କୋକସରା,୧୨।୭ : କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଧର୍ମଗଡ ବନାଞ୍ଚଳ ୧୨ ହଜାର ୯୮୯ ହେକ୍ଟର ବିସ୍ତୁତ ପରିସୀମାରେ ବ୍ୟାପିଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଗତ କିଛି ବର୍ଷ ହେବ ମକା ମାଫିଆଙ୍କ ରାଜ ଚାଲିଛି। ପ୍ରତିବର୍ଷ ମକା ଚାଷ ପାଇଁ ଶତାଧିକ ହେକ୍ଟର ଜଙ୍ଗଲ ନଷ୍ଟ କରି ମକାଚାଷ କରାଯାଉଛି। ଗତ ୨ ମାସ ହେବ ମକାଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ କ୍ଷେତ୍ର ପ୍ରସ୍ତୁତ କରି ମକା ବିହନ ବୁଣିବା ପରେ ଏବେ ଜଙ୍ଗଲ ମଧ୍ୟରେ ଗଛ ନୁହେଁ କଅଁଳ ମକା ପତ୍ରର ସବୁଜିମା ଦୂର ଦିଗନ୍ତକୁ ଦେଖାଯାଉଛି।
ଧର୍ମଗଡ ବନାଞ୍ଚଳର ବେହେରା ଆମପାଣି ଫରେଷ୍ଟ ସେକ୍ସନର ଖଲିଗଡ଼, ଧୋବେନ ଚଞ୍ଚରା, ମୁନୁଗା ପଦର, ଘଣ୍ଟିଗୁଡା, ଭଟାପାଣି,ଡୁମେରପାନି, ସମେତ ଆମପାଣି ଫରେଷ୍ଟ ସେକ୍ସନର ଦାବ୍ରିଗୁଡା,ସର୍ଗିଗୁଡା,ବିରି ମୁହାଁଣ,ଆନ୍ଧି ଝରଣ,ଲେକାଆମ,ସର୍ଗିପାନି, କୁଟୁରୁ, ଗୋଇଚଞ୍ଚରା,ଛକପଡା,ଗାଈବନ୍ଧା, ଟିର୍ଲିଆମ ଅଞ୍ଚଳରେ ଜଙ୍ଗଲକୁ ପ୍ରତିବର୍ଷ କାଟି ମକାଚାଷ କରାଯାଉଛି। ଅନୁପ୍ରବେଶକାରୀ ବଙ୍ଗାଳି, ବିହାରୀ,ସମେତ ସ୍ଥାନୀୟ ଅଞ୍ଚଳର କିଛି ଲାଭଖୋର ସାହୁକାରମାନେ ସ୍ଥାନୀୟ ଆଦିବାସୀଙ୍କୁ ଧରି ମକାଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ବିହନ,ଖତ ସାର, ଆବଶ୍ୟକ ପୁଞ୍ଜି ଦେଇ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ମକାଚାଷ କରି ମାଲେମାଲ ହୋଇ ଆସୁଛନ୍ତି।
ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳନ କରୁଛି। ଲୋକଙ୍କୁ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ପାଇଁ ସଚେତନ କରୁଛି । ହେଲେ ବିଗତ ବର୍ଷରେ ଲଗା ଯାଇଥିବା ଗଛ ବଞ୍ଚିଛି ନା ମରିଛି ତାର ହିସାବ ବିଭାଗ ପାଖରେ ନାହିଁ। ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ବିଗତ ଦିନରେ ବେଆଇନ ମକାଚାଷ ବନ୍ଦ କରିବା ପାଇଁ କୋକସରା ବ୍ଲକ ସାହାଜଖୋଲ ବନ ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ କରାଯାଉଛି। ସେହି ସମୟରେ ଜଙ୍ଗଲ ବିଭାଗୀୟ ଅଧିକାରୀ ଆସି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇ କାମ ସାରିଦିଅନ୍ତି। ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଭଳି ପଦକ୍ଷେପ ଦେଖିବାକୁ ମିଳିନାହିଁ।
ଧୀରେ ଧୀରେ ସାହାଜଖୋଲ ଜଙ୍ଗଲ ଅସ୍ତିତ୍ବ ହଜିବାକୁ ବସିଛି। ଅନେକ ଔଷଧିୟ ବୃକ୍ଷଲତା ସହ ମୂଲ୍ୟବାନ ଗଛ, ପ୍ରାକୃତିକ ଝରଣା, ଜୀବଜନ୍ତୁ ବିଲୁପ୍ତ ହେବାରେ ଲାଗିଛି, ଯାହାକୁ ନେଇ ପ୍ରକୃତି ପ୍ରେମୀଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି। ତେବେ ଅବାଧ ମକାଚାଷ ଉପରେ କେବେ ଜଙ୍ଗଲ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ତାହା ସମୟ ସାପେକ୍ଷ। ଏନେଇ ଧର୍ମଗଡ ବନାଞ୍ଚଳ ରେଞ୍ଜର ଭବାନୀ ଶଙ୍କର କାଉରଙ୍କୁ ପଚାରିବାରୁ ମେଡ଼ିକାଲ କାମ ରେ ବିଶାଖାପାଟଣା ଆସିଛି, ପରେ କହିବି ବୋଲି କହିଥିଲେ।