ଭବାନୀପାଟଣା, ୨୭/୦୬: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ପ୍ରାୟ ୪ବର୍ଷ ପରେ ପୁଣିଥରେ ଚର୍ଚ୍ଚାକୁ ଫେରିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ କଲେଜ । ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ କଲେଜକୁ ଅନଧିକୃତ ଭାବେ ମାଲିକାନା ଦାବି କରୁଛନ୍ତି । କଲେଜର ଦୁଇଟି ହଷ୍ଟେଲରୁ ବାର୍ଷିକ ଆଦାୟ ହେଉଥିବା ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସେ ନେଇଯାଉଛନ୍ତି । ଏହାକୁ ନେଇ କଲେଜ ପରିଚାଳନା କମିଟି ଓ ଲିପିକାଙ୍କ ମଧ୍ୟରେ ବିବାଦ ଦେଖାଯାଇଛି ।
ମମିତା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲ୍ରେ ବିଚାରାଧୀନ ଥିବାବେଳେ ଗୋବିନ୍ଦ ଆତ୍ମହତ୍ୟା କରିଥିଲେ । ପିତାଙ୍କ ଉତ୍ତରାଧିକାରୀ ବୋଲି ଦାବି କରି ଲିପିକା କଲେଜର ଦୁଇଟି ଛାତ୍ରାବାସ ମାଡ଼ି ବସିଛନ୍ତି । ଛାତ୍ରାବାସରୁ ଆଦାୟ ଅର୍ଥ ବାଦ୍ ପିଲାଙ୍କ ଦାଖିଲା ଓ ଅନ୍ୟାନ୍ୟ ସୂତ୍ରରୁ ଆୟ ଅର୍ଥ ମଧ୍ୟ ସେ ନେଇଯାଉଥିଲେ । କଲେଜ ପରିଚାଳନା କମିଟି ଏହାର ତୀବ୍ର ପ୍ରତିବାଦ କରିବା ସହ ନିଜସ୍ୱ ସ୍ୱତନ୍ତ୍ର ଜମାଖାତାରେ ଜମା ବ୍ୟବସ୍ଥା କରାଇଛି । ଏଥିଲାଗି ସ୍ୱତନ୍ତ୍ର ଭାବେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଛି । ହେଲେ ଲିପିକାଙ୍କ ଏକଛତ୍ରବାଦ କାର୍ଯ୍ୟକଳାପ ଆଗରେ ହଷ୍ଟେଲ୍ରେ ହାତ ମାରିବାକୁ ସାହସ ଜୁଟାଇ ପାରୁନି ପରିଚାଳନା କମିଟି ।
ମହାଲିଙ୍ଗ କଲେଜ ଟ୍ରଷ୍ଟ ଭାବେ ୨୦୧୧ରେ ପଞ୍ଜୀକୃତ ହୋଇଥିଲା । ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନ ଥିଲା । ମାତ୍ର ପରିଚାଳନା କମିଟି ସଭାପତି ହୋଇ ଗୋବିନ୍ଦ ଏକଛତ୍ର ଆଧିପତ୍ୟ ଚଲାଇଥିଲେ । ଆରମ୍ଭରୁ ଗୋବିନ୍ଦ, ସ୍ଥାନୀୟ ସମାଜସେବୀ ଡ. ପ୍ରଶାନ୍ତ ଯୋଶୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ପୁଅ କ୍ରାନ୍ତି ଦାସ କଲେଜର ଟ୍ରଷ୍ଟି ରହିଥିଲେ । ଶ୍ରୀ ଯୋଶୀ ଏବଂ ଶ୍ରୀ ଦାସଙ୍କ ଅଜ୍ଞାତରେ ଗୋବିନ୍ଦ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ବାଟମାରଣା କରିଥିଲେ । ଏଭଳି ମନମୁଖି କାର୍ଯ୍ୟ ପାଇଁ ଉଭୟେ କଲେଜ ପରିଚାଳନାରୁ ଦୂରେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଟ୍ରଷ୍ଟ ପଞ୍ଜିକରଣ କଟି ଯାଇଥିଲା । ମାତ୍ର ପୁରୁଣା ଡିଡ୍କୁ ନେଇ କଲେଜ ଚାଲିଥିଲା ।
ମମିତା ମେହେର ହତ୍ୟାକାଣ୍ଡରେ କଲେଜ ଛନ୍ଦି ହେବା ପରେ ପ୍ରାୟ ହଜାରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ପିଲାଙ୍କ ଟିସି ନେବା ଆରମ୍ଭ କରିଥିଲେ । ଏଭଳି ଅବ୍ୟବସ୍ଥାର ସମାଧାନ କରିବାକୁ କଲେଜ ପରିଚାଳନା କମିଟି ପକ୍ଷରୁ ୨୦୨୨ ଶିକ୍ଷା ବର୍ଷରେ ବୈଠକ ଡକାଯାଇଥିଲା । ଜେଲ୍ରେ ଥିବା କମିଟି ସଭାପତି ଗୋବିନ୍ଦକୁ ପଦରୁ ବହିଷ୍କାର କରାଯାଇଥିଲା । ଏ ସଂକ୍ରାନ୍ତରେ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ କରାଯାଇଥିଲା । ଟ୍ରଷ୍ଟ ପଞ୍ଜିକରଣ ରଦ୍ଦ ହୋଇସାରିଥିବା ଏବଂ କଲେଜ ଅନୁମୋଦନ କଟିଯିବା ଆଶଙ୍କା ଥିବାରୁ ମହାଲିଙ୍ଗ ଗ୍ରାମବାସୀ କଲେଜର ପୁରୁଣା ଟ୍ରଷ୍ଟି ଡ. ଯୋଶୀଙ୍କୁ ଡାକି ନୂତନ ଗଭର୍ଣ୍ଣିଂ ବଡ଼ି ଗଠନ କରିଥିଲେ । ନୂତନ କମିଟିକୁ ନେଇ କଲେଜ ସ୍ୱାଭାବିକ ଚାଲିଥିଲା । ହେଲେ କଲେଜର ଉତ୍ତରାଧିକାରୀ ଭାବେ ନିଜକୁ ଲିପିକା ଦାବି କରୁଛନ୍ତି । କଲେଜର ସିଂହଭାଗ ଅର୍ଥ ନେଇଯାଉଛନ୍ତି । ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।
ଏ ସଂକ୍ରାନ୍ତରେ ପୁରୁଣା ଟ୍ରଷ୍ଟି ଡ. ଯୋଶୀଙ୍କ କହିବା କଥା, ଗ୍ରାମର ସଚେତନ ଲୋକଙ୍କ ପ୍ରୟାସରେ ତିନିଜଣଙ୍କ ଦ୍ୱାରା କଲେଜ ଟ୍ରଷ୍ଟ ଭାବେ ପଞ୍ଜିକୃତ ହୋଇଥିଲା । ଗୋବିନ୍ଦ ଏକଛତ୍ର ଭାବେ କାମ କରିବାରୁ ଆମେ ଓହରିଗଲୁ । ୧୦ବର୍ଷ ପରେ ପଞ୍ଜିକରଣ ରଦ୍ଦ ହୋଇଯାଇଥିଲା। କଲେଜ ସମ୍ପୂର୍ଣ୍ଣ ଭାବେ ସରକାରୀ ଅନୁଦାନ ଓ ପୃଷ୍ଠପୋଷକରେ ଚାଲିଛି । ଆନୁଷଙ୍ଗିକ ବିକାଶ ହୋଇଛି । ଏହା ଗାଁର କଲେଜ । କାହାର ବ୍ୟତିଗତ ସମ୍ପତ୍ତି ନୁହଁ । କେହି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ଅନୁମୋଦନ କଟିଯିବା ଭଳି ସମସ୍ୟା ହେବାରୁ ନୂଆ କମିଟି ଗଢ଼ାଯାଇଛି । ମାତ୍ର ଗୋବିନ୍ଦଙ୍କ ଝିଅ ଅନଧିକୃତ ଭାବେ କଲେଜ ଉପରେ ଅଧିକାର ସାବ୍ୟସ୍ତ କରୁଛନ୍ତି । ପିତାଙ୍କ ସମ୍ପତ୍ତି କହି ଦୁଇ ହଷ୍ଟେଲର ଆୟକୁ ନେଇଯାଉଛନ୍ତି । ଏଥିରେ ସରକାର ହସ୍ତକ୍ଷେପ କରିବା ଜରୁରି ହୋଇପଡ଼ିଛି ବୋଲି ଡ. ଯୋଶୀ କହିଛନ୍ତି।