“ହେ ଯୁଦ୍ଧଖୋର୍ ପାଗଳମାନେ! ତୁମ ଭଳି ଯୁବକ, ପ୍ରୌଢ଼, ବୃଦ୍ଧମାନଙ୍କ ଠାରୁ ଆମେ କି ଶିକ୍ଷା ପାଇବୁ? ଯୁଦ୍ଧର ଅବସାନ ଘଟାଇ ଜୀବନ ଓ ଜଗତକୁ ମଧୁର ସୁନ୍ଦର କର । ଆମକୁ ଉଜ୍ୱଳ ସୂର୍ଯ୍ୟମୁଖୀ ଫୁଲ ଭଳି ଫୁଟିବାକୁ ଦିଅ, ସଙ୍ଗୀତ ଶୁଣିବାକୁ ଦିଅ, ଶାନ୍ତିରେ ଖାଇବାକୁ ଦିଅ, ଆମ ଖାଦ୍ୟକୁ ହଜମ ହେବାକୁ ଦିଅ, ଆମକୁ ଶାନ୍ତିରେ ଶୋଇବାକୁ ଦିଅ, ସ୍ୱପ୍ନ ଦେଖିବାକୁ ଦିଅ, ଜୀବନ ଜଗତକୁ ଆହୁରି ମଧୁର ଆହୁରି ସୁନ୍ଦର କରିବା ପାଇଁ ସଂକଳ୍ପ କରିବାକୁ, ସାଧନାପ୍ରବୃତ୍ତ ହବାକୁ ଓ ସିଦ୍ଧି ଅର୍ଜନ କରିବାକୁ ଆମ ପାଇଁ ପରିବେଶଟିଏ ସୃଷ୍ଟି କର ।”
କିଛି ଜାତୀୟ ଓ ଅନ୍ତର୍ଜାତୀୟ ସମ୍ବାଦପତ୍ରରେ ଫଟୋ ସଂଯୋଜିତ ହୋଇ ସମ୍ବାଦଟିଏ ପ୍ରକାଶ ପାଇଛି ଯେ, ୟୁକ୍ରେନ୍ର ଖାର୍କିଭ୍ରେ ଏକ ମେଟ୍ରୋ ଷ୍ଟେସନ୍, ଯାହା ବୋମା କିମ୍ବା ମିସାଇଲ୍ ଭଳି ବିସ୍ଫୋରକ ଅସ୍ତ୍ରଶସ୍ତ୍ରରୁ ଲୋକମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ରକ୍ଷାଗାର ଭାବରେ ବ୍ୟବହୃତ ହେଉଛି । ସେଠାରେ କେତେକ ସ୍ଥାନୀୟ ସଙ୍ଗୀତଜ୍ଞ ସଂଗୀତ ପରିବେଷଣ କରୁଛନ୍ତି ଓ କିଛି ଶିଶୁଙ୍କ ସମେତ ବୟସ୍କ ଲୋକ ଶୁଣୁଛନ୍ତି ନିଜ ନିଜର ଯୁଦ୍ଧକ୍ଳାନ୍ତ, ଅବସାଦଗ୍ରସ୍ତ ମନକୁ ଟିକେ ହାଲ୍କା, ସରସ କରିବା ପାଇଁ । ଜଣାପଡୁଛି ସତେ ଯେପରି ଶିଶୁମାନେ କହୁଛନ୍ତି "ହେ ରକ୍ତପାୟୀ ସମରବିଳାସୀମାନେ! ଆମକୁ ଟିକେ ଶାନ୍ତିରେ ଶୋଇବାକୁ ଦିଅ, ସୁନ୍ଦର ମର୍ତ୍ତ୍ୟଭୂମିରେ ଆମ ଜୀବନରେ ଅମୃତର ଆସ୍ୱାଦନ ପାଇଁ ସୁଯୋଗ ସୃଷ୍ଟି କର । ଆମ ଚାପଗ୍ରସ୍ତ ନିରସ ମନକୁ ଚାପମୁକ୍ତ ସରସ କର ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମିରେ ରଚିତ ହୋଇଛି ଗୁଣ୍ଟର ଗ୍ରାସ୍ଙ୍କର ଏକ ବହୁଚର୍ଚ୍ଚିତ ଉପନ୍ୟାସ "ଦି ଟିନ୍ ଡ୍ରମ୍' । ଏହାର ପ୍ରଥମ ପ୍ରକାଶନ ହୋଇଥିଲା ୧୯୫୮ ମସିହାରେ, ଆଜିକୁ ଛଅ ଦଶନ୍ଧି ତଳେ । ଏଥିରେ ମୁଖ୍ୟ ଚରିତ୍ର ହେଉଛି ଏକ ୧୩ ବର୍ଷର ବାଳକ ଓସ୍କାର୍ ମାଜେରାଥ୍ । ଓସ୍କାର୍ ଡ୍ରମ୍ ବାଡ଼େଇ ବଡ଼ ପାଟିରେ ଭର୍ତ୍ସନା କରୁଛି ଯୁବକ, ପ୍ରୌଢ଼ ଆଉ ବୃଦ୍ଧମାନଙ୍କୁ । ସିଏ କହୁଛି ଯେ ସିଏ ସବୁଦିନେ ଶିଶୁଟିଏ ହୋଇ ରହିଥାଉ, ତା'ର ଯୌବନ ଓ ବୃଦ୍ଧାବସ୍ଥା ନଆସୁ, ଏହାହିଁ ତା'ର ଏକମାତ୍ର ଇଚ୍ଛା । ସିଏ ଶିଶୁଟିଏ ହୋଇ ବଞ୍ଚି ରହିବାକୁ ଚାହୁଁଛି ଏଇଥିପାଇଁ ଯେ, ସାମ୍ପ୍ରତିକ ପୃଥିବୀରେ ଯୁବକ ଆଉ ପ୍ରୌଢ଼ମାନେ ହିଁ ଯାବତୀୟ ଦୌରାତ୍ମ୍ୟ, ଉପଦ୍ରବ, ବିଶୃଙ୍ଖଳା ସୃଷ୍ଟି କରିବାରେ ଲାଗିଛନ୍ତି ।
ବୟସ୍କମାନେ ଉନ୍ମତ୍ତ, ଉତ୍ତେଜିତ ହୋଇପଡୁଥିବାରୁ ହିଁ ସମାଜରେ ଅସାମାଜିକତା, ଅରାଜକତା ବୃଦ୍ଧି ପାଇବାରେ ଲାଗିଛି ଆଉ ଏପରିକି ସେମାନଙ୍କ ସକଳ ଉତ୍ତେଜନାରୁ ସୃଷ୍ଟି ହେଉଛି ବିଶ୍ୱ ମହାସମରର ବିଭୀଷିକା ଓ ଭୟାବହତା । ତେଣୁ ଓସ୍କାର୍ ସବୁଦିନେ ଶିଶୁ ହୋଇ ଜୀବନ ବଞ୍ଚିବାକୁ ଚାହୁଁଛି, ଅର୍ଥାତ୍ ଶୈଶବର ସରଳତା ତା'ର ଏକାନ୍ତ କାମ୍ୟ ହୋଇ ପଡ଼ିଛି । ବିଗତ ୬୦ ବର୍ଷର ଜର୍ମାନୀ ସାହିତ୍ୟରେ "ଦି ଟିନ୍ ଡ୍ରମ୍' ଉପନ୍ୟାସଟି ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ସମଗ୍ର ପୃଥିବୀରେ ଏହାର ୮୦ଲକ୍ଷ କପି ଏଯାବତ୍ ବିକ୍ରି ହୋଇ ସାରିଲାଣି । ଏହାହିଁ ହେଉଛି ଏହାର ଲୋକପ୍ରିୟତାର ଯଥେଷ୍ଟ ପ୍ରମାଣ । ଏହି ଉପନ୍ୟାସରେ ବିଭିନ୍ନ ଅଣୁ ଅସ୍ତ୍ର, କ୍ଷେପଣାସ୍ତ୍ରର ନିର୍ମାଣକୁ ଘୋର ବିରୋଧ କରାଯିବା ସହିତ ସମଗ୍ର ପୃଥିବୀରେ ଭିକ୍ଷାବୃତ୍ତି, ବେକାରୀ ସମସ୍ୟା, ରାଜନୀତିକ ଅନିଶ୍ଚୟତା, ଆର୍ଥନୀତିକ ବୈଷମ୍ୟ, ସାମାଜିକ ଅସ୍ଥିରତା, ଅରାଜକତା, ନୈତିକ ଅବକ୍ଷୟ ଇତ୍ୟାଦିକୁ ଦୃଢ଼ ସ୍ୱରରେ ସମାଲୋଚନା କରାଯାଇଛି । ୧୯୯୯ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଗଲା ବେଳେ ଗୁଣ୍ଟର୍ ଗ୍ରାସ୍ଙ୍କର ଉପନ୍ୟାସ "ଦି ର୍ୟାଟ୍' ଓ "ଦି ଟିନ୍ ଡ୍ରମ୍'କୁ ହିଁ ମୁଖ୍ୟତଃ ବିଚାର ପରିସରର ଅନ୍ତର୍ଭୁକ୍ତ କରାଯାଇଛି ।
ପ୍ରଥିତଯଶା ସଙ୍ଗୀତ ଶିଳ୍ପୀ ଓଁକାରନାଥ ଠାକୁର ଏକଦା ଇଟାଲିରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରୁଥିଲେ । ଶ୍ରୋତାମାନେ ଏଭଳି ମୁଗ୍ଧମଧୁର ଭାବରେ ବିଭୋର ହୋଇଯାଇଥିଲେ ଯେ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବାପରେ ମଧ୍ୟ ଦୀର୍ଘ ସମୟ ଧରି ସେମାନେ ନିଜ ନିଜ ଆସନରେ ନିରବ, ନିଶ୍ଚଳ, ଭାବାବିଷ୍ଟ ହୋଇ ବସିରହିଥିବାର ପରିଲକ୍ଷିତ ହୋଇଥିଲା । ଇଟାଲିର ଶାସକ ମୁସୋଲିନି ଓଁକାରନାଥ ଠାକୁରଙ୍କୁ କହିଲେ "ଅତ୍ୟଧିକ କର୍ମଜନିତ ମାନସିକ ଚାପ ହେତୁ ମୋତେ ରାତିରେ ଭଲ ନିଦ ହେଉନାହିଁ । ଭାରତବର୍ଷରେ ଏଭଳି ଶାସ୍ତ୍ରୀୟ ସଙ୍ଗୀତ ଅଛି କି, ଯାହାକୁ ଆପଣ ଗାଇବେ ଓ ମୁଁ ତାକୁ ଶୁଣି ଶାନ୍ତିରେ ଶୋଇପାରିବି?' ଓଁକାରନାଥ ଗାଇଲେ, ମୁସୋଲିନି ତାକୁ ଶୁଣିବା ପରେ ଦୀର୍ଘ ସମୟ ଶାନ୍ତିରେ ଶୋଇପାରିଲେ ।
ଏକ "କ୍ୱାଣ୍ଟା ମାଗାଜିନ' କ୍ରମାନୁସାରେ ଡିଜିଟାଲ୍ ମିଡିଆରେ ହାର୍ଭାର୍ଡ ମେଡିକାଲ ସ୍କୁଲ୍ର ସ୍ନାୟୁ ଜୀବବିଜ୍ଞାନର ସହଯୋଗୀ ପ୍ରଫେସର ଡ୍ରାଗାନା ରୋଗୁଲ୍ଜା ଲେଖିଛନ୍ତି, ସେ ଓ ତାଙ୍କର ସହଯୋଗୀ ଗବେଷକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ପ୍ରାଣୀ ଓ କୀଟପତଙ୍ଗମାନେ କିଛି ଦିନ ପାଇଁ ନିଦ୍ରାରୁ ବଞ୍ଚିତ ହେଲେ ସେମାନଙ୍କର ପତନ ଓ ଶୀଘ୍ର ମୃତ୍ୟୁ ହୁଏ । ଏହା ମଧ୍ୟ ମଣିଷମାନଙ୍କ କ୍ଷେତ୍ରରେ ଘଟିପାରେ । ସମସ୍ତ ପ୍ରାଣୀ କାର୍ଯ୍ୟକ୍ଷମ ହେବା, ରୋଗ ପ୍ରତିରୋଧକ ଶକ୍ତି ଅର୍ଜନ କରିବା ଓ ସୁସ୍ଥ ଜୀବନଯାପନ କରିବା ପାଇଁ ଶାନ୍ତିରେ କିଛି ସମୟ ଶୋଇବା ଆବଶ୍ୟକ । ୮୬ବର୍ଷ ବୟସ୍କ ଚତୁର୍ଦ୍ଦଶ ଦଲାଇଲାମା କହନ୍ତି ଯେ, ସେ ପ୍ରତ୍ୟହ ନଅଘଣ୍ଟା ଶୁଅନ୍ତି, ରାତିରେ ଶୀଘ୍ର ଶୁଅନ୍ତି ଓ ଭୋର ପୂର୍ବରୁ ଉଠନ୍ତି, ଶାନ୍ତ ଭୋର ସମୟର ନିରବ ମୁହୂର୍ତ୍ତରେ ଧ୍ୟାନ କରନ୍ତି, ମନ୍ତ୍ର ଉଚ୍ଚାରଣ କରନ୍ତି ।
ତାଙ୍କ ମତରେ, ସଙ୍ଗତ ନିଦ୍ରା ନିର୍ଘଣ୍ଟ ରକ୍ଷା ଦ୍ୱାରା ଜଣେ ମଣିଷ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସହିତ ଦୀର୍ଘାୟୁ ହୋଇପାରିବ । ଏକ ସୁସ୍ଥ ପ୍ରତିରକ୍ଷାତନ୍ତ୍ର ବା ରୋଗ ପ୍ରତିରୋଧକ ଶକ୍ତି ପାଇଁ ଆମେ ଆମ ଶରୀରରେ ୧.୫କେ.ଜି.ର ସ୍ୱାସ୍ଥ୍ୟପ୍ରଦ ଉତ୍ତମ ବ୍ୟାକ୍ଟେରିଆ ବା ମାଇକ୍ରୋବାୟୋମ୍ ଆବଶ୍ୟକ କରୁ, ଯାହା "ନିଦ୍ରା ନିୟନ୍ତ୍ରଣକାରୀ ପ୍ରାକୃତିକ ଆଭ୍ୟନ୍ତରୀଣ ପ୍ରକ୍ରିୟା' ବା "ସର୍କାଡିଆନ୍ ରିଦିମ୍' ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ । ଯଦି ଶିଶୁମାନେ ଯଥେଷ୍ଟ ଶୁଅନ୍ତି ନାହିଁ ତେବେ ସେମାନଙ୍କ ପାକସ୍ଥଳୀ ଓ ଆନ୍ତ୍ର ବ୍ୟାକ୍ଟେରିଆଗୁଡ଼ିକ ସେମାନେ ଖାଉଥିବା ସାମଗ୍ରୀରୁ ପୋଷକତତ୍ତ୍ୱ ବା ପୁଷ୍ଟିକର ଖାଦ୍ୟକୁ ହଜମ କରିବା ପାଇଁ ସମର୍ଥ ହୁଅନ୍ତି ନାହିଁ । ଏପରି ଏକ ଦୁଃଚକ୍ର ନିଦ୍ରାକୁ ନକାରାତ୍ମକ ଭାବରେ ପ୍ରଭାବିତ କରେ ଓ ନିଦ୍ରାହୀନତା ଘଟାଏ । ଶିଶୁମାନେ ଶାନ୍ତିରେ ଶୋଇବା ଦ୍ୱାରା ରୋଗମୁକ୍ତ ହୁଅନ୍ତି ଓ ସେମାନଙ୍କ ଶରୀରର ଅଭିବୃଦ୍ଧି ହୁଏ । ହିମାନି ଡାଲ୍ମିଆଁ ଓ ନେହା ଭଟ୍ଟ "ସ୍ଲିପିଙ୍ଗ୍ ଲାଇକ୍ ଏ ବେବି' ପୁସ୍ତକରେ ଲେଖନ୍ତି ଯେ ନିଦ୍ରା ଏକ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଅତ୍ୟାବଶ୍ୟକ ଆଧାର ଯୋଗାଏ ।
ସଂସାର-ନିର୍ବାହକ ବିଷ୍ଣୁଙ୍କୁ ଅନନ୍ତଶୟନ ଭାବରେ ବର୍ଣ୍ଣନା କରାଯାଏ ଯେ, ସେ "ବ୍ରହ୍ମାଣ୍ଡୀୟ ନାଗ' ବା "କସ୍ମିକ୍ ସର୍ପେଣ୍ଟ୍'ର କୁଣ୍ଡଳ, ବକ୍ରାକୃତି ଶଯ୍ୟାରେ ଶାୟିତ ଓ ନାଗର ଅନେକ ଫଣା ଏକ ଚାନ୍ଦୁଆ ଆକାରରେ ସ୍ଥିତ । ଚତୁର୍ମାସ ବା ଚାରିମାସବ୍ୟାପୀ ବର୍ଷାଋତୁରେ ବିଷ୍ଣୁ ଗଭୀର ନିଦ୍ରାରେ ମଗ୍ନ ରହନ୍ତି । କଠିନ ପରିଶ୍ରମ ପରେ ଚିନ୍ତାମୁକ୍ତ, ସତେଜ ରହିବା ପାଇଁ ଏହା ତାଙ୍କ ଜୀବନର ମାର୍ଗ । ଶାସ୍ତ୍ର ମତରେ, ଯେତେବେଳେ ସେ ନିଦରୁ ଉଠନ୍ତି, ଖୁବ୍ ସତେଜ ହୁଅନ୍ତି, ବିଶ୍ୱବ୍ରହ୍ମାଣ୍ଡ ସକ୍ରିୟ ଓ ପୁନଃ ଯୌବନପ୍ରାପ୍ତ ହୁଏ । ବିଭିନ୍ନ ସଂସ୍କୃତିର ପୁରାଣରେ ନିଦ୍ରା ଉପରେ ଗୁରୁତ୍ୱ ଦିଆଯାଏ ଏବଂ କେତେକରେ ନିଦ୍ରାର ସ୍ୱତନ୍ତ୍ର ଦେବଦେବୀ ମଧ୍ୟ ଥାଆନ୍ତି । ସ୍କାଣ୍ଡିନେଭୀୟ ଓ ଅନ୍ୟାନ୍ୟ ଉତ୍ତର-ୟୁରୋପୀୟ ଲୋକକାହାଣୀରେ "ସ୍ୟାଣ୍ଡ୍ମ୍ୟାନ୍' ବା "ବାଲୁକାମଣିଷ' ଶିଶୁମାନଙ୍କ ଆଖିରେ ଯାଦୁକରୀ ଧୂଳି ବା ବାଲି ସିଞ୍ଚିଦିଅନ୍ତି, ଯେପରି ସେମାନେ ଶାନ୍ତିରେ ଶୋଇଯିବେ ଓ ମଧୁର ସ୍ୱପ୍ନ ଉପଭୋଗ କରିବେ । ରୋମୀୟ ପୁରାଣରେ ନିଦ୍ରାର ଦେବତା ସୋମ୍ନସ୍ଙ୍କର ମର୍ଫିଅସ୍ ସମେତ ଏକହଜାର ପୁଅ ଅଛନ୍ତି, ଯେଉଁମାନେ ନିଦ୍ରା ଓ ସ୍ୱପ୍ନ ସହିତ ସଂପୃକ୍ତ । ଗ୍ରୀକ୍ ପୁରାଣରେ ହିପ୍ନୋସ୍ ହେଉଛନ୍ତି ନିଦ୍ରାର ଦେବତା ।
ୟୁକ୍ରେନରେ କୋଠାଗୁଡ଼ିକ ଉପରେ ମିସାଇଲ୍ ମାଡ଼ ହେଲାବେଳେ, ଉଚ୍ଚ ଉଚ୍ଚ କୋଠାମାନ ଭୁଶୁଡ଼ି ପଡ଼ି ଧରାଶାୟୀ ଭୂଲୁଣ୍ଠିତ ହେଲାବେଳେ, ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ସହିତ ଆହତମାନଙ୍କର ଓ ମୃତମାନଙ୍କ ସମ୍ପର୍କୀୟଙ୍କର ଆର୍ତ୍ତ ଚିତ୍କାର ଶୁଭୁଥିଲାବେଳେ, ଶିଶୁମାନେ ଶୋଇପାରୁ ନାହାଁନ୍ତି ଶାନ୍ତିରେ । ବୋଧହୁଏ, ସତେ ଯେପରି ସେମାନେ କହୁଛନ୍ତି “ହେ ଯୁଦ୍ଧଖୋର୍ ପାଗଳମାନେ! ତୁମ ଭଳି ଯୁବକ, ପ୍ରୌଢ଼, ବୃଦ୍ଧମାନଙ୍କ ଠାରୁ ଆମେ କି ଶିକ୍ଷା ପାଇବୁ? ଯୁଦ୍ଧର ଅବସାନ ଘଟାଇ ଜୀବନ ଓ ଜଗତକୁ ମଧୁର ସୁନ୍ଦର କର । ଆମକୁ ଉଜ୍ୱଳ ସୂର୍ଯ୍ୟମୁଖୀ ଫୁଲ ଭଳି ଫୁଟିବାକୁ ଦିଅ, ସଙ୍ଗୀତ ଶୁଣିବାକୁ ଦିଅ, ଶାନ୍ତିରେ ଖାଇବାକୁ ଦିଅ, ଆମ ଖାଦ୍ୟକୁ ହଜମ ହେବାକୁ ଦିଅ, ଆମକୁ ଶାନ୍ତିରେ ଶୋଇବାକୁ ଦିଅ, ସ୍ୱପ୍ନ ଦେଖିବାକୁ ଦିଅ, ଜୀବନ ଜଗତକୁ ଆହୁରି ମଧୁର ଆହୁରି ସୁନ୍ଦର କରିବା ପାଇଁ ସଂକଳ୍ପ କରିବାକୁ, ସାଧନାପ୍ରବୃତ୍ତ ହବାକୁ ଓ ସିଦ୍ଧି ଅର୍ଜନ କରିବାକୁ ଆମ ପାଇଁ ପରିବେଶଟିଏ ସୃଷ୍ଟି କର ।”