସ୍କାର ଦେଇଛନ୍ତି । ମୁଁ ଏହା ମଧ୍ୟ ଭାବୁଥିଲି ଯେ ସ୍ୱାମୀ ବିବେକାନନ୍ଦଜୀ ସେହି ସ୍ଥାନରେ ତାଙ୍କ ସାଧନା ସମୟରେ କ'ଣ ଅନୁଭବ କରିଥିବେ! ମୋ ସାଧନାର କିଛି ଅଂଶ ଏହି ପ୍ରକାର ବିଚାରରେ ପ୍ରବାହିତ ହେଲା ।
ଏହି ବୈରାଗ୍ୟ ମଧ୍ୟରେ, ଶାନ୍ତି ଏବଂ ନିରବତା ମଧ୍ୟରେ, ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାରତର ଲକ୍ଷ୍ୟ ପାଇଁ ନିରନ୍ତର ବିଚାରରେ ଡ଼ୁବି ରହିଥିଲି । କନ୍ୟାକୁମାରୀର ଉଦୀୟମାନ ସୂର୍ଯ୍ୟ ମୋ ବିଚାରକୁ ନୂତନ ଉଚ୍ଚତା ଦେଇଥିଲା, ସମୁଦ୍ରର ବିଶାଳତା ମୋ ବିଚାରକୁ ବିସ୍ତାରିତ କରିଥିଲା, ଆଉ ଦିଗନ୍ତର ବିସ୍ତାର ମୋତେ ବ୍ରହ୍ମାଣ୍ଡର ଗଭୀରତାରେ ଥିବା ଏକାତ୍ମ ଭାବନା ଏବଂ ମୁକ୍ତ ବିଚାର ବିଷୟରେ ନିରନ୍ତର ଅନୁଭବ କରାଇଥିଲା । ଲାଗୁଥିଲା, ଯେପରି କିଛି ଦଶନ୍ଧି ପୂର୍ବେ ହିମାଳୟ କାଳରେ କରିଥିବା ଚିନ୍ତନ ଓ ଅନୁଭୂତି ପୁନର୍ଜୀବିତ ହେଉଛି ।
ସାଥୀମାନେ, କନ୍ୟାକୁମାରୀର ଏହି ସ୍ଥାନ ସବୁବେଳେ ମୋ ମନର ଅତି ନିକଟତର ରହିଆସିଛି । କନ୍ୟାକୁମାରୀଠାରେ ବିବେକାନନ୍ଦ ଶିଳା ସ୍ମାରକୀକୁ ଶ୍ରୀ ଏକନାଥ ରାନାଡେଜୀ ନିର୍ମାଣ କରାଇଥିଲେ । ଏକନାଥଜୀଙ୍କ ସହ ମୋତେ ଭ୍ରମଣ କରିବାର ଢେର୍ ସୁଯୋଗ ମିଳିଥିଲା । ଏହି ସ୍ମାରକୀ ନିର୍ମାଣ ସମୟରେ କିଛି ସମୟ କନ୍ୟାକୁମାରୀରେ ରହିବା ଓ ଦର୍ଶନ କରିବା ସ୍ୱାଭାବିକ ଥିଲା ।
କାଶ୍ମୀରରୁ କନ୍ୟାକୁମାରୀ... ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଏହା ହେଉଛି ଆମର ସାଧାରଣ ପରିଚୟ । ଏହା ହେଉଛି ସେହି ଶକ୍ତିପୀଠ ଯେଉଁଠାରେ ମା' ଶକ୍ତି କନ୍ୟାକୁମାରୀ ଭାବରେ ଅବତାର ନେଇଥିଲେ । ଏହି ଦକ୍ଷିଣ ପ୍ରାନ୍ତରେ ମା' ଶକ୍ତି ତପସ୍ୟା କରି ଭାରତର ଉତ୍ତର ପ୍ରାନ୍ତରେ ହିମାଳୟରେ ବିରାଜମାନ ଭଗବାନ ଶିବଙ୍କୁ ଅପେକ୍ଷା କରି ରହିଥିଲେ ।
କନ୍ୟାକୁମାରୀ ହେଉଛି ସଙ୍ଗମସ୍ଥଳୀର ଭୂମି । ଆମ ଦେଶର ପବିତ୍ର ନଦୀଗୁଡ଼ିକ ବିଭିନ୍ନ ସମୁଦ୍ରରେ ମିଶିଥାନ୍ତି ଏବଂ ଏଠାରେ ସେହି ସମୁଦ୍ରମାନେ ମିଶିଛନ୍ତି । ଏଠାରେ ଆଉ ଏକ ମହାନ ସମାଗମ ହୋଇଥାଏ - ଭାରତର ଆଦର୍ଶଗତ ସଙ୍ଗମ! ବିବେକାନନ୍ଦ ଶିଳା ସ୍ମାରକୀ ସହିତ ସନ୍ଥ ତିରୁୱଲ୍ଲୁବରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି, ଗାନ୍ଧୀ ମଣ୍ଡପମ୍ ଏବଂ କାମରାଜର୍ ମଣି ମଣ୍ଡପମ୍ ରହିଛି । ମହାନ ବୀରମାନଙ୍କର ବିଚାର ଏଠାରେ ରାଷ୍ଟ୍ର ଚିନ୍ତନର ସଂଗମ ସୃଷ୍ଟି କରିଥାଏ । ଏହା ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ମହାନ ପ୍ରେରଣା ସୃଷ୍ଟି ହୋଇଥାଏ । ଯେଉଁମାନେ ଭାରତ ଓ ରାଷ୍ଟ୍ରର ଏକତା ଉପରେ ସନ୍ଦେହ କରନ୍ତି, ସେମାନଙ୍କୁ କନ୍ୟାକୁମାରୀର ଏହି ଭୂମି ଏକତାର ଏକ ଅବିସ୍ମରଣୀୟ ବାର୍ତ୍ତା ଦେଇଥାଏ ।
କନ୍ୟାକୁମାରୀରେ ଥିବା ସନ୍ଥ ତିରୁୱଲ୍ଲୁବରଙ୍କ ବିଶାଳ ପ୍ରତିମୂର୍ତ୍ତି ସମୁଦ୍ରରୁ ମା' ଭାରତୀଙ୍କ ବିସ୍ତାରକୁ ଦେଖୁଥିବା ପ୍ରତୀୟମାନ ହୋଇଥାଏ । ତାଙ୍କ ରଚନା "ତିରୁକୁରଲ' ତାମିଲ ସାହିତ୍ୟର ରତ୍ନ ସହ ଜଡ଼ିତ ଏକ ମୁକୁଟ ପରି । ଏଥିରେ ଜୀବନର ପ୍ରତ୍ୟେକ ଦିଗକୁ ବର୍ଣ୍ଣନା କରାଯାଇଛି, ଯାହା ଆମକୁ ନିଜ ପାଇଁ ଏବଂ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ । ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ମଧ୍ୟ ମୋର ବଡ଼ ସୌଭାଗ୍ୟ ।
ସାଥୀମାନେ, ସ୍ୱାମୀ ବିବେକାନନ୍ଦ କହିଥିଲେ- ପ୍ରତ୍ୟେକ ରାଷ୍ଟ୍ରର ଏକ ବାର୍ତ୍ତା ଥାଏ, ପୂରଣ କରିବା ଲାଗି ଏକ ଲକ୍ଷ୍ୟ ଥାଏ, ପହଞ୍ଚିବା ପାଇଁ ଏକ ଭାଗ୍ୟ ଥାଏ ।
ହଜାର ହଜାର ବର୍ଷ ଧରି ଭାରତ ଏହି ଭାବନା ସହିତ ସାର୍ଥକ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି । ଭାରତ ହଜାର ହଜାର ବର୍ଷ ଧରି ବିଭିନ୍ନ ବିଚାରର ଗବେଷଣା କେନ୍ଦ୍ର ପାଲଟିଛି । ଆମେ ଆର୍ଥିକ କିମ୍ବା ଭୌତିକ ମାନଦଣ୍ଡରେ ଯାହା ଅର୍ଜନ କରିଥିଲୁ ତାହାକୁ ଆମର ବ୍ୟକ୍ତିଗତ ପୁଞ୍ଜି କେବେ ବି ଭାବିନାହୁଁ । ସେଥିପାଇଁ "ଇଦଂ ନ ମମ' ଏହା ଭାରତ ଚରିତ୍ରର ଏକ ପ୍ରାକୃତିକ ଓ ସ୍ୱାଭାବିକ ଅଙ୍ଗ ପାଲଟିଯାଇଛି ।
ଭାରତର କଲ୍ୟାଣ ମାଧ୍ୟମରେ ବିଶ୍ୱ କଲ୍ୟାଣ ଏବଂ ଭାରତର ପ୍ରଗତି ମାଧ୍ୟମରେ ବିଶ୍ୱର ପ୍ରଗତି, ସ୍ୱାଧୀନତା ଆନ୍ଦୋଳନ ମଧ୍ୟ ଏହାର ଏକ ବଡ଼ ଉଦାହରଣ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା । ସେତେବେଳେ ପୃଥିବୀର ଅନେକ ଦେଶ ଦାସତ୍ୱରେ ଆବଦ୍ଧ ଥିଲେ । ଭାରତର ସ୍ୱାଧୀନତା ମଧ୍ୟ ସେହି ଦେଶଗୁଡ଼ିକୁ ପ୍ରେରଣା ଯୋଗାଇଥିଲା ଓ ସୁଦୃଢ଼ କରିଥିଲା, ଫଳରେ ସେମାନେ ସ୍ୱାଧୀନତା ପାଇଥିଲେ । ନିକଟରେ କରୋନା ଭଳି କଠିନ ସମୟର ଉଦାହରଣ ମଧ୍ୟ ଆମ ସମ୍ମୁଖରେ ରହିଛି । ଯେତେବେଳେ ଗରିବ ଏବଂ ବିକାଶଶୀଳ ଦେଶଗୁଡ଼ିକ ବିଷୟରେ ଆଶଙ୍କା ପ୍ରକାଶ କରାଯାଉଥିଲା, ଭାରତର ସଫଳ ପ୍ରୟାସ ସେସବୁ ଦେଶକୁ ଉତ୍ସାହିତ କରିଥିଲା ଏବଂ ସେମାନଙ୍କୁ ସହଯୋଗ ମଧ୍ୟ ମିଳିଲା ।
ଆଜି ଭାରତର ଶାସନ ମଡେଲ ବିଶ୍ୱର ଅନେକ ଦେଶ ପାଇଁ ଉଦାହରଣ ପାଲଟିଛି । ମାତ୍ର ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବା ଅଭୂତପୂର୍ବ । ଜନହିତକର ସୁଶାସନ, ଆକାଙ୍କ୍ଷୀ ଜିଲ୍ଲା, ଆକାଙ୍କ୍ଷୀ ବ୍ଲକ ଭଳି ଅଭିନବ ପରୀକ୍ଷଣ ଆଜି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଗରିବଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଅନ୍ତିମ ସୋପାନରେ ସୁବିଧା ଓ ସେବା ପହଞ୍ଚାଇବା ପର୍ଯ୍ୟନ୍ତ ଅନ୍ତିମ ପଙ୍କ୍ତିରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବା ପାଇଁ ଆମର ପ୍ରୟାସ ବିଶ୍ୱକୁ ପ୍ରେରଣା ଦେଇଛି । ଆମେ କିପରି ଗରିବମାନଙ୍କୁ ସଶକ୍ତ କରିବା, ସ୍ୱଚ୍ଛତା ଆଣିବା ଏବଂ ସେମାନଙ୍କୁ ଅଧିକାର ଦେବା ପାଇଁ ପ୍ରଯୁକ୍ତିର ବ୍ୟବହାର କରିପାରିଛୁ, ବିଶ୍ୱ ପାଇଁ ତାହାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନ । ଭାରତରେ ଶସ୍ତା ଡାଟା ଗରିବ ଲୋକଙ୍କୁ ସୂଚନା ଓ ସେବା ମିଳିବା ସୁନିଶ୍ଚିତ କରି ସାମାଜିକ ସମାନତାର ମାଧ୍ୟମ ପାଲଟିଛି । ସମଗ୍ର ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଏହି ସାର୍ବଜନୀନକରଣକୁ ଗବେଷଣା ଦୃଷ୍ଟିକୋଣରୁ ଦେଖୁଛି ଏବଂ ବଡ଼ ବଡ଼ ବୈଶ୍ୱିକ ସଂଗଠନମାନେ ଆମ ମଡେଲରୁ ଶିଖିବା ପାଇଁ ଅନେକ ଦେଶଙ୍କୁ ପରାମର୍ଶ ଦେଉଛନ୍ତି ।
ଆଜି ଭାରତର ପ୍ରଗତି ଏବଂ ଭାରତର ଉନ୍ନତି କେବଳ ଭାରତ ପାଇଁ ଏକ ବଡ଼ ସୁଯୋଗ ନୁହେଁ । ସମଗ୍ର ବିଶ୍ୱରେ ଥିବା ଆମର ସମସ୍ତ ସାଥୀ ଦେଶମାନଙ୍କ ପାଇଁ ମଧ୍ୟ ଏହା ଏକ ଐତିହାସିକ ଅବସର । ଜି-୨୦ର ସଫଳତା ପରେ ଭାରତର ଏହି ଭୂମିକାକୁ ବିଶ୍ୱ ଅଧିକ ମୁଖର ହୋଇ ଗ୍ରହଣ କରୁଛି । ଆଜି ଭାରତ ଗ୍ଲୋବାଲ୍ ସାଉଥ୍ ବା ଦକ୍ଷିଣ ବିଶ୍ୱର ଏକ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବରେ ସ୍ୱୀକୃତି ହାସଲ କରିଛି । ଭାରତର ଉଦ୍ୟମରେ ଆଫ୍ରିକୀୟ ସଂଘ ଜି-୨୦ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା । ଏହା ସମସ୍ତ ଆଫ୍ରିକୀୟ ଦେଶର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଡ଼ ସାବ୍ୟସ୍ତ ହୋଇଛି ।
ବନ୍ଧୁଗଣ, ନୂଆ ଭାରତର ଏହି ରୂପ ଆମକୁ ଗର୍ବ ଓ ଗୌରବରେ ଭରି ଦେଇଥାଏ, କିନ୍ତୁ ଏହା ସହିତ ୧୪୦ କୋଟି ଦେଶବାସୀଙ୍କୁ ନିଜ କର୍ତ୍ତବ୍ୟର ମଧ୍ୟ ଅନୁଭବ କରାଇଥାଏ । ଏବେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନକରି ଆମକୁ ବଡ଼ ଦାୟିତ୍ୱ ଓ ବଡ଼ ଲକ୍ଷ୍ୟ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ । ଆମର ନୂଆ ସ୍ୱପ୍ନ ଅଛି । ନିଜ ସ୍ୱପ୍ନକୁ ନିଜ ଜୀବନ ଭାବେ ଗ୍ରହଣ କରନ୍ତୁ ଏବଂ ସେହି ସ୍ୱପ୍ନକୁ ସାକାର କରିବା ଆରମ୍ଭ କରନ୍ତୁ । ଆମକୁ ଭାରତର ବିକାଶକୁ ଏକ ବିଶ୍ୱ ପରିପ୍ରେକ୍ଷୀରେ ଦେଖିବାକୁ ପଡ଼ିବ ଏବଂ ଏଥିପାଇଁ ଆମେ ଭାରତର ଅନ୍ତର୍ନିହିତ ସମ୍ଭାବନାକୁ ବୁଝିବା ଜରୁରି ।
ଆମକୁ ଭାରତର ଶକ୍ତିକୁ ସ୍ୱୀକାର ଏବଂ ସୁଦୃଢ଼ କରିବାକୁ ପଡ଼ିବ ଏବଂ ବିଶ୍ୱର ସ୍ୱାର୍ଥ ପାଇଁ ଏହାର ପୂର୍ଣ୍ଣ ଉପଯାଗ କରିବାକୁ ହେବ । ଆଜିର ବୈଶ୍ୱିକ ପରିସ୍ଥିତିରେ, ଏକ ଯୁବ ରାଷ୍ଟ୍ର ଭାବରେ ଭାରତର ସାମର୍ଥ୍ୟ ଆମ ପାଇଁ ଏକ ଏପରି ସୁଖଦ ସଂଯୋଗ, ଯେଉଁଠାରୁ ଆମକୁ ଆଉ ପଛକୁ ଫେରି ଦେଖିବାକୁ ପଡ଼ିବନାହିଁ ।
ଏକବିଂଶ ଶତାବ୍ଦୀର ବିଶ୍ୱ ଭାରତକୁ ବହୁତ ଆଶାର ସହ ଦେଖୁଛି । ଆହୁରି ବିଶ୍ୱ ପରିପ୍ରେକ୍ଷୀରେ ଆଗକୁ ବଢ଼ିବାକୁ ହେଲେ ଆମକୁ ଅନେକ ପରିବର୍ତ୍ତନ କରିବାକୁ ପଡ଼ିବ । ସଂସ୍କାରକୁ ନେଇ ଆମର ପାରମ୍ପରିକ ଚିନ୍ତାଧାରା ମଧ୍ୟ ଆମକୁ ବଦଳାଇବାକୁ ପଡ଼ିବ । ଭାରତ କେବଳ ସଂସ୍କାରକୁ ଆର୍ଥିକ ପରିବର୍ତ୍ତନରେ ସୀମିତ ରଖିପାରିବ ନାହିଁ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଦିଗରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ।
ଆମ ସଂସ୍କାର ମଧ୍ୟ ୨୦୪୭ର ବିକଶିତ ଭାରତ ସଂକଳ୍ପ ସହିତ ସମାନ ହେବା ଉଚିତ୍ । ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ସଂସ୍କାର କେବେ ବି କୌଣସି ଦେଶ ପାଇଁ ଏକ ଭିନ୍ନ ପ୍ରକ୍ରିୟା ହୋଇପାରିବ ନାହିଁ । ସେଥିପାଇଁ ମୁଁ ଦେଶ ନିମନ୍ତେ "ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର'ର ଲକ୍ଷ୍ୟ ରଖିଥିଲି । ସଂସ୍କାରର ଦାୟିତ୍ୱ ନେତୃତ୍ୱ ଉପରେ ରହିଛି । ସେହି ଆଧାରରେ ଆମ ଅମଲାତନ୍ତ୍ର କାର୍ଯ୍ୟ କରିଥାଏ ଏବଂ ତା'ପରେ ଯେତେବେଳେ ଜନସାଧାରଣ ଏଥିରେ ସାମିଲ ହୁଅନ୍ତି, ସେତେବେଳେ ଆମେ ପରିବର୍ତ୍ତନ ଘଟୁଥିବା ଦେଖିଥାଉ ।
ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ହେଲେ ଆମକୁ ଶ୍ରେଷ୍ଠତାକୁ ମୌଳିକ ଭାବନା ରୂପେ ଗ୍ରହଣ କରିବାକୁ ପଡିବ । ଆମକୁ ସ୍ପିଡ୍, ସ୍କେଲ୍, ସ୍କୋପ୍ ଓ ଷ୍ଟାଣ୍ଡାର୍ଡ ଅର୍ଥାତ୍ ଗତି, ବ୍ୟାପକତା, ସେୁଯାଗ ଓ ମାନ, ଏସବୁ ଦିଗରେ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ । ଆମକୁ ଉତ୍ପାଦନ ସହିତ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ, ଆମକୁ ତ୍ରୁଟିଶୂନ୍ୟ-ପ୍ରଭାବଶୂନ୍ୟ ବା ‘ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ’ ମନ୍ତ୍ର ଗ୍ରହଣ କରିବାକୁ ପଡ଼ିବ । ସାଥୀମାନେ, ଆମେ ପ୍ରତି ମୁହୂର୍ତ୍ତରେ ଗର୍ବ କରିବା ଉଚିତ ଯେ ଭଗବାନ ଆମକୁ ଭାରତ ମାଟିରେ ଜନ୍ମ ଦେଇଛନ୍ତି ।
ଭାରତର ସେବା କରିବା ଏବଂ ଏହାର ଶିଖର ଯାତ୍ରାରେ ଆମର ଭୂମିକା ନିର୍ବାହ କରିବାକୁ ଭଗବାନ ଆମକୁ ଚୟନ କରିଛନ୍ତି । ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ ସ୍ୱରୂପରେ ଗ୍ରହଣ କରି ଆମକୁ ଆମ ଐତିହ୍ୟକୁ ଆଧୁନିକ ଢଙ୍ଗରେ ପୁନଃ ପରିଭାଷିତ କରିବାକୁ ପଡ଼ିବ । ଏକ ରାଷ୍ଟ୍ର ଭାବରେ ଆମକୁ ପୁରୁଣା ଚିନ୍ତାଧାରା ଏବଂ ମାନ୍ୟତାକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ । ସମାଜକୁ ପେସାଦାର ନିରାଶାବାଦୀଙ୍କ ଚାପରୁ ମୁକ୍ତ କରିବାକୁ ହେବ ।
ଆମକୁ ମନେ ରଖିବାକୁ ହେବ ଯେ, ନକାରାତ୍ମକତାରୁ ମୁକ୍ତି ହିଁ ସଫଳତାର ସିଦ୍ଧିରେ ପହଞ୍ଚିବା ପାଇଁ ପ୍ରଥମ ପୁଞ୍ଜି । ସକାରାତ୍ମକତାର କୋଳରେ ହିଁ ସଫଳତା ମିଳିଥାଏ । ଭାରତର ଅସୀମ ଓ ଅମର ଶକ୍ତି ପ୍ରତି ମୋର ଆସ୍ଥା, ଶ୍ରଦ୍ଧା ଓ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ମୁଁ ଗତ ୧୦ ବର୍ଷ ମଧ୍ୟରେ ଭାରତର ଏହି ସାମର୍ଥ୍ୟକୁ ଅଧିକ ବୃଦ୍ଧି ପାଉଥିବା ଦେଖିଛି ଏବଂ ଏହାକୁ ଅଧିକ ଅନୁଭବ କରିଛି ।
ଆମେ ଯେପରି ବିଂଶ ଶତାବ୍ଦୀର ଚତୁର୍ଥ-ପଞ୍ଚମ ଦଶନ୍ଧିକୁ ସ୍ୱାଧୀନତା ପାଇଁ ବ୍ୟବହାର କରିଥିଲୁ, ଠିକ୍ ସେହିଭଳି ଏକବିଂଶ ଶତାବ୍ଦୀର ଏହି ୨୫ ବର୍ଷରେ ଆମକୁ ଏକ ବିକଶିତ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ । ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ଆଗରେ ବଳିଦାନର ସମୟ ଆସିଥିଲା । ଆଜି ବଳିଦାନର ସମୟ ନୁହେଁ ବରଂ ନିରନ୍ତର ଯୋଗଦାନର ସମୟ ।
ସ୍ୱାମୀ ବିବେକାନନ୍ଦ ୧୮୯୭ରେ କହିଥିଲେ ଯେ ଆମକୁ ଆଗାମୀ ୫୦ ବର୍ଷ କେବଳ ଦେଶ ପାଇଁ ସମର୍ପିତ କରିବାକୁ ପଡିବ । ତାଙ୍କ ଆହ୍ୱାନର ଠିକ୍ ୫୦ ବର୍ଷ ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା । ଆଜି ଆମ ପାଖରେ ଏଭଳି ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତୁ ଆଗାମୀ ୨୫ ବର୍ଷ କେବଳ ଦେଶ ପାଇଁ ନିଜକୁ ସମର୍ପିତ କରିବା । ଆମର ଏହି ପ୍ରୟାସ ଆଗାମୀ ପିଢ଼ି ଏବଂ ଆଗାମୀ ଶତାବ୍ଦୀ ପାଇଁ ନୂତନ ଭାରତର ଏକ ମଜଭୁତ ଭିତ୍ତିଭୂମି ଭାବରେ ଅମର ହୋଇ ରହିବ । ଦେଶର ଶକ୍ତିକୁ ଦେଖି ମୁଁ କହିପାରିବି ଯେ ଏହି ଲକ୍ଷ୍ୟ ଅଧିକ ଦୂରରେ ନାହିଁ । ଆସନ୍ତୁ ତୁରନ୍ତ ପଦକ୍ଷେପ ନେବା... ଆସନ୍ତୁ ମିଳିମିଶି ଆଗକୁ ବଢ଼ିବା, ଭାରତକୁ ବିକଶିତ କରିବା ।
(କନ୍ୟାକୁମାରୀରୁ ଦିଲ୍ଲୀ ବିମାନରେ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧ ଅପରାହ୍ନ ୪ଟା ୧୫ରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି ଆଲେଖ୍ୟ ଲେଖିଥିଲେ ।