ଶ୍ରୀନଗର,୧୭/୦୮: ଭୂସ୍ୱର୍ଗ ଉପରେ କୋପ କରିଛି ପ୍ରକୃତି । ଜମ୍ମୁକାଶ୍ମୀର କିସ୍ତୱାଡ଼ ପରେ କାଠୁଆ ଜିଲ୍ଲାରେ କାଳ ହୋଇ ବର୍ଷିଛି ବାଦଲ । କିସ୍ତୱାଡ଼ା ପ୍ରଳୟରେ ଏବେ ବି ଜୀବନ ଖୋଜା ଚାଲିଛି । ଏହାରି ଭିତରେ କାଠୁଆ ଜିଲ୍ଲାରେ ବାଦଲଫଟା ବର୍ଷାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଆହତ ହୋଇଛନ୍ତି । ପ୍ରବଳ କ୍ଷୟକ୍ଷତି ହୋଇଛି । ମାଟି ତଳେ ପୋତି ହୋଇଯାଇଛି ଅନେକ ଘର ।
ସୂଚନାଅନୁସାରେ, କାଠୁଆ ସୋଫେନରେ ଥିବା ଗୁଜ୍ଜର କଲୋନୀ ଉପପେ ମାଟି ଅତଡ଼ା ଖସି ପଡିଛି । ଏଥିରେ ୪ଟି ଘର ପୋତି ହୋଇଯାଇଛି । ରାସ୍ତା ବନ୍ୟାଜଳରେ ଧୋଇ ହୋଇଯାଇଛି । ଶନିବାର ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଅଘଟଣ ଘଟିଛି । ବାଦଳଫଟା ବର୍ଷା ଯୋଗୁଁ କଠୁଆରେ ରେକର୍ଡ ବର୍ଷା ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୭ ଜଣଙ୍କର ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଠୁଆ ଥାନା ଅଞ୍ଚଳର ବାଗର, ଚଙ୍ଗଡା ଗ୍ରାମ ଏବଂ ଲଖନପୁର ଥାନା ଅଞ୍ଚଳର ଦିଲୱାନରେ ମଧ୍ୟ ଭୂସ୍ଖଳନ ହୋଇଛି ।
ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲୀ ପରେ ଗତ ଅଗଷ୍ଟ ୧୨ରେ ଜମ୍ମୁ-କାଶ୍ମୀରର କିସ୍ତୱାଡରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଥିଲା । ଏହି ପାହାଡ଼ିଆ ଅଞ୍ଚଳର ଚଶୋଟି ଗ୍ରାମ ମଚୈଲ ମାତା ଯାତ୍ରା ମାର୍ଗରେ ତାଣ୍ଡବ ରଚିଥିଲା ବାଦଲଫଟା ବର୍ଷା । ଅଚାନକ ଜଳପ୍ରଳୟ ଯୋଗୁ ପ୍ରାୟ ୬୫ ଜଣଙ୍କ ମୃତ୍ୟୁ ଘଟିଛି । ସମୟ ବଢ଼ିବା ସହ ମୃତ୍ୟୁସଂଖ୍ୟା ବି ବଢ଼ି ବଢି ଚାଲିଛି । ମୃତକଙ୍କ ମଧ୍ୟରେ ୨ଯବାନ ରହିଥିଲେ ।୧୦୦ଜଣ ଆହତ ହୋଇଛନ୍ତି । ଏବେ ବି ୨୦୦ରୁ ଅଧିକ ନିଖୋଜ ଅଛନ୍ତି । ଧରାଲି ପରେ କିସ୍ତୱାଡ଼ରେ ବାଦଲଫଟା ବର୍ଷା ଓ ବନ୍ୟା ସବୁ କିଛି ଛାରଖାର କରି ଦେଇଛି ।