କଟକ,୧୪/୧୨: କଟକ ଐତିହାସିକ ବାଲିଯାତ୍ରା। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି। ଶୁକ୍ରବାରଠୁ ୮ଦିନ ଧରି ବାଲିଯାତ୍ରା ଅୟୋଜନ ହେବ। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଚଳିତବର୍ଷ ବାଲିଯାତ୍ରାରେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ। ଉଦ୍ଘାଟନୀ ସନ୍ଧ୍ୟାରେ ଏହି ଅନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡ଼ିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।
ଓଡ଼ିଶାରେ କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବା ଏହା ପ୍ରଥମ । ଅତିଥି ମାନେ ସିଲଭର ସିଟି ବୋଟ୍ କ୍ଲବ୍ ଠାରେ ପହଞ୍ଚିବା ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ଯିବେ । ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପ୍ୟାଭିଲିୟନ୍ ପରିଦର୍ଶନ କରିବେ ଏବଂ କଟକ ଇନ୍ କଟକ ବୁଲିବେ । ପରେ ଓରମାସ୍ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଗଣକବି ବୈଷ୍ଣବ ପାଣି ମଞ୍ଚ ଯାଇ ଉଦ୍ଘାଟନୀ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଯା’ଆସ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବାକୁ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଅତିଥିମାନଙ୍କୁ ବାଲିଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ।
ଚଳିତ ବର୍ଷ ପ୍ରାୟ ୨୫ ଶହ ଷ୍ଟଲ ବାଲିଯାତ୍ରାରେ ଲାଗିବ। କଟକ ଇନ କଟକରେ ହେବ ଫିଲ୍ମ ଫେଷ୍ଟିଭାଲ। ଏଥର କଟକ ରିଙ୍ଗ ରୋଡ଼ ଅବରୋଧ ମୁକ୍ତ ରହିବ । କ୍ଷୁଦ୍ର ବ୍ୟବସାୟୀ ମାନେ ନିର୍ଦ୍ଧାରିତ ସ୍ଥାନରେ ବସିବେ । ବାଲିଯାତ୍ରାରେ ଧୂଳି ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ । ଯାତ୍ରା ପଡିଆକୁ ବିଦ୍ୟୁତ ସଂଯୋଗ ହୋଇସାରିଛି।
ସେହିଭଳି ଓରମାସ ଷ୍ଟଲରେ ହେବ ପିଠା ମହୋତ୍ସବ। ଦେଶୀ ଏବଂ ବିଦେଶୀ ପିଠା, ମହୋତ୍ସବରେ ଉପଲବ୍ଧ ହେବ ।ଏଥିସହି ବାଲିଯାତ୍ରାରେ ଗୁଡ଼ି ମହୋତ୍ସବ, ଡ୍ରୋନ ସୋ, ୱାଟର ଗେମ ସହ ବଲିଉଡ ନାଇଟର ଆୟୋଜନ ହେବ । ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ହେବ । ଏଥର ବାଲିଯାତ୍ରାରେ ୩୮୫ ଅସ୍ଥାୟୀ ଶୌଚାଳୟ କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।