କେବଳ ନାରୀ ହେବାର ଅପରାଧରେ ପୁରୁଷତାନ୍ତ୍ରିକ ସମାଜରେ ବହୁ ବଞ୍ଚନା ଓ ଅପମାନର ସ୍ୱୀକାର ହୋଇ, ସବୁ ବାଧାବିଘ୍ନକୁ ଅତିକ୍ରମ କରି ନିରଳସ ସାଧନା ଓ ସୃଜନଶୀଳ ପ୍ରତିଭା ବଳରେ ବିଜ୍ଞାନର ଇତିହାସରେ ନିଜର ନାମ ଲିପିବଦ୍ଧ କରିବାରେ ସେ ଯେପରି ସଫଳ ହୋଇଥିଲେ ତାହା ଯେକୌଣସି ଛାତ୍ରୀ, ଗବେଷିକା ଓ ଅଧ୍ୟାପିକାଙ୍କ ପାଇଁ ପ୍ରେରଣାର ସ୍ରୋତ । ସେ ହେଉଛନ୍ତି ବିଂଶ ଶତାବ୍ଦୀର ଜର୍ମାନ ଗଣିତଜ୍ଞ ଏମି ନୋଏଦର ।
ଇତିହାସ ସଚେତନ ଜନସାଧାରଣ ୧୯୧୫ ମସିହାକୁ ପ୍ରଥମ ବିଶ୍ୱଯୁଦ୍ଧର ସମୟକାଳ ଭାବେ ମନେ ରଖିଛନ୍ତି । ଆଉ ପଦାର୍ଥବିଜ୍ଞାନ ନେଇ ଚର୍ଚ୍ଚା କରୁଥିବା ବ୍ୟକ୍ତିମାନଙ୍କ ନିକଟରେ ଏହା "ସୁନ୍ଦରତମ ତତ୍ତ୍ୱ'ର ସୃଷ୍ଟି ବର୍ଷ ଭାବେ ପରିଚିତ । ସେହି ବର୍ଷ ପ୍ରକାଶ ପାଇଥିଲା ଏହି ଯୁଗାନ୍ତକାରୀ ତତ୍ତ୍ୱ ଆଇନଷ୍ଟାଇନଙ୍କ "ବ୍ୟାପକ ଆପେକ୍ଷିକତାବାଦ' । ଏହାର ଦଶବର୍ଷ ପୂର୍ବେ ୧୯୦୫ ମସିହାରେ ଆଇନଷ୍ଟାଇନଙ୍କ "ବିଶେଷ ଆପେକ୍ଷିକତା ତତ୍ତ୍ୱ' ଓ ସେଥିରୁ ଶକ୍ତି ଓ ବସ୍ତୁତ୍ୱର ତୁଲ୍ୟମୂଲ୍ୟ ସମୀକରଣ (E= mc2) ପ୍ରକାଶ ପାଇଥିଲା । ବସ୍ତୁତ୍ୱରୁ ଶକ୍ତି ରୂପାନ୍ତରଣର ଏହି ବିକ୍ରିୟା ପରମାଣୁ ବୋମା ଓ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ମୂଳ ନୀତି । ଆଉ "ବ୍ୟାପକ ଆପେକ୍ଷିକତା ତତ୍ତ୍ୱ'ର ମୌଳିକ ଧାରଣାରେ ସ୍ଥାନ ଓ କାଳ ବିଚ୍ଛିନ୍ନ ନୁହେଁ, ଏହାର ଅବିଚ୍ଛିନ୍ନ ଅସ୍ତିତ୍ୱ ସ୍ଥାନକାଳ, ଯାହା ଶକ୍ତି ଓ ବସ୍ତୁତ୍ୱକୁ ଧାରଣ କରିଥାଏ । ଭାରୀ ବସ୍ତୁ ତା'ର ଚାରିପାଖର ସ୍ଥାନକାଳକୁ ମୋଡ଼ି କରିଥାଏ ବକ୍ର । ଏହି ସ୍ଥାନକାଳର ବକ୍ରତା "ମହାକର୍ଷ'ର ପରିଚୟ ଓ ପରିମାପ । "ଆପେକ୍ଷିକତା ତତ୍ତ୍ୱ' ନେଇ ଅଧିକ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଜର୍ମାନୀର ଗାଟିଂଗେନ ବିଶ୍ୱବିଦ୍ୟାଳୟର ଦୁଇଜଣ ଗଣିତଜ୍ଞ ଡେଭିଡ ହିଲବର୍ଟ ଓ ଫେଲିକ୍ସ କ୍ଲିନ । ସ୍ଥାନକାଳର ବକ୍ରତାର ଅଙ୍କ କଷିବାକୁ ଯାଇ ସେମାନେ ଦେଖିଲେ "ଶକ୍ତି ସଂରକ୍ଷଣ ସୂତ୍ର'ର ବ୍ୟତିକ୍ରମ ହେଉଛି । ଅର୍ଥାତ୍ ଶକ୍ତିର ସୃଷ୍ଟି ବା ବିନାଶ ହେଉଛି, ଯାହା ହେବା କଥା ନୁହେଁ ।
ଏହି ସଂଶୟର ନିରସନ ପାଇଁ ସେମାନେ ଯେଉଁ ନାରୀ ଗଣିତଜ୍ଞଙ୍କର ସହାୟତା ନେଇଥିଲେ, ତାଙ୍କ ଜୀବନ କାହାଣୀ ସହିତ ପରିଚିତ କରାଇବା ଏହି ରଚନାର ଅଭିପ୍ରାୟ । ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗଣିତଜ୍ଞମାନଙ୍କ ମଧ୍ୟରୁ ଜଣେ । କେବଳ ନାରୀ ହେବାର ଅପରାଧରେ ପୁରୁଷତାନ୍ତ୍ରିକ ସମାଜରେ ବହୁ ବଞ୍ଚନା ଓ ଅପମାନର ସ୍ୱୀକାର ହୋଇ, ସବୁ ବାଧାବିଘ୍ନକୁ ଅତିକ୍ରମ କରି ନିରଳସ ସାଧନା ଓ ସୃଜନଶୀଳ ପ୍ରତିଭା ବଳରେ ବିଜ୍ଞାନର ଇତିହାସରେ ନିଜର ନାମ ଲିପିବଦ୍ଧ କରିବାରେ ସେ ଯେପରି ସଫଳ ହୋଇଥିଲେ ତାହା ଯେକୌଣସି ଛାତ୍ରୀ, ଗବେଷିକା ଓ ଅଧ୍ୟାପିକାଙ୍କ ପାଇଁ ପ୍ରେରଣାର ସ୍ରୋତ । ସେ ହେଉଛନ୍ତି ବିଂଶ ଶତାବ୍ଦୀର ଜର୍ମାନ ଗଣିତଜ୍ଞ ଏମି ନୋଏଦର (୧୮୮୨-୧୯୩୫) ।
ହିଲବର୍ଟ ଓ କ୍ଲିନ ଯେ ସମୟରେ ଏମିଙ୍କ ସହଯୋଗ ଲାଡ଼ିଥିଲେ, ସେତେବେଳେ ଏମି ଗଣିତରେ ପିଏଇଚଡି ଉପାଧି ପ୍ରାପ୍ତ, ମାତ୍ର କୌଣସି ଚାକିରି କରୁନଥିଲେ । ଜର୍ମାନୀର ଏୟାରଲାଗନେ ବିଶ୍ୱବିଦ୍ୟାଳୟରେ ତାଙ୍କର ଗଣିତଜ୍ଞ ପିତା ମ୍ୟାକ୍ସ ନୋଏଦରଙ୍କୁ ଗବେଷଣାରେ ସାହାଯ୍ୟ କରିବା ସହିତ ନିଜେ କିଛି କିଛି କାର୍ଯ୍ୟ କରୁଥିଲେ । ଏମି ଅଙ୍କ କଷି ପ୍ରମାଣ କରିଦେଲେ– କ୍ଷୁଦ୍ର ପରିସରରେ ଶକ୍ତିର ସୃଷ୍ଟି ବା ବିନାଶ ହେଉଛି ବୋଲି ପ୍ରତୀୟମାନ ହେଲେ ମଧ୍ୟ ବୃହତ୍ତର କ୍ଷେତ୍ରରେ ବା ସାର୍ବିକଭାବରେ ତାହା ଅପରିବର୍ତ୍ତିତ ରହୁଛି । ଅର୍ଥାତ୍ ଶକ୍ତି ସଂରକ୍ଷଣ ସୂତ୍ରର କୌଣସି ବ୍ୟତିକ୍ରମ ହେଉନାହିଁ । କିଛି ବର୍ଷ ପରେ ୧୯୧୮ ମସିହାରେ ଏମି "ଶକ୍ତି ସଂରକ୍ଷଣ' ସମ୍ପର୍କିତ ଆଉ ଏକ ତତ୍ତ୍ୱ ପ୍ରମାଣ କଲେ । ଏହା ତାତ୍ତ୍ୱିକ ପଦାର୍ଥବିଜ୍ଞାନରେ "ନୋଏଦରସ୍ ଥିଓରେମ' ନାମରେ ପରିଚିତ । ଏହି ତତ୍ତ୍ୱ "ବ୍ୟାପକ ଆପେକ୍ଷିକତାବାଦ' ଓ "କଣିକା ପଦାର୍ଥବିଜ୍ଞାନ'ର କେତେଗୋଟି ମୌଳିକ ଧାରଣାକୁ ପ୍ରତିଷ୍ଠିତ କରିପାରିଥିଲା । ଏମିଙ୍କର ଏହି ଦୁଇଟି କାର୍ଯ୍ୟ ହିଁ ତାଙ୍କର ଗଣିତ ପ୍ରତିଭାର ପ୍ରମାଣ ପାଇଁ ଯଥେଷ୍ଟ ।
ଗଣିତଜ୍ଞ ପିତାଙ୍କର ଏପରି ପ୍ରତିଭାମୟୀ କନ୍ୟା ଜଣକ ଯେତେବେଳେ ଏୟାରଲାଗନେ ବିଶ୍ୱବିଦ୍ୟାଳୟରେ ଗଣିତ ପଢ଼ିବାକୁ ଇଚ୍ଛା କରିଥିଲେ, ସେତେବେଳେ ସେଠି ଝିଅମାନଙ୍କର ପୂର୍ଣ୍ଣ ଶିକ୍ଷାର୍ଥୀ ହେବାର ଅଧିକାର ନଥିଲା, ସେମାନଙ୍କର କେବଳ ଅଡିଟ୍ ବା ନିରୀକ୍ଷଣର ଅଧିକାର ଥିଲା । ଅର୍ଥାତ୍ ସେମାନେ ଶ୍ରେଣୀକକ୍ଷରେ ବସିବେ, ନୋଟ ନେବେ, କୌଣସି ପ୍ରଜେକ୍ଟ କରିବାକୁ ଦିଆଗଲେ କରିବେ, ଅଥଚ ପରୀକ୍ଷା ଦେଇ ଗ୍ରେଡ ପାଇବେ ନାହିଁ । ତେଣୁ ଏମି ଥିଲେ ଅଧା ଛାତ୍ରୀ । ୧୯୦୪ରେ ଏହି ନିୟମ ବଦଳିବା ପରେ ଏମି ବିଶ୍ୱବିଦ୍ୟାଳୟର ଡିଗ୍ରୀ ପାଇଲେ ଓ ୧୯୦୭ରେ ମାତ୍ର ୨୫ ବର୍ଷ ବୟସରେ ପିଏଇଚ୍ଡି ଡିଗ୍ରୀ ମଧ୍ୟ ପାଇଲେ । ମାତ୍ର ଜର୍ମାନୀରେ ସେଯାଏଁ ମହିଳାମାନଙ୍କ ପାଇଁ ଅଧ୍ୟାପନା ବୃତ୍ତିରେ ପ୍ରବେଶ ଅଧିକାର ନଥିଲା । ତେଣୁ ନିରୁପାୟ ଏମି ବିନା ବେତନରେ ତାଙ୍କ ପିତାଙ୍କ ସହ କାର୍ଯ୍ୟ କଲେ, ଯେଉଠୁଁ ତାଙ୍କୁ ଡାକିଥିଲେ ତାଙ୍କର ପୂର୍ବ ଦୁଇଜଣ ଶିକ୍ଷକ ହିଲବର୍ଟ ଓ କ୍ଲିନ । "ଶକ୍ତି ସଂରକ୍ଷଣ ସମସ୍ୟା'ର ସମାଧାନ ପରେ ତାଙ୍କର ଏହି ଶିକ୍ଷକ ଦୁହେଁ ଚାହିଁଲେ ଏମି ଯେମିତି ଗାଟିଂଗେନ ବିଶ୍ୱବିଦ୍ୟାଳୟରେ ଚାକିରି କରନ୍ତୁ, ତାଙ୍କର ପ୍ରତିଭା ବିକଶିତ ହେଉ, ସେମାନଙ୍କର ଗବେଷଣାରେ ମଧ୍ୟ ସୁବିଧା ହେଉ । ମାତ୍ର ଏଥିରେ ବିରୋଧ ହେଲା । ଯୁକ୍ତି କରାଗଲା, ପୁରୁଷଛାତ୍ରମାନେ ଯେବେ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଆସି ଦେଖିବେ ଜଣେ ମହିଳା ସେମାନଙ୍କୁ ପଢ଼ାଉଛନ୍ତି, ସେମାନଙ୍କର ପଢ଼ାରେ ମନ ଲାଗିବ ନାହିଁ । ତେବେ ସେହି ସମୟରେ ପୁରୁଷତାନ୍ତ୍ରିକ ମାନସିକତାରୁ ଊଦ୍ଧ୍ୱର୍କୁ ଯାଇ କେତେଜଣ ପୁରୁଷ ଏମିଙ୍କ ପାଇଁ ଲଢ଼ିଥିଲେ ଓ ଏମି ସେଠାରେ ୧୯୧୯ରେ ଚାକିରିରେ ଯୋଗଦେଲେ ।
ଯଥାରୀତି ପଦଟି ହେଲା ଅବୈତନିକ । ଏବେର ଭାଷାରେ ସ୍ୱେଚ୍ଛାସେବା ବା ସ୍ୱେଚ୍ଛାଶ୍ରମ । ତେବେ ଏମି ସ୍ୱାଧୀନ ଭାବରେ ଗବେଷଣା ଓ ଛାତ୍ର ପଢ଼ାଇବାର ସୁଯୋଗ ପାଇଲେ । ଏମିଙ୍କ ଏକାଗ୍ରତା ଓ ସହିଷ୍ଣୁ ମନୋଭାବରେ ପରାସ୍ତ ହୋଇ ତିନିବର୍ଷ ପରେ କର୍ତ୍ତୃପକ୍ଷ ତାଙ୍କ ପାଇଁ ସାମାନ୍ୟ ବେତନର ବ୍ୟବସ୍ଥା କଲେ । ଅର୍ଥାତ୍ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଏମି ଅଧା-ଛାତ୍ରୀରୁ ପୂରା ଛାତ୍ରୀ, ସହାୟକରୁ ସ୍ୱାଧୀନ ଗବେଷକ ଓ ଶେଷରେ ବେତନପ୍ରାପ୍ତ କର୍ମଚାରୀରେ ଉତ୍ତୀର୍ଣ୍ଣ ହେଲେ । ଇତିହାସ ପୃଷ୍ଠାରେ ତାଙ୍କର ନାମ ସାମାଜିକ ରକ୍ଷଣଶୀଳ ମାନସିକତାର ଶିକୁଳି ଭଙ୍ଗର ସାକ୍ଷୀ ଓ କାରଣ ହୋଇ ରହିଗଲା ।
‘ଜେନେରାଲ ଥିଓରି ଅଫ୍ ଆଇଡିଆଲ୍ସ' ଇତ୍ୟାଦି ଗଣିତର ବିଭିନ୍ନ କ୍ଷେତ୍ରରେ ଏମି ମୌଳିକ ଗବେଷଣା କରିଛନ୍ତି । ପରବର୍ତ୍ତୀ ସମୟରେ ହେଲମୁଟ ହେସ ଓ ରିଚାର୍ଡ ବ୍ରୟେରଙ୍କ ସହିତ ମିଶି "ଏବଷ୍ଟ୍ରାକ୍ଟ ବୀଜଗଣିତ' ଉପରେ ଗବେଷଣା କରିଛନ୍ତି । ଗବେଷଣା ସହିତ ଗଣିତର ଗୋଟିଏ ଜର୍ଣ୍ଣାଲର ସମ୍ପାଦନା କାର୍ଯ୍ୟ ମଧ୍ୟ ସେ କରିଛନ୍ତି । ଶିକ୍ଷକ ଭାବରେ ମଧ୍ୟ ଏମି ଅତ୍ୟନ୍ତ ଜନପ୍ରିୟ ଥିଲେ । ଛାତ୍ରମାନଙ୍କର ଗୋଟିଏ ଦଳ ଏମିଙ୍କର ଏପରି ଅନୁରାଗୀ ଥିଲେ ଯେ, ସେହି ଦଳକୁ "ନୋଏଦରଙ୍କ ବାଳକ' କୁହାଯାଉଥିଲା ।
ତାଙ୍କ ଶିକ୍ଷଣ ପଦ୍ଧତିରେ ଏମିତି ଏକ ଅଭିନବତ୍ୱ ଥିଲା, ଯାହା ଛାତ୍ରମାନଙ୍କର ନିଜସ୍ୱ ଭାବନା ପ୍ରକାଶରେ ସହାୟ ହେଉଥିଲା । ଏମିଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କ ଛାତ୍ରମାନଙ୍କର କାର୍ଯ୍ୟର ଅଂଶ ହୋଇଯାଇଛି । ଅର୍ଥ ନୁହେଁ, ଖ୍ୟାତି ନୁହେଁ ସୃଷ୍ଟିର ଆନନ୍ଦରେ ସେ ଗବେଷଣା ଓ ଶିକ୍ଷକତା କରୁଥିଲେ । ୧୯୩୦ରୁ ୧୯୩୩ ସମୟଖଣ୍ଡରେ "ଇଉନିଭାର୍ଷିଟି ଅଫ୍ ଗାଟିଂଗେନ'ରେ ଗଣିତ ଗବେଷଣାର କେନ୍ଦ୍ରବିନ୍ଦୁ ଥିଲେ ଏମି ନୋଏଦର ।
ଏହାପରେ ଜର୍ମାନିରେ ଆସିଲା ଇତିହାସର ସେହି ଅନ୍ୟତମ କାଳଖଣ୍ଡ । ଇହୁଦି ନିଧନ ଓ ବିତାଡ଼ନ । ଏମିଙ୍କ ଅପରାଧ ଅନେକ- ମହିଳା, ଇହୁଦି ଓ ଘୋଷିତ ଭାବରେ ଯୁଦ୍ଧବିରୋଧୀ । ବିଶ୍ୱବିଦ୍ୟାଳୟ ତାଙ୍କୁ ଚାକିରିରୁ ବହିଷ୍କାର କଲା । ଆନ୍ତର୍ଜାତିକ ଶିକ୍ଷା ସଂସ୍ଥା "ଦ୍ୟ ରକଫେଲାର ଫାଉଣ୍ଡେଶନ'ର ଚେଷ୍ଟାରେ ଏମି ଆମେରିକା ସ୍ଥିତ "ବ୍ରାଇନ ମୱର' କଲେଜରେ ଚାକିରି ପାଇଲେ । ସେଠାରେ ଥିବା ସମୟରେ, ଦେଢ଼ ବର୍ଷ ପରେ ତାଙ୍କର ଜରାୟୁରେ ଟିଉମାର ଥିବା ଜଣାପଡ଼ିଲା, ଚିକିତ୍ସା ପରବର୍ତ୍ତୀ ସଂକ୍ରମଣରେ ପୀଡ଼ିତ ହୋଇ, ମାତ୍ର ୫୩ବର୍ଷ ବୟସରେ ନିଜର ଗବେଷଣା କାର୍ଯ୍ୟ, ଛାତ୍ରଛାତ୍ରୀମାନଙ୍କୁ ଛାଡ଼ି ପ୍ରୟାତ ହେଲେ ଏମି ନୋଏଦର । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗଣିତଜ୍ଞମାନଙ୍କ ମଧ୍ୟରୁ ଜଣେ । ତାଙ୍କ ମୃତ୍ୟୁ ପରେ ଆଲବର୍ଟ ଆଇଷ୍ଟାଇନ ଯାହାଙ୍କୁ କହିଥିଲେ ପୃଥିବୀର "ଅନ୍ୟତମ ଶ୍ରେଷ୍ଠ ସୃଜନଶୀଳ ଗଣିତ ପ୍ରତିଭା' (କ୍ରିଏଟିଭ ମଥେମେଟିକାଲ ଜିନିୟାସ) ।
ଆନ୍ତର୍ଜାତିକ ନାରୀ ଦିବସ ପାଳନ ଅବସରରେ ଏହି ସୃଜନଶୀଳ ନାରୀ ଗଣିତଜ୍ଞଙ୍କର ଗବେଷଣା ଓ ଜୀବନ ସଂଘର୍ଷର ଗାଥା ବର୍ତ୍ତମାନର ନାରୀ ସମାଜକୁ ପ୍ରବୁଦ୍ଧ କରୁ । ଜୀବନଚର୍ଯ୍ୟାର ପ୍ରତ୍ୟେକ କ୍ଷେତ୍ରରେ ନାରୀର ମର୍ଯ୍ୟାଦା ଅକ୍ଷୁଣ୍ଣ ରହୁ ।