କଳାହାଣ୍ଡି, ୨୮/୧୦: ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ଚୋରି । ବିଳମ୍ୱିତ ରାତିରେ ମନ୍ଦିରରୁ ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ଏହି ଲୁଟ୍ ହୋଇଛି ।
ସୂଚନା ମୁତାବକ, ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ରବିବାର ବିଳମ୍ୱିତ ରାତିରେ ଚୋରି ହୋଇଥିଲା । ରବିବାର ରାତିର ଶେଷ ପୂଜା ପରେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ କମିଥିଲା । ପୂଜାରୀମାନେ ମଧ୍ୟ ନିଜ ନିଜ ଘରକୁ ଫେରି ଯାଇଥିଲେ । ଏହାର ଲାଭ ଉଠାଇ ରବିବାର ବିଳମ୍ୱିତ ରାତିରେ ଚୋରମାନେ ମନ୍ଦିରରେ ପଶିଥିଲେ । ମନ୍ଦିର ପରିସରରେ ସିସିଟିଭି ଲାଗିଥିବା ଦେଖି ସିସିଟିଭିର ତାର ଗୁଡ଼ିକୁ କାଟି ଦେଇଥିଲେ । ଏହା ପରେ ସାଇବାବାଙ୍କ ୧୭ କେଜିରୁ ଉର୍ଦ୍ଧ୍ୱ ଓଜନର ରୁପା ଅଳଙ୍କାର ଲୁଟି ନେଇଥିଲେ । ପରେ ସୋମବାର ସକାଳୁ ପୂଜାରୀ ଆସି ମନ୍ଦିରରୁ ଚୋରି ହେଇଥିବା ନେଇ ଜାଣିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରଙ୍କୁ ଖୋଜି ଘଟଣାର ତଦନ୍ତ ଚଳାଇଛି ।