ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେଡିକାଲ ଏଣ୍ଟ୍ରାନ୍ସ ପରିକ୍ଷା ନୀଟ-ୟୁଜୀ ୨୦୨୫ ପରୀକ୍ଷା ସମ୍ବନ୍ଧୀୟ ସନ୍ଦେହଜନକ ରିପୋର୍ଟ ଦାବି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମ ଆରମ୍ଭ କରିଛି। ଶନିବାର ନିଆଯାଇଥିବା ଏହି ପଦକ୍ଷେପ ପରୀକ୍ଷାର୍ଥୀମାନଙ୍କୁ ଜାଲିଆତି ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଅସାଧୁ ବ୍ୟକ୍ତିଙ୍କଠାରୁ ସୁରକ୍ଷା ଦେବାକୁ ଲକ୍ଷ୍ୟ ରଖିଛି। ଏନଟିଏ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରତାରଣାରେ ନ ଫସିବାକୁ ସତର୍କ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ଲାଟଫର୍ମ ମାଧ୍ୟମରେ ତିନି ପ୍ରକାରର ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ କରାଯାଇପାରିବ:
୧. ନୀଟ-ୟୁଜୀ ୨୦୨୫ ପ୍ରଶ୍ନପତ୍ରରେ ପ୍ରବେଶ ଦାବି କରୁଥିବା ଅନଧିକୃତ ଓ୍ୱେବସାଇଟ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟ।
୨. ପରୀକ୍ଷା ସମ୍ୱଦ୍ଧିୟ ପ୍ରଶ୍ନୋତ୍ତର ଯୋଗାଇବାକୁ ଦାବି କରୁଥିବା ବ୍ୟକ୍ତି।
୩. ଏନଟିଏ କିମ୍ବା ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଉଥିବା ଠକ।
ଏନଟିଏ ମହାନିର୍ଦ୍ଦେଶକ ପ୍ରଦୀପ ସିଂ ଖାରୋଲା କହିଛନ୍ତି ଯେ, ଏହି ରିପୋର୍ଟିଂ ଫର୍ମ ବ୍ୟବହାରକାରୀ-ଅନୁକୂଳ ଏବଂ ଅଭିଯୋଗକାରୀଙ୍କୁ ସବିଶେଷ ତଥ୍ୟ ବର୍ଣ୍ଣନା କରିବାରେ ସାହାଯ୍ୟ କରିବ। ଆସନ୍ତା ୫ ମଇ ୨୦୨୫, ସନ୍ଧ୍ୟା ୫ଟା ଯାଏ ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ କରିବାର ଶେଷ ତାରିଖ ବୋଲି ସେ ସୂଚନା ଦେଇଛନ୍ତି।
ଏନଟିଏ ପରୀକ୍ଷାର୍ଥୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଏବଂ ଅଫିସିଆଲ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ସନ୍ଦେହଜନକ ଘଟଣା ଜଣାଇବାକୁ ଅନୁରୋଧ କରିଛି। ଏଜେନ୍ସି ସ୍ୱଚ୍ଛ ଏବଂ ନ୍ୟାୟପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟା ପାଇଁ ପ୍ରତିବଦ୍ଧ ବୋଲି ଦୋହରାଇଛି।
ନୀଟ-ୟୁଜୀ ୨୦୨୫ ପରୀକ୍ଷା ୪ ମଇ ୨୦୨୫ରେ ଅଫଲାଇନ ମୋଡରେ ଅନୁଷ୍ଠିତ ହେବ। ଏଡମିଟ କାର୍ଡ ୧ ମଇ ୨୦୨୫ ସୁଦ୍ଧା neet.nta.nic.in ରେ ଉପଲବ୍ଧ ହେବ। ଅଧିକ ସୂଚନା ପାଇଁ, ପରୀକ୍ଷାର୍ଥୀମାନେ ଏନଟିଏ ହେଲ୍ପଡେସ୍କକୁ ୦୧୧-୪୦୭୫୯୦୦୦ କିମ୍ବା ୦୧୧-୬୯୨୨୭୭୦୦ ନମ୍ବରରେ ଯୋଗାଯୋଗ କରିପାରିବେ କିମ୍ବା [email protected] ରେ ଇମେଲ ମଧ୍ୟ କରିପାରିବେ।