ପୁରୀ, ୭/୬ : ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ମକଡ୍ରିଲ୍ କରାଯାଇଛି। ଟାଉନ୍ ଥାନା ପରିସରର ସମନ୍ଵିତ ନିୟନ୍ତ୍ରଣ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଛନ୍ତି।
ସେ କହିଛନ୍ତି ଯେ, ଚଳିତ ସ୍ନାନଯାତ୍ରାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜନଗହଳି ଆଶା କରାଯାଉଛି। ତେଣୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକଡ୍ରିଲର ପରିକଳ୍ପନା କରାଯାଇଛି। ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ସମସ୍ତ ବିଭାଗ ତାଙ୍କର ଦାୟିତ୍ୱକୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି ମକଡ୍ରିଲ ବେଶ ସହାୟକ ହେବ ବୋଲି ସେ କହିଥିଲେ।
ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା , ଡିଆଇବି ଅତିରିକ୍ତ ଏସ ପି ଦେବୀ ପ୍ରସାଦ ପ୍ରତାପ, ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ, ଏନଡିଆରଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୌରବ ଜେନଗେଟ, ଏଡିଏମଓ ଡା ବିନୋଦ ରଥ, ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ, ଟ୍ରାଫିକ ଡିଏସପି ରାଜ କୁମାର ପରିଡା, ସହକାରୀ କଲେକ୍ଟର ପଞ୍ଚାନନ ପରିଜା ପ୍ରମୁଖ ଯୋଗ ଦେଇଥିଲେ। ମୁଣ୍ଡୁଳୀ ଏନଡିଆରଏଫ ଥାର୍ଡ ବାଟାଲିୟନର କାର୍ଯ୍ୟକର୍ତ୍ତା, ଓଡ୍ରାଫ, ଅଗ୍ନିଶମ, ସ୍ବାସ୍ଥ୍ୟ ବିଭା, ଅନ୍ୟାନ୍ୟ ବିଭାଗ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ମକଡ୍ରିଲ ପରିଚାଳନା କରିଥିଲେ।ସ୍ନାନଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା। ଜିଲ୍ଲା ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ, ଆଦିତ୍ୟ କୁମାର ବରାଳ, ରାମକୃଷ୍ଣ ବଡଜେନା, ରଞ୍ଜନ କୁମାର ବେହେରା, ଅଶୋକ କୁମାର ମଲ୍ଲିକ, ରୂପଶ୍ରୀ ପଣ୍ଡା, ସୁଶ୍ରୀ ସଂଗୀତା ମହାପାତ୍ର, ମମତା ବାରିକ,ସଞ୍ଜୟ ମହାପାତ୍ର, ସୁମନ ମହାପାତ୍ର, ବିଶ୍ବ ଭୂଷଣ ଦାଶ, ପ୍ରଭାକର ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।