ମୁମ୍ବାଇ ୨୦/୦୨ : ବଲିଉଡ ଗଳିରେ ଆଫେୟାର୍ସ ଗୁଜବ କିଛି ନୂଆ କଥା ନୁହେଁ । ଏହି ଧାରା ଶତାବ୍ଦୀ ପୁରୁଣା। ୫୦-୬୦ ଦଶକରେ ଆଫେୟାର୍ସ ସହିତ ଏକ୍ସଟ୍ରା ମ୍ୟାରିଟଲ୍ର ଚର୍ଚ୍ଚା ସାଧାରଣ କଥା ଥିଲା । ଏହି ତାଲିକାରେ ଏପରି ଜଣେ ଅଭିନେତା ଥିଲେ ରାଜ କପୁର, ଯାହାଙ୍କ ନାମ ଦୀର୍ଘ ଦିନ ଧରି ଜଣେ ଦିଗଜ ହସିନାଙ୍କ ସହ ଜଡିତ ଥିଲା।
ରାଜ କପୁର ମାତ୍ର ୨୨ ବର୍ଷ ବୟସରେ ବିବାହ କରିଥିଲେ। ସେ ୧୯୪୨ ମସିହାରେ କୃଷ୍ଣା ମଲହୋତ୍ରାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ୫ ଟି ସନ୍ତାନ ରଣଧିର କପୁର, ଋଷି କପୁର, ରାଜୀବ କପୁର ଏବଂ ଦୁଇ ଝିଅ ରିତୁ ନନ୍ଦା ଏବଂ ରିମା ଜୈନ। ତେବେ ବିବାହ ପରେ ରାଜଙ୍କ ନାମ ଅଭିନେତ୍ରୀ ନର୍ଗିସଙ୍କ ସହ ଜଡିତ ଥିଲା। ସେ ନର୍ଗିସଙ୍କ ସୌନ୍ଦର୍ଯ୍ୟର ଦିୱାନା ଥିଲେ। ସେତେବେଳେ ନର୍ଗିସ୍ ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ। ଫିଲ୍ମ ‘ଅନ୍ଦାଜ’ ସେଟରୁ ସେମାନଙ୍କର ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା । ରାଜ ଏବଂ ନର୍ଗିସ୍ ପ୍ରଥମ ଦେଖାରେ ପରସ୍ପରକୁ ମନେ ଦେଇ ବସିଥିଲେ।
ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନର୍ଗିସ୍ ଏବଂ ରାଜ କପୁରଙ୍କ ସମ୍ପର୍କ ୧୬ ବର୍ଷ ଧରି ଚାଲିଥିଲା। ରାଜଙ୍କ ପ୍ରେମରେ ନର୍ଗିସ୍ ଏତେ ଦିୱାନା ଥିଲେ ଯେ ସେ ଯେମିତି ବି ହେଉ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଅନ୍ୟପଟେ ରାଜ ନର୍ଗିସଙ୍କୁ ଭଲପାଉଥିଲେ ମଧ୍ୟ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହୁଁନଥିଲେ। ତେଣୁ ସେ ନର୍ଗିସଙ୍କୁ ବିବାହ କରିପାରୁନଥିଲେ।
ଅନ୍ୟପଟେ ରାଜ କପୁରଙ୍କ ପାଇଁ ନର୍ଗିସ୍ ସବୁ ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଥିଲେ। ସେ ସବୁଠୁ ବଡ ଆଇନଜୀବୀଙ୍କ ସହ ପରାମର୍ଶ କରିଥିଲେ। ଯେପରି ସେ ରାଜଙ୍କ ଦ୍ୱିତୀୟ ପତ୍ନୀ ହୋଇପାରିବେ। ଏପରିକି ସେ ତତ୍କାଳୀନ ଗୃହମନ୍ତ୍ରୀ ମୋରାର ଜୀ ଦେଶାଇଙ୍କୁ ସାହାଯ୍ୟ ମାଗିଥିଲେ। ଅଭିନେତ୍ରୀ ତାଙ୍କୁ ଦ୍ୱିତୀୟ ବିବାହ ପାଇଁ ଅନୁମତି ମାଗିଥିଲେ ମଧ୍ୟ କିଛି ହୋଇପାରିଲା ନାହିଁ। ସେ ଅନେକ ଦିନ ଧରି ରାଜଙ୍କୁ ଅପେକ୍ଷା କରି ରହିଲେ। ଏହା ପରେ ଅଭିନେତ୍ରୀ ତାଙ୍କ ଜୀବନରେ ଆଗକୁ ବଢିବାକୁ ସ୍ଥିର କଲେ ଏବଂ ପରେ ସୁନୀଲ ଦତ୍ତଙ୍କୁ ବିବାହ କଲେ ।