ଧନବାଦ,୧୩।୧୧: ବିଜେପି ନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟମାର୍ ।ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଯାଇଥିବା ବେଳେ ମଞ୍ଚ ଉପରେ ତାଙ୍କ ପର୍ସ ଚୋରି ହୋଇଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି। ନିର୍ବାଚନ ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ତାଙ୍କ ପର୍ସ ଫେରାଇ ଦେବାକୁ ମଧ୍ୟ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି
ଉଲ୍ଲେଖନୀୟ ଯେ, ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଧନବାଦ ଜିଲ୍ଲା ନିରସା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ମିଥୁନ । ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ଅପର୍ଣ୍ଣା ସେନଗୁପ୍ତାଙ୍କ ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ଯୋଗ ଦେଇ ବିଜେପି ପାଇଁ ଭୋଟ ମାଗିବାକୁ ଆସିଥିଲେ ବିଜେପିର ଷ୍ଟାର ପ୍ରଚାରକ ମିଥୁନ। ତାଙ୍କୁ ଦେଖିବାକୁ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ମିଥୁନଙ୍କ ସହ ସେଲ୍ଫି ନେବା ପାଇଁ ମଧ୍ୟ ପ୍ରଶଂସକଙ୍କ ଲାଇନ ଲାଗିଥିଲା। ଏତେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିଲା। ଏହାର ସୁଯୋଗ ନେଇ କେହି ଭିଡ ଭିତରେ ଥାଇ ମିଥୁନଙ୍କ ପକେଟରୁ ପର୍ସ ଚୋରି କରିନେଇଥିଲା। ତେବେ ଜନସଭାରେ ସାମିଲ ହେବାକୁ ଯାଇଥିବାବେଳେ ସେ ନିଜ ପକେଟରୁ ପର୍ସ ଚୋରି ହୋଇଯାଇଥିବା ଜାଣିବାକୁ ପାରିଥିଲେ। ପକେଟମାର ହୋଇଥିବା ନେଇ ସେ ଅନ୍ୟ ବିଜେପି ନେତାଙ୍କୁ ମଧ୍ୟ ସୂଚନା ଦେଇଥିଲେ।
ଚୋରି ହୋଇଥିବା ପର୍ସରେ ମିଥୁନଙ୍କ ଅନେକ ଜରୁରୀ କାଗଜପତ୍ର ମଧ୍ୟ ଥିଲା। ମଞ୍ଚରୁ ଅନେକ ଅନୁରୋଧ କରିବା ପରେ ବି କେହି ତାଙ୍କ ପର୍ସ ଫେରାଇନଥିଲେ। ଭାଷଣ ଦେବାପରେ ସେଠାରୁ ମିଥୁନ ତୁରନ୍ତ ଫେରିଆସିଥିଲେ। ଉଲ୍ଲେଖନୀୟ ଯେ, ନିକଟରେ ମିଥୁନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ହେଲେ ରାଲିରେ ତାଙ୍କର ପକେଟ୍ମାର ହେବା ନିହାତି ପକ୍ଷେ ଚିନ୍ତାଜନକ କଥା।