ଭୁବନେଶ୍ୱର,୧୩/୧୧: ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ବଡ଼ ଖବର । ନବବର୍ଷରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ସେଥିପାଇଁ ନଭେମ୍ୱର ମାସ ସୁଦ୍ଧା ଇ- କେୱାଇସି ଯାଞ୍ଚ ସରିବ । ଆବେଦନକାରୀଙ୍କ ମଧ୍ୟରୁ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଇ-କେୱାଇସି ପଞ୍ଜୀକରଣ ସରିବା ପରେ ଖାଉଟିଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯିବ । ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେୱାଇସି ପଞ୍ଜୀକାରଣ ହେବ । ଏହି ପ୍ରକ୍ରିୟା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଯିବ । କେବଳ ଯୋଗ୍ୟ ଖାଉଟିଙ୍କୁ ବଛାଯାଇ ସେମାନଙ୍କୁ ନୂଆ ରାସନ କାର୍ଡ ମିଳିବ । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କର ଯାଞ୍ଚ୍ କରାଯାଇ ସ୍ୱତନ୍ତ୍ର ଟିମ୍ ଘର ଘର ବୁଲି ସମ୍ପୃକ୍ତ ବ୍ୟକ୍ତି କାହିଁକି ଇ-କେୱାଇସି କରିନାହାନ୍ତି ତାକୁ ଅନୁଧ୍ୟାନ କରିବେ ।
ମୃତ୍ୟୁ ପରେ ବି ବହୁ ହିତାଧିକାରୀଙ୍କ ନାମରେ କାର୍ଡ ରହିଛି । ଯାହାକୁ ଭୂତ କାର୍ଡ କୁହାଯାଉଛି । ଏହି କାର୍ଡରେ ଆସୁଥିବା ରାସନ୍ ବାଟମାରଣା ହେଉଛି । ସେଗୁଡିକୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଏବେ କାଟି ଦିଆଯାଉଛି । ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପରେ ଖାଲି ପଡୁଥିବା ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବ । ସେମାନଙ୍କୁ ନୂଆ ରାସନ୍ କାର୍ଡ ମିଳିବ । ପ୍ରତି କାର୍ଡରେ ଯୋଡ଼ା ହୋଇଥିବା ପରିବାରର ସମସ୍ତ ସଦସ୍ୟଙ୍କର ଆଧାରଯୁକ୍ତ ଇ-କେୱାଇସି କରାଯିବ । ଯାହା ଯୋଗାଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବ।