ନୂଆଦିଲ୍ଲୀ: ଟାଇଫୁନ୍ ‘କାଜିକି’ ଭିଏତନାମରେ ତାଣ୍ଡବ ରଚିଛି । ସାମୁଦ୍ରିକ ଝଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ନେଇ ଲୋକଙ୍କୁ ସତର୍କ କରାଇଥିଲା । ହେଲେ ଝଡ଼ର କୋପ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ଜୀବନ ନେଇଛି ।
ସାମୁଦ୍ରିକ ଝଡ଼ ‘କାଜିକି’ ମାଡ଼ରେ ପ୍ରାୟ ୭,୦୦୦ ଘର କ୍ଷତିଗ୍ରସ୍ତ ହୋଇଛି । ୨୮,୮୦୦ ହେକ୍ଟର ଧାନ ଚାଷ ଜଳମଗ୍ନ ହୋଇଛି । ସେହିପରି ୧୮,୦୦୦ ଗଛକୁ ଉପୁଡ଼ିଯାଇଥିବା ଭିଏତନାମ ସରକାରଙ୍କ ଦ୍ବାରା ଜାରି ହୋଇଥିବା ବିବୃତିରୁ ଜଣାପଡ଼ିଛି । ଏହାଛଡ଼ ୩୩୦ରୁ ଅଧିତ ବିଦ୍ୟୁତ୍ ଖୁଣ୍ଟି ନଷ୍ଟ ହୋଇଛି । ଫଳରେ ଥାନ୍ହ ହୋଆ, ଙ୍ଗେଆନ୍, ହା ତିନ୍ହ, ଥାଇୟୁଏନ୍ ଏବଂ ଫୁଥୋ ପ୍ରାନ୍ତରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ୬୦ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନ ବିସ୍ଥାପିତ କରାଯାଇଛି ।
ସୋମବାର ଅପରାହ୍ଣରେ ସାମୁଦ୍ରିକ ‘କାଜିକି’ ଭିଏତନାମର ଉତ୍ତର-ମଧ୍ୟ ସମୁଦ୍ରତଟରେ ସ୍ଥଳଭାଗରେ ମାଡ଼ ହୋଇଥିଲା । ମଙ୍ଗଳବାର ସକାଳେ ଲାଓସ୍ ମୁହାଁ ହୋଇ ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା ବୋଲି ଭିଏତନାମ ଜାତୀୟ ପାଣିପାଗ ବିଭାଗ କହିଛି । ‘କାଜିକି’ ପ୍ରଭାବରେ ଉତ୍ତର ଭିଏତନାମର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ଛଅ ଘଣ୍ଟାରେ ୧୫୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ପରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଭୂସ୍ଖଳନ ହୋଇଥିଲା । ଅନ୍ୟପଟେ ସାମୁଦ୍ରିକ ଝଡ଼ ଭିଏତନାମରେ ମାଡ଼ ହେବା ପୂର୍ବରୁ ରବିବାର ଚୀନ୍ର ହାଇନାନ୍ ଦ୍ବୀପର ଦକ୍ଷିଣ ସମୁଦ୍ରତଟକୁ ସ୍ପର୍ଶ କରିଥିଲା ।