ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭାରଦ୍ୱାଜଙ୍କ ଘରେ ଇଡି ଚଢ଼ାଉ କରିଛି । ହସ୍ପିଟାଲ ନିର୍ମାଣ ଦୁର୍ନୀତି ମାମଲାରେ ଏହି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୌରଭ ଭରଦ୍ବାଜଙ୍କ ଘରେ ଇଡି ରେଡ୍ କରିବା ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଏହି ରେଡ୍ କରାଯାଇଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ଯଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ପ୍ରଧାନମନ୍ତ୍ରୀ ତାର ଛାତ୍ର ଥିଲେ ବୋଲି ଗର୍ବ କରେ ନାହିଁ, ତେବେ ଏହା କି ପ୍ରକାର ବିଶ୍ୱବିଦ୍ୟାଳୟ ? ଯେତେବେଳେ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ତାଙ୍କୁ ଡାକି ସମ୍ମାନିତ କରିଥିଲା । କାରଣ ତାଙ୍କର ଛାତ୍ରୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ଯେତେବେଳେ ସେ (ଆତିଶୀ) ମୁଖ୍ୟମନ୍ତ୍ରୀ ଥିଲେ, ସେଣ୍ଟ ଷ୍ଟିଫେନ୍ସ କଲେଜ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗର୍ବର ସହିତ ତାଙ୍କର ସଫଳତାକୁ ପ୍ରୋତ୍ସାହିତ କରିଥିଲା ବୋଲି ଆତିଶୀ କହିଛନ୍ତି।
ଆତିଶୀ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ଆପ୍ ଗୋଟିଏ ଟଙ୍କାର ମଧ୍ୟ ଦୁର୍ନୀତି କରିନାହିଁ ଏବଂ କେବେ କରିବ ନାହିଁ ।ସତ୍ୟେନ୍ଦ୍ର ଜୈନଙ୍କ ଉପରେ ମଧ୍ୟ ଏକ ମିଥ୍ୟା ମାମଲାରେ ଚଢାଉ କରାଯାଇଥିଲା ଏବଂ ବର୍ଷ ବର୍ଷ ବିତିଯିବା ପରେ ମଧ୍ୟ ତାଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ସିବିଆଇ ଏବଂ ଇଡିକୁ କ୍ଲୋଜର ରିପୋର୍ଟ ଦାଖଲ କରିବାକୁ ପଡିଥିଲା। ବିଜେପିର ପ୍ରତ୍ୟେକ ଷଡଯନ୍ତ୍ର ବିଫଳ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ବିଫଳ ହେବ ।
ଅନ୍ୟପକ୍ଷରେ, ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ, ନକଲି ଡିଗ୍ରିଧାରୀଙ୍କ ଖବରରୁ ଧ୍ୟାନ ହଟାଇବା ପାଇଁ ସୌରଭ ଭରଦ୍ୱାଜଙ୍କ ଘରେ ଇଡି ଚଢାଉ କରିଛି । ଦେଶ ଜାଣିବାକୁ ଚାହୁଁଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି କେବେ ପ୍ରକାଶ ପାଇବ ? ସୌରଭ ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ଅବାନ୍ତର, ଯାହା ନା ସାଧାରଣ ଲୋକଙ୍କୁ ବୁଝାଇପାରିବ ନା କୋର୍ଟରେ ପ୍ରମାଣିତ ହୋଇପାରିବ । ପ୍ରିୟଙ୍କା କକ୍କର କହିଛନ୍ତି ଯେ, ଯେଉଁମାନେ କହୁଛନ୍ତି ୨୦୧୬, ୨୦୧୮-୧୯ ଏବଂ ୨୦୨୧ ମସିହାରେ ୩୧ଟି ହସ୍ପିଟାଲକୁ ଦିଆଯାଇଥିବା ଅନୁମୋଦନରେ ଅନିୟମିତତା ହୋଇଛି, ସେମାନେ ଏଫଆଇଆର ଦାଖଲ କରି ନାହାନ୍ତି । ସେମାନେ ପ୍ରେସ୍ ରିଲିଜ୍ ମାଧ୍ୟମରେ ଅଭିଯୋଗ କରୁଛନ୍ତି । ଏହା ଦର୍ଶାଉଛି ଯେ, ଏହି ଅଭିଯୋଗ ନିରାଧାର ।
ପ୍ରିୟଙ୍କା କକ୍କର କହିଛନ୍ତି ଯେ, ସୌରଭ ଭରଦ୍ୱାଜ ୨୦୨୩ ମସିହାରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ପୂର୍ବରୁ ସତ୍ୟେନ୍ଦ୍ର ଜୈନ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ତାଙ୍କୁ ତିନି ବର୍ଷ ଜେଲରେ ରଖି ନିର୍ଯାତନା ଦିଆଯାଇଥିଲା । ତାଙ୍କ ପରିବାରକୁ ହଇରାଣ କରାଯାଇଥିଲା । ତାଙ୍କ ନାମକୁ କଳଙ୍କିତ କରାଯାଇଥିଲା ଏବଂ ପରିଣାମ ସ୍ୱରୂପ ସିବିଆଇ ଏବେ ତାଙ୍କ ମାମଲାରେ ଗୋଟିଏ ପରେ ଗୋଟିଏ କ୍ଲୋଜର ରିପୋର୍ଟ ଦାଖଲ କରୁଛି । ଆମେ ଏକମାତ୍ର ଦଳ ଯିଏ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଉପରେ ଏତେ କାମ କରିଛୁ ଯେ, ବିଜେପିର ନିଦ ହଜାଇ ଦେଇଛୁ । ବିଜେପି କେବଳ ହିନ୍ଦୁ-ମୁସଲିମ ରାଜନୀତି ଏବଂ ଘୋଡା ବେପାର ଜାଣେ ବୋଲି ସେ ଅଭିଯୋଗ କରିଛନ୍ତି ।