ପ୍ରମୂଖ ଖବର
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଳମ୍ବିତ ମୌସୁମୀ... ଆଣ୍ଠେଇଛି କପାଚାଷ, ପଡ଼ିଆ ପଡ଼ିଛି ୭୧ ହଜାର ହେକ୍ଟର

ବଲାଙ୍ଗିର, ୨୬/୦୬ : ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିସାରିଛି । ୯୦ ପ୍ରତିଶତ ଜିଲ୍ଲାରେ ମୌସୁମୀ ବର୍ଷା ବି ହେଲାଣି । ହେଲେ ବଲାଙ୍ଗିର ଜିଲ୍ଲାରେ ଚାଷୀ ବର୍ଷାକୁ ଚାହିଁ ବସିଛି । ଏଥର ଜିଲ୍ଲାରେ ଜୁନ୍‌ ମାସର ସ୍ୱାଭାବିକ ବର୍ଷାଠୁ ୬୦ ପ୍ରତିଶତ କମ୍‌ ବର୍ଷା ହୋଇଛି । ତେଣୁ ଚାଷୀ ପ୍ରସ୍ତୁତ ଥିଲେ ବି ଚାଷ ଆରମ୍ଭ କରିପାରିନାହିଁ । ନିଅଣ୍ଟିଆ ବର୍ଷା ପାଇଁ ଏଥର କପାଚାଷ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଅନ୍ୟବର୍ଷଗୁଡ଼ିକରେ ଜୁନ୍‌ ଶେଷ ସୁଦ୍ଧା କପା ଚାଷ ପାଇଁ ମଞ୍ଜି ବୁଣା ସରିଥାଏ । କିନ୍ତୁ ଏଥର ଧୁଧୁ ଖରାରେ ଜମି ଫାଟି ଯାଉଥିବା ବେଳେ ବର୍ଷାର ଦେଖାନଥିବାରୁ ଚାଷୀ ଜମି ପ୍ରସ୍ତୁତ କରି ମୁଣ୍ଡରେ ହାତମାରି ବସିଛି । ମୋଟାମୋଟି ଭାବରେ ବର୍ଷାକୁ ଅପେକ୍ଷା କରି ଏବେ ଜିଲ୍ଲାର ପ୍ରାୟ ୭୧ ହଜାର ହେକ୍ଟର ଜମି ପଡ଼ିଆ ପଡ଼ିଛି । 

ଆରମ୍ଭରୁ ବିଳମ୍ବ ହେଲେ ଅମଳ ଏବଂ ବିକ୍ରିବଟା ମଧ୍ୟ ପ୍ରଭାବିତ ହେବ । ପୁଣି ଯାହା ଅମଳ ହେବ ଶୀତ କାକରରେ ପ୍ରଭାବିତ ହୋଇ କପାର ମାନ କମିଯିବ । ଚାଷୀ ଶୋଷଣର ଶିକାର ହେବେ ବୋଲି ଆଶଙ୍କାରେ ରହିଛନ୍ତି । ଯଦି ଶୀଘ୍ର ବର୍ଷା ନହୁଏ, ତା’ହେଲେ ଏଥର କପାଚାଷ ପ୍ରଭାବିତ ହେବ ବୋଲି କୃଷି ବିଭାଗ ମଧ୍ୟ ସ୍ୱୀକାର କରିଛି । ମୌସୁମୀ ଠିକଣା ସମୟରେ ଓଡ଼ିଶାକୁ ଆସିଥିଲେ ହେଁ ବଲାଙ୍ଗିର ଜିଲ୍ଲାରେ ଆଶାନୁଯାୟୀ ବର୍ଷା ହୋଇପାରିନାହିଁ । ଓଡ଼ିଶା ରେନ୍‌ଫଲ୍‌ ଡାଟା ଅନୁଯାୟୀ ଜୁନ୍‌ ଶେଷ ସୁଦ୍ଧା ବଲାଙ୍ଗିର ଜିଲ୍ଲାରେ ୧୮୩.୨ ମିମି ବର୍ଷା ହେବା କଥା । ଅଦ୍ୟାବଧି ମାତ୍ର ୪୬.୬୯ ମିମି ବର୍ଷା ହୋଇଛି । ଚଳିତବର୍ଷ କୃଷି ବିଭାଗ ପକ୍ଷରୁ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାକୁ ଟାର୍ଗେଟ ନିଆଯାଇଥିବା ବେଳେ ୭୨ ହଜାର ହେକ୍ଟର ଜମିରେ କପାଚାଷ କରିବାକୁ ଟାର୍ଗେଟ ନିଆଯାଇଛି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷୀ କେବଳ ୫୫୦ ହେକ୍ଟର ଜମିରେ ଧାନ ବିହନ ଏବଂ ପ୍ରାୟ ୭ଶହ ହେକ୍ଟର ଜମିରେ କପା ବିହନ ବୁଣିପାରିଛି । ବଲାଙ୍ଗିର ଜିଲ୍ଲାରେ କପାଚାଷ ରାଜ୍ୟରେ ଦ୍ୱିତୀୟ । 

ଏଠିକାର ଚାଷୀଙ୍କ ପାଇଁ କପା ଏକ ଅର୍ଥକାରୀ ଫସଲ ଅଟେ । ଜିଲ୍ଲା ସାରା କପା ଚାଷ ହେଉଥିଲେ ହେଁ ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ଏବଂ ଟିଟିଲାଗଡ଼ ଉପଖଣ୍ଡର ବଙ୍ଗୋମୁଣ୍ଡା, ତୁରେଇକେଲା, ଟିଟିଲାଗଡ଼, ସଇଁନ୍ତଳା ଆଦି ଅଞ୍ଚଳରେ ପ୍ରଚୁର ପରିମାଣରେ କପା ଚାଷ ହୋଇଥାଏ । ଗଛ ଗଜୁରିବା ସମୟରେ ଅଧିକ ପାଣି ଓ ଯତ୍ନ ଲୋଡ଼ା ପଡ଼ିଥାଏ । ପରେ ଅଳ୍ପ ପାଣି ଦରକାର ପଡ଼େ, ଏପରିକି ଶୁଖିଲା ପରିବେଶରେ ମଧ୍ୟ ବଢ଼ିଥାଏ । ତେଣୁ କମ୍‌ ପରିଶ୍ରମ, କମ୍‌ ଜଳସେଚନ ଏବଂ କମ୍‌ ଖର୍ଚ୍ଚ ଲାଗୁଥିବାରୁ ଚାଷୀ କପା ଚାଷକୁ ପସନ୍ଦ କରିଥାଏ । ଏଥି ସହ ବଲାଙ୍ଗିରରେ କୃଷ୍ଣକାର୍ପାସ ମୃତ୍ତିକା ଥିବାରୁ ଏଠିକାର କପା ମଧ୍ୟ ଉନ୍ନତ ଧରଣର ହୋଇଥାଏ । ଏଠିକାର କପା କିଣିବାକୁ ମହାରାଷ୍ଟ୍ର, ତାମିଲନାଡୁ, ହରିୟାଣା, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ବେପାରୀମାନେ ଆସିଥାନ୍ତି । 

କେବଳ ଏତିକି ନୁହେଁ ବଲାଙ୍ଗିରରେ ପ୍ରଚୁର ମାତ୍ରାରେ କପା ଉତ୍ପାଦନ ହେଉଥିବାରୁ ଜିଲ୍ଲାରେ ୧୨ରୁ ୧୪ଟି କପା ମିଲ ମଧ୍ୟ ଚାଲୁଛି । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ପ୍ରାୟ ୨ ହଜାର ଲୋକ କପାଶିଳ୍ପରେ ନିଯୁକ୍ତି ପାଇଥାନ୍ତି । ତେଣୁ ନିଅଣ୍ଟିଆ ବର୍ଷା ହେଲେ କପାଚାଷ ପ୍ରଭାବିତ ହେବା ସହିତ ଜିଲ୍ଲାର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ପଚାରିବାରୁ ନିଅଣ୍ଟିଆ ବର୍ଷା ପାଇଁ ଚାଷ ପ୍ରଭାବିତ ହେବା ଆଶଙ୍କାକୁ ସ୍ୱୀକାର କରିଥିଲେ । ଯଦି ଠିକ୍‌ ସମୟରେ ଉପଯୁକ୍ତ ପରିମାଣର ବର୍ଷା ନ ହୁଏ, ତା’ହେଲେ ଚାଷ ବିଳମ୍ବ ହେବ ବୋଲି ସେ କହିଛନ୍ତି । ମାତ୍ର ପାଣିପାଗ ବିଭାଗ ଆସନ୍ତା ଦୁଇଦିନ ଭିତରେ ବର୍ଷା ହେବ ବୋଲି ଅନୁମାନ କରୁଥିବାରୁ ଚାଷୀମାନେ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.