ମୁମ୍ୱାଇ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ୭ ଦିନ ବିତି ସାରିଛି। ମହାୟୁତି ଗଠବନ୍ଧନ ନିର୍ବାଚନରେ ଜୋରଦାର ବିଜୟ ହାସଲ କରିଛି। କିନ୍ତୁ ନୂଆ ସରକାରର ଗଠନର ତାରିଖ ଏବେସୁଦ୍ଧା ସ୍ଥିର ହୋଇ ପାରି ନାହିଁ। ପ୍ରଥମେ କୁହାଯାଉ ଥିଲା ଯେ,୨୬ ନଭେମ୍ୱର ସୁଦ୍ଧା ନୂଆ ସରକାର ଗଠନ ହୋଇଯିବ। ଏହାପରେ କିଛି ନେତା ୨ଡିସେମ୍ୱରକୁ ତାରିଖ କହିଲେ। ଏବେ ବିଜେପିର ଜଣେ ନେତା ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ୫ ଡିସେମ୍ୱରରେ ନୂଆ ସରକାର ଗଠନ ହେବ। ଏହି ନେତା ଏହା ବି କହିଛନ୍ତି ଦେବେନ୍ଦ୍ର ଫଡନବିସ୍ ଆଗାମୀ ମୁଖ୍ୟମନ୍ତ୍ରୀ ହେବାର ପ୍ରାର୍ଥୀଙ୍କ ଦୌଡ଼ରେ ସବୁଠୁ ଆଗରେ।
ମହାରାଷ୍ଟ୍ରରେ ୨୦ ନଭେମ୍ୱରରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କର ଶିବସେନା ଓ ଅଜିତ ପାୱାରଙ୍କର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଗଠବନ୍ଧନ ମହାୟୁପି ୨୮୮ମଧ୍ୟରୁ ୨୩୦ ଆସନ ଜିତି କ୍ଷମତା ବଜାୟ ରହିଛି। ବିଜେପି ୧୩୨ ଆସନ ଜିତି ସବୁଠୁ ବଡ଼ ପାର୍ଟି ହୋଇ ବାହାରିଛି , ସେପଟେ ଶିବସେନା ୫୭ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ୪୧ ଆସନ ଜିତିଛି। ହେଲେ , ୨୩ ନଭେମ୍ୱରରେ ନିର୍ବାଚନର ଘୋଷଣା ପରେ ମଧ୍ୟ ଏହି କଥା ଉପରେ କୌଣସି ନିଷ୍ପତ୍ତି ହୋଇ ନାହିଁ କି ମୁଖ୍ୟମନ୍ତ୍ରୀ କିଏ ହେବେ।
ସିନ୍ଦେ , ଫଡନବିସ୍ ଓ ପାୱାର ମହାରାଷ୍ଟ୍ରରେ ଆଗାମୀ ସରକାର ଗଠନକୁ ନେଇ ଚୁକ୍ତି ଉପରେ କଥାବାର୍ତ୍ତା କରିବାକୁ ଗୁରୁବାର ବିଳମ୍ୱିତ ରାତିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସତାରା ଜିଲ୍ଲାରେ ନିଜର ପୈତୃକ ଗାଁକୁ ଯିବା ପରେ , ଶୁକ୍ରବାର ହେବାକୁ ଥିବା ମହାୟୁତି ବୈଠକ ସ୍ଥଗିତ କରିଦିଆ ଯାଇଛି, ଯାହା ଏବେ ଏହା ସମ୍ଭବତଃ ରବିବାର ହେବ।
ବିଜେପି ନେତା ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି , ନୂଆ ସରକାରଙ୍କର ଶପଥ ଗ୍ରହଣ ୫ ଡିସେମ୍ୱରରେ ହେବ। ନେତା ଜଣଙ୍କ କହିଛନ୍ତି ପାର୍ଟିର ବରିଷ୍ଠ ନେତା ଫଡନବିସ୍ ମୁଖ୍ୟମନ୍ତ୍ରୀ ପଦର ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି।