ନୂଆଦିଲ୍ଲୀ,୧୭/୦୮: ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ଏହାର ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀ ହେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଜେପି ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।"
ନଡ୍ଡା କହିଛନ୍ତି, "ଆମେ ବିରୋଧୀ ଦଳ ସହିତ ମଧ୍ୟ କଥା ହେବୁ। ଆମକୁ ସେମାନଙ୍କର ସମର୍ଥନ ମଧ୍ୟ ମିଳିବା ଉଚିତ ଯାହା ଦ୍ୱାରା ଆମେ ଏକାଠି ଉପରାଷ୍ଟ୍ରପତି ପଦ ପାଇଁ ଏକ ନିର୍ବିରୋଧୀ ନିର୍ବାଚନ ସୁନିଶ୍ଚିତ କରିପାରିବା। ଆମେ ପୂର୍ବରୁ କହିଥିଲୁ, ଆମେ ସେମାନଙ୍କ ସହିତ ଯୋଗାଯୋଗରେ ଅଛୁ ଏବଂ ଆମର ବରିଷ୍ଠ ନେତାମାନେ ପୂର୍ବରୁ ସେମାନଙ୍କ ସହିତ ଯୋଗାଯୋଗ କରିଛନ୍ତି ଏବଂ ଏବେ ମଧ୍ୟ ଆମେ ସେମାନଙ୍କ ସହିତ ଯୋଗାଯୋଗରେ ରହିବୁ ଏବଂ ଆମର ସମସ୍ତ ଏନଡିଏ ସହଯୋଗୀ ଆମକୁ ସମର୍ଥନ କରିଛନ୍ତି। ସିପି ରାଧାକୃଷ୍ଣନ୍ ହେଉଛନ୍ତି ଉପରାଷ୍ଟ୍ରପତି ପଦ ପାଇଁ ଆମର ଏନଡିଏ ପ୍ରାର୍ଥୀ।"
ସିପି ରାଧାକ୍ରିଷ୍ଣନ୍ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଛନ୍ତି। ସେ ତାମିଲନାଡୁର ବାସିନ୍ଦା ଏବଂ ତାମିଲନାଡୁ ବିଜେପି ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ସେ ଆରଏସଏସ ଏବଂ ଜନସଂଘର ସଦସ୍ୟ ମଧ୍ୟ ରହିସାରିଛନ୍ତି। ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ଏବଂ ତେଲେଙ୍ଗାନାର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ମଧ୍ୟ ନେଇଥିଲେ। ଏହା ବ୍ୟତୀତ ସେ ପୁଡୁଚେରୀର ଉପରାଜ୍ୟପାଳ ମଧ୍ୟ ରହିସାରିଛନ୍ତି।
ସିପି ରାଧାକୃଷ୍ଣନ୍ କୋଏମ୍ବାଟୁର (ତାମିଲନାଡୁ)ରୁ ଲୋକସଭା ସାଂସଦ ରହି ସାରିଛନ୍ତି ଏବଂ ବିଜେପିର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଅଛନ୍ତି। ୧୬ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଜନସଂଘରେ ଯୋଗ ଦେଇଥିଲେ। ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁ ଏବଂ କେରଳରେ ବିଜେପିକୁ ମଜବୁତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ଅର୍ଥାତ୍ ସିପି ରାଧାକ୍ରିଷ୍ଣନ କୋଏମ୍ବାଟୁରରୁ ଦୁଇଥର (୧୯୯୮ ଏବଂ ୧୯୯୯)ରେ ସାଂସଦ ରହିସାରିଛନ୍ତି। ତାଙ୍କର ଜନ୍ମ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ହୋଇଥିଲା। ସେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିଲେ ଏବଂ ବର୍ତ୍ତମାନ (୩୧ ଜୁଲାଇ ୨୦୨୪ ରୁ ଏପର୍ଯ୍ୟନ୍ତ) ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି। ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ମଧ୍ୟ ଥିଲେ। ସେ ୧୮ ଫେବୃଆରୀ ୨୦୨୩ ରୁ ୩୦ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ସିପି ରାଧାକୃଷ୍ଣନ୍ ୧୯୭୩ ମସିହାରେ ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ। ୧୯୭୪ ମସିହାରେ ସେ ଭାରତୀୟ ଜନସଂଘର ତାମିଲନାଡୁ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇଥିଲେ। ୧୯୯୬ ମସିହାରେ ତାଙ୍କୁ ତାମିଲନାଡୁ ବିଜେପିର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।