ଶହଡୋଲ,୦୫/୦୭ : ମଧ୍ୟପ୍ରଦେଶରେ ମହାଘୋଟାଲା । ସୀମା ଟପିଲା ରଙ୍ଗ କାମରେ ମହା ଦୁର୍ନୀତି। ୪ ଲିଟର ରଙ୍ଗ ବୋଳିବାକୁ ଲାଗିଲେ ୧୬୮ ଶ୍ରମିକଙ୍କ ସହ ୬୫ ମିସ୍ତ୍ରୀ । ଶହଡୋଲରେ ଏକ ହାଇସ୍କୁଲ୍ରେ ଘଟିଛି ଏଭଳି ଅଜବ ଘଟଣା । ଆଉ ବିଲ୍ ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍ । ଏହି ରଙ୍ଗ କାମ ପାଇଁ ୧.୦୬ ଲକ୍ଷ ଟଙ୍କାର ବିଲ୍ ହୋଇଛି । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଲ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଖୋଦ୍ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁର କରିଛନ୍ତି ।
ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାର ଏକ ସରକାରୀ ହାଇସ୍କୁଲରେ ରଙ୍ଗ କାମ ହେଉଥିଲା । ଆଉ ଏହି ଐତିହାସିକ ରଙ୍ଗ କାମରେ ୧୬୮ ଜଣ ଶ୍ରମିକଙ୍କ ସହ ୬୫ ମିସ୍ତ୍ରୀ କାମ କରିଥିଲେ । ମୋଟାମୋଟି ଭାବେ ୨୩୩ ଜଣ ଏହି ରଙ୍ଗ କାମରେ ଲାଗିଥିଲେ । ଏବେ ଏହି କାମର ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍କୁଲ୍ କାନ୍ଥରେ ୪ ଲିଟର ରଙ୍ଗ ବୋଳିବାକୁ ୧ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଆଶ୍ଚର୍ଯ୍ୟର କଥା ଯେ, ଏହି ବିଲ୍କୁ ଖୋଦ୍ ଶିକ୍ଷା ବିଭାଗର ଜିଲ୍ଲା ଅଧିକାରୀ ମଞ୍ଜୁର କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସତରେ ୪ ଲିଟର ରଙ୍ଗ ବୋଳିବାକୁ ୨୩୩ ଜଣ ଲାଗିଥିଲେ ? ନା ଏମପି ସ୍କୁଲରେ ରଙ୍ଗବୋଳା କାମରେ ହୋଇଥିଲା ମହାଘୋଟାଲା। ଏହି ଘଟଣାରେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲ ସିଂହ ମାରପାଚୀ ପ୍ରତିକ୍ରିୟା ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ, ସୋସିଆଲ ମିଡିଆ ମାଧ୍ୟମରେ ଏବିଷୟରେ ଜାଣିବାକୁ ପାଇଲେ। ଏହାର ଯାଞ୍ଚ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶହଡୋଲର ଏହି ହାଇସ୍କୁଲ ଏବେ ନିଜର ଚମକଦାର କାନ୍ଥ ବ୍ୟତୀତ ଅଜବ ବିଲ୍ ପାଇଁ ଚର୍ଚ୍ଚାରେ ରହିଛି। ଏହି ରଙ୍ଗ କାମ ପଛରେ ମହାଦୁର୍ନୀତିର ଗନ୍ଧ ଆସୁଛି।