ବାଲିଶଙ୍କରା, ୦୧/୦୮: ହଜିଗଲାଣି ମଣିଷତ୍ୱ । ମରିଗଲା ମାନବିକତା । ଦିନକୁ ଦିନ ନିଷ୍ଠୁର ହେଉଛି ସମାଜ । ଯୌନ ରାକ୍ଷସଙ୍କ କବଳରୁ ବର୍ତ୍ତି ପାରୁ ନାହାନ୍ତି କୁନି କୁନି ଝିଅ । ଗୋଟିଏ ପରେ ଗୋଟିଏ କେସ୍ ସାମ୍ନାକୁ ଆସୁଛି । ଯାହା ମାନବିକତା ଉପରେ ପ୍ରଶ୍ନ ଉଠାଉଛି । ଏମିତି ଗୋଟେ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ । ଏକ ବନ୍ଦ କୋଠରିରେ ଦୀର୍ଘ ୧୪ ଦିନ ଧରି ପଣବନ୍ଦୀ ରଖି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କଲା ଯୌନ ରାକ୍ଷସ । ମାରିଦେବାକୁ ଦେଇଥିଲା ଧମକ । ହେଲେ ଏସବୁ ଭିତରେ ସାହସ ଜୁଟାଇ କୌଶଳକ୍ରମେ ଖସି ଆସିଲେ ପୀଡ଼ିତା । ପୁଲିସ ଆଗରେ ବଖାଣିଲେ ଅଙ୍ଗେ ନିଭାଇଥିବା କରୁଣ କାହାଣୀ । ଆଉ ତା ପରେ ବନ୍ଧା ହୋଇଛି ଅଭିଯୁକ୍ତ । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବା କଥା, ଗତ ୧୬ ତାରିଖରେ ନାବାଳିକାଙ୍କୁ କୌଶଳକ୍ରମେ ଅପହରଣ କରି ନେଇଥିଲା ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତେ୍ୱ ଝିଅର ପତ୍ତା ମିଳି ନ ଥିଲା । ୧୭ ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ପୁଲିସ୍ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ମିଳି ନଥିଲା । ହଠାତ୍ ବୁଧବାର ରହସ୍ୟଜନକ ଭାବେ ନାବାଳିକା ଘରେ ପହଞ୍ଚିଥିଲେ । ଜଣେ ଯୁବକ ତାଙ୍କୁ ଅପହରଣ କରିନେଇ ଏକ ରୁଦ୍ଧ କୋଠରିରେ ରଖିଥିଲେ । ହତ୍ୟା ଧମକ ଦେଇ ବାରମ୍ବାର ବଳାତ୍କାର କରିଥିବା କହିଥିଲେ । ବନ୍ଦ କୋଠରିରୁ ବାହାରିବାକୁ ନାବାଳିକାକୁ ସୁଯୋଗ ମିଳୁ ନଥିଲା । ବୁଧବାର ଅଭିଯୁକ୍ତ ଘର କବାଟକୁ ବନ୍ଦ କରିବାକୁ ଭୁଲି ଯାଇ ବାହାରକୁ ପଳାଇଥିଲା । ଏହାର ସୁଯୋଗରେ ନାବାଳିକା ଜଣକ ଖସି ଆସିବାରେ ସକ୍ଷମ ହୋଇଥିବା କହିଥିଲେ । ଘରେ ପହଞ୍ଚିବା ପରେ ଶାରୀରିକ ଶୋଷଣର କାହାଣୀ କହିଥିଲେ । ଗୁରୁବାର ପୀଡ଼ିତାଙ୍କୁ ଧରି ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୁଲିସ୍ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ଅପରାହ୍ଣରେ ଅଭିଯୁକ୍ତକୁ ଉଠାଇ ଆଣି ଅଟକ ରଖିଛି । ଶୁକ୍ରବାର କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ସମ୍ପର୍କରେ ପୁଲିସ୍ କିଛି କହିବାକୁ ମନା କରିଦେଇଛି ।