ନୂଆଦିଲ୍ଲୀ: ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ବର୍ଷା ଏବଂ ବନ୍ୟା ତାଣ୍ଡବ ରଚିଛି । ଖାଇବର ପଖତୁନଖ୍ୱା ପ୍ରଦେଶରେ ବନ୍ୟା ସମୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏକ MI-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ମୌସୁମୀ ପ୍ରଭାବିତ ଉତ୍ତର ପାକିସ୍ତାନରେ ଉଦ୍ଧାର କାର୍ଯ୍ୟ କରୁଥିବା ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସେଠାକାର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁଥିରେ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।
ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର କହିଛନ୍ତି ଯେ, ଖରାପ ପାଗ ଯୋଗୁଁ ମହମ୍ମଦ ଜିଲ୍ଲାର ପାଣ୍ଡିଆଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଗଣ୍ଡାପୁର ଏକ ବିବୃତ୍ତିରେ କହିଛନ୍ତି, ‘ବାଜୌରର ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ରାଜ୍ୟ ସରକାରଙ୍କ ଏକ MI-17 ହେଲିକପ୍ଟର ମହମ୍ମଦ ଜିଲ୍ଲାର ପାଣ୍ଡିଆଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ପାଇଲଟଙ୍କ ସମେତ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।’
ପିଟିଆଇ ଅନୁଯାୟୀ, ଖାଇବର ପଖତୁନଖ୍ୱା ସରକାରଙ୍କ MI-17 ହେଲିକପ୍ଟରଟି ପେଶାୱରରୁ ବାଜୌର ଅଭିମୁଖେ ଉଡ଼ାଣ ଭରିଥିଲା । ଏହି ସମୟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣା ଖରାପ ପାଗ ପାଇଁ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଦ୍ଧାରକାରୀ ଅଧିକାରୀଙ୍କ ଏକ ଦଳ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।