ଇମ୍ଫାଲ: ମଣିପୁର ପୋଲିସ ରାଜ୍ୟରେ ଅପରାଧୀ ନେଟୱାର୍କ ଏବଂ ଉଗ୍ରବାଦୀ ଗତିବିଧି ଦମନ ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଜୁନ ୨୪ ତାରିଖରେ ଗ୍ରେଟର ଇମ୍ଫାଲ ଅଞ୍ଚଳରେ ଚାଲିଥିବା ଏକ ଆନ୍ତଃରାଜ୍ୟ ଅସ୍ତ୍ର ଚାଲାଣ ନେଟୱାର୍କକୁ ଧ୍ୱଂସ କରାଯାଇଛି। ଯେଉଁଥିରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ବେଆଇନ ଅସ୍ତ୍ର, ଗୁଳି, ଚୋରି ହୋଇଥିବା ଗାଡି ଏବଂ ନକଲି ଦଲିଲ ଜବତ କରାଯାଇଛି।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ସିନାମ ସୋମେନ୍ଦ୍ରୋ ମେଇତେଇ (୪୩) ଯିଏ ନିଷିଦ୍ଧ ସଂଗଠନ UNLF (P) ର ଜଣେ ସକ୍ରିୟ ସଦସ୍ୟ, ଲାଞ୍ଚେମ୍ବା ନୋଙ୍ଗଥୋମ୍ବା (୨୪), ଆର.କେ. ଅବୋଥେ ସିଂହ (୩୩) ଏବଂ ବିଶ୍ୱନାଥ ଥୋକଚୋମ (୨୧)। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ୯ ମିମି ସ୍ମିଥ ଏଣ୍ଡ ୱେସନ ପିସ୍ତଲ, ତିନୋଟି ମ୍ୟାଗାଜିନ ଏବଂ ୩୪ ରାଉଣ୍ଡ ଗୁଳି ରହିଛି।
ପୋଲିସ କଣ୍ଟ୍ରୋଲ ରୁମର ଏକ ବିବୃତି ଅନୁସାରେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସାଧାରଣ ରହିଛି। ତଥାପି ମ୍ବେଦନଶୀଳ ଏବଂ ସୀମାନ୍ତବର୍ତୀ ଅଞ୍ଚଳରେ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନ ମଣିପୁରରେ ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛି।
ଏହା ପୂର୍ବରୁ ମଣିପୁରରେ ଜାତିଗତ ହିଂସା ଏବଂ ଅପରାଧୀ ଗତିବିଧି ଯୋଗୁଁ ଅଶାନ୍ତି ଲାଗି ରହିଛି। ପୋଲିସ ଏବଂ ନିରାପତ୍ତା ବାହିନୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଅପରାଧୀ ଓ ଉଗ୍ରବାଦୀ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।