ଚନ୍ଦନେଶ୍ଵର, ୨୫/୫ : ଭୋଗରାଇର ଜଳସୋହରିଆ ଝକଝକି ଶୀତଳା ଓ କାଳୀ ମାତାଙ୍କ ମନ୍ଦିରରୁ ଲୁଟ୍। ବୁଧବାର ବିଳମ୍ବିତ ରାତିରେ ଉଭୟ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପାର ଅଳଙ୍କାର ସମେତ ହୁଣ୍ଡି ବାକ୍ସରୁ ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ଏହାଛଡା ଠାକୁରାଣୀଙ୍କ ଜିଭ, ଆଖି, କାନ ଆଦି ଦୁର୍ବୃତ୍ତମାନେ କାଟି ଦେଇଥିବା ନଜରକୁ ଆସୁଛି। ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେପଟେ ଗତକାଲି ବିଳମ୍ବିତ ରାତିରେ ବେଣୁଦା ଜଗନ୍ନାଥ ମନ୍ଦିରରୁ ମଧ୍ୟ ଲୁଟ୍ ହୋଇଛି। ମନ୍ଦିରର ମୁଖ୍ୟ ଗେଟ୍ ତାଲା କାଟି ଦୁର୍ବୃତ୍ତମାନେ ମନ୍ଦିରରେ ଥିବା ସୁନା ଅଳଙ୍କାର, ଦାନ ହୁଣ୍ଡି, ମାଇକ୍ ସେଟ୍, ଇନଭଟର, ଲୁଟି ନେଇଛନ୍ତି। ଉଭୟ ସ୍ଥାନରେ ପୋଲିସ ତଦନ୍ତ କରୁଛି। ଦିର୍ଘଦିନ ଧରି ଭୋଗରାଇ ଅଞ୍ଚଳରେ ଲୁଟେରା ସକ୍ରିୟ ହୋଇଛନ୍ତି। ବିଭିନ୍ନ ଜାଗାରେ ବେଧଡ଼କ ଲୁଟ୍ ହେଉଥିବାରୁ ଅଧିକ ପାଟ୍ରୋଲିଂ ବଢାଇବାକୁ ଲୋକେ ଦାବି କରିଛନ୍ତି।