ଭୁବନେଶ୍ଵର, ୧୨/୦୬ : ରାଜ୍ୟସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୩୧୪ ବ୍ଲକ୍ରେ ଆଜିଠୁ ଜୁନ୍ ୨୧ ଯାଏଁ 'ବିକାଶ ବାହନ' ଗଡ଼ିବ। ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଗଡ଼ିବ। ବିଜେପି ସରକାରଙ୍କର ବର୍ଷ ପୂର୍ତ୍ତି ଅବସରରେ ସରକାରୀ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ ସଚେତନ କରିବ। ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷରେ ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ। ସୁଭଦ୍ର ଯୋଜନା, ପଛୁଆ ବର୍ଗ ସଂରକ୍ଷଣ, ଭଳି ବିଭିନ୍ନ ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହାନ।
'ବିକାଶ ବାହନ' ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ, ଆମ ସରକାର କଥାରେ ନୁହେଁ କାମରେ ବିଶ୍ଵାସ କରେ। ଲୋକଙ୍କୁ ଯାହା ପ୍ରତିଶୃତି ଦେଇଥିଲୁ ତାହା ପୂରଣ କରିଛୁ। ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ସେମାନଙ୍କୁ ପ୍ରଥମିକତା ଦେଇଛୁ। ବିରୋଧୀ ଦଳ ଅପପ୍ରଚାର କରିଥିଲା। ସରକାର ଦାୟିତ୍ଵ ନେବାର ଏକ ଘଣ୍ଟା ଭିତରେ କ୍ୟାବିନେଟ୍ ଡାକି ୪ଟି ମୁଖ୍ୟ ନିଷ୍ପତ୍ତି ନେଇଥିଲେ। ଶ୍ରୀମନ୍ଦିର ଚାରି ଦ୍ଵାର ଫିଟା ନିଷ୍ପତ୍ତି ହେଉ କିମ୍ବା ସୁଭଦ୍ରା ଯୋଜନା, ଲୋକଙ୍କ କଥା ଶୁଣି ଆମେ ନିଷ୍ପତ୍ତି ନେଇଥିଲୁ। ସେବେଠାରୁ ସରକାର ଆଉ ପଛକୁ ଫେରି ଚାହିଁନାହାଁନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଧୁନିକ ଓଡ଼ିଶାର କ୍ୟାଲେଣ୍ଡରରେ ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାବାସୀ ଐତିହାସିକ ନିଷ୍ପତି ନେଇଥିଲେ। ୨୪ ବର୍ଷର ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାରକୁ ବଦଳାଇ ନୂତନ ସୂର୍ଯ୍ୟୋଦୟ ଆଣିଥିଲେ। ମୋଦିଙ୍କ ସଫଳ ମଡେଲ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ୧୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ବିଳମ୍ବ ହେଲେ ବି ଓଡ଼ିଶାବାସୀ ଡବଲ ଇଞ୍ଜିନ ସରକାରର ସୁଫଳ ଦେଖିବାକୁ ପାଇଲେ। ନୂଆ ରୂପରେ, ନୂଆ ବିକାଶର ଆଶାରେ ଲୋକେ ସରକାରକୁ ଦେଖୁଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ସେହି ଅଭିଜ୍ଞତାକୁ ଆଧାର କରି ଲୋକଙ୍କ ସହିତ ମିଶିଛି, ଅଭିଯୋଗ ଶୁଣିଛି। ସବୁ ଜିଲ୍ଲାକୁ ଯାଇଛି। ସବୁ ଜିଲ୍ଲାର ଚିତ୍ର ମୋ ସାମ୍ନାରେ ଦୃଶ୍ୟମାନ ହେଉଛି। ଅଭିଯୋଗ ଶୁଣାଣୀ ସମୟରେ ସିଙ୍ଗିଲ୍ ୱିଣ୍ଡୋ ଜରିଆରେ ଅନ୍ ଦ ସ୍ପଟ୍ ଫଇସଲା ହେଉଛି। ତୃତୀୟ ମହଲା ଓ ଜନତାଙ୍କ ମଧ୍ୟରେ ଆଉ ବ୍ୟବଧାନ ନାହିଁ। ସୁଭଦ୍ରା, ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା, ପ୍ରତି ଗାଁକୁ ବିକାଶ ପାଇଁ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା କାର୍ଯକାରୀ ହୋଇଛି। ୨୮ ହଜାର ଖାଲି ସରକାରୀ ପଦବୀ ପୂରଣ ହୋଇଛି। ଚଳିତ ବର୍ଷ ୪୦ ହଜାର ପଦବୀ ପୂରଣ ହେବ। ଭିତ୍ତିଭୂମି, ରେଳସେବା, ବିମାନ ସେବା ଫୋକସ୍ରେ ରହିବ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଥମ ଦିନରୁ ଜନତାଙ୍କ ସହିତ ଯୋଡି ହେବାର ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ଆଜି ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେହି ପ୍ରୟାସକୁ ଆହୁରି ଜୋରଦାର କରାଯାଇଛି। ଏହି ପ୍ରସାର କାର୍ଯ୍ୟକ୍ରମ ମାଧ୍ୟମରେ, ସରକାର, ଜନସାଧାରଣଙ୍କ ଭାଗୀଦାରିତାରେ 'ବିକଶିତ ଓଡ଼ିଶା' ତଥା ସମୃଦ୍ଧ ଓଡ଼ିଶା ଗଠନର ବୃହତ୍ତର ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରୟାସ କରିଛନ୍ତି ।
ଏହି ଅବସରରେ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଲୋକଙ୍କ ଆଶୀର୍ବାଦରେ ଆଜି ଡବଲ ଇଞ୍ଜିନର ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧିର ଦାୟିତ୍ବରେ ଅଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସମୃଦ୍ଧ ଓଡ଼ିଶାର ନିର୍ମାଣ ପାଇଁ ସଂକଳ୍ପବଦ୍ଧ । ଏହି ସମୟ ରାଜ୍ୟର ବିକାଶ ଓ ରାଷ୍ଟ୍ରର ପ୍ରଗତି ପାଇଁ ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନାର ସମୟ ପ୍ରମାଣିତ ହୋଇଛି। ଏହି ବିକାଶ ବାହନର ଶୁଭାରମ୍ଭ ଆମ ସରକାରଙ୍କ ଓଡ଼ିଶାବାସୀଙ୍କ ପ୍ରତି ସମର୍ପଣର ନୂତନ ଅଧ୍ୟାୟ। ଏହି ଅବସରରେ, ଏକାମ୍ର-ଭୁବନେଶ୍ୱର ବିଧାୟକ, ବାବୁ ସିଂ ଓ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାଗତ ଭାଷଣ ଦେଇଥିବା ବେଳେ, ବିଭାଗୀୟ କମିଶନର ତଥା ସଚିବ ଗିରିଶ ଏସ. ଏନ ଧନ୍ୟବାଦ ଦେଇଥିଲେ।