ନୂଆଦିଲ୍ଲୀ: ମଣିପୁରରେ ଜାରି ରହିଥିବା ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୫ଟି ଜିଲ୍ଲାକୁ ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ଏବଂ AFSPA ଲାଗୁ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ମଣିପୁରରେ ସଦ୍ୟତମ ହିଂସା ଏବଂ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ, ଅକ୍ଟୋବର ୧, ୨୦୨୪ରେ, ଏହି ଅଂଚଳ ଗୁଡିକ AFSPA ର ବିଜ୍ଞପ୍ତିରୁ ଛଅ ମାସ ପାଇଁ ବାଦ ଦିଆଯାଇଥିଲା ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, ସେଠାରେ ଚାଲିଥିବା ଜାତି ହିଂସା ହେତୁ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଥାନା ଅଂଚଳ ଗୁଡିକରେ ପୁନର୍ବାର AFSPA ଲାଗୁ କରାଯାଇଛି, ସେଗୁଡ଼ିକ ହେଉଛି ଇମ୍ଫାଲ ପଶ୍ଚିମ ଜିଲ୍ଲାର ସେକମାଇ ଏବଂ ଲାମସାଙ୍ଗ, ଇମ୍ଫାଲ ପୂର୍ବ ଜିଲ୍ଲାର ଲାମଲାଇ, ଜିରିବାମ ଜିଲ୍ଲାର ଜିରିବାମ, କାଙ୍ଗପୋକପିରେ ଲେମାଖଙ୍ଗ ଏବଂ ବିଷ୍ଣୁପୁରର ମୋଇରଙ୍ଗ।
ମଣିପୁର ସରକାରଙ୍କ ପକ୍ଷରୁ ଅକ୍ଟୋବର ୧ ରେ AFSPA ଲାଗୁ କରିଥିବା ପୋଲିସ ଷ୍ଟେସନ ଗୁଡିକ ମଧ୍ୟରେ ଇମ୍ଫାଲ, ଲମ୍ଫାଲ ସିଟି, ସିଙ୍ଗଜାମାଇ, ସେକମାଇ, ଲାମସାଙ୍ଗ, ୱାଙ୍ଗୋଇ, ପୋରମ୍ପାଟ, ହେଙ୍ଗାଙ୍ଗ, ଲାମଲାଇ, ଇରିଲବଙ୍ଗ, ଲେମାଖଙ୍ଗ, ଥୋବାଲ, ବିଷ୍ଣୁପୁର, ନାମ୍ବୋଲ, ମୋଇରଙ୍ଗ, କାଚଚିଂ ଏବଂ ଜିରିବମ୍ ଅନ୍ତର୍ଭୁକ୍ତ ରହିଥିଲା ।
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଶସ୍ତ୍ର ଆତଙ୍କବାଦୀ ମାନେ ସୋମବାର ଦିନ ମଣିପୁରର ଜିରିବମ୍ ଜିଲ୍ଲାର ଏକ ପୋଲିସ୍ ଷ୍ଟେସନ ଏବଂ ନିକଟସ୍ଥ CRPF କ୍ୟାମ୍ପରେ ନିଆଁ ଲଗାଇ ଦେଇଛନ୍ତି। ଏହା ପରେ ସୁରକ୍ଷା ବାହିନୀ ଏକ ଏନକାଉଣ୍ଟରରେ ୧୧ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।