ମୈସୁର: କର୍ଣ୍ଣାଟକର ମୈସୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘଟଣାକ୍ରମେ ଏକ ଲଜ୍ରେ ଜଣେ ୨୦ ବର୍ଷୀୟ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାମ ରକ୍ଷିତା ହୋଇଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସିଦ୍ଦରାଜୁ ଏକ ବିସ୍ଫୋରକ ପାଉଡର ଷ୍ଟିକ୍ ବ୍ୟବହାର କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସାଲିଗ୍ରାମ ତାଲୁକର ଭେର୍ୟା ଗାଁରେ ସୋମବାର ଦିନ ଘଟିଥିବା ସୂଚନା ମିଳିଛି।
ଖବର ମୁତାବକ, ମୃତ ମହିଳା ଜଣଙ୍କ ହୁନସୁର ତାଲୁକର ଗେରାସାନହାଲ୍ଲୀ ଗାଁର ବାସିନ୍ଦା। ସେ କେରଳର ଜଣେ ପ୍ରବାସୀ ଶ୍ରମିକଙ୍କୁ ବିବାହ କରିଥିଲେ। ତାଙ୍କର ୨ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି। କିନ୍ତୁ ସେ ତାଙ୍କ ନିକଟ ସମ୍ପର୍କିୟ ସିଦ୍ଦରାଜୁଙ୍କ ସହ ମଧ୍ୟ ଏକ ଅନୈତିକ ସମ୍ପର୍କରେ ଥିଲେ। ପୁଲିସ ସୂଚନା ଅନୁଯାୟୀ, ଲଜ୍ରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଯାହା ଶେଷକୁ ହତ୍ୟାରେ ପରିଣତ ହୋଇଥିଲା।
ଅଭିଯୁକ୍ତ ସିଦ୍ଦରାଜୁ ପ୍ରଥମେ ଦାବି କରିଥିଲେ ଯେ ରକ୍ଷିତାଙ୍କ ମୃତ୍ୟୁ ଏକ ମୋବାଇଲ ଫୋନ ବିସ୍ଫୋରଣ ଯୋଗୁଁ ହୋଇଛି। କିନ୍ତୁ ସ୍ଥାନୀୟ ଲୋକମାନେ ତାଙ୍କୁ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିବା ଅବସ୍ଥାରେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ମୈସୁର ଏସପି ବିଷ୍ଣୁବର୍ଦ୍ଧନ ଏନ କହିଛନ୍ତି, "ଆମେ ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରିଛୁ। ମୃତ ମହିଳା ଜଣଙ୍କର ବିବାହ କେରଳରେ ଥିବା ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା, କିନ୍ତୁ ସେ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ଥିଲେ। ହତ୍ୟାର କାରଣ ଜାଣିବା ପାଇଁ ଆମେ ତଦନ୍ତ ଜାରି ରଖିଛୁ। ବିସ୍ଫୋରକ ପାଉଡରର ପ୍ରକୃତି ଜାଣିବା ପାଇଁ ଫରେନସିକ ସାଇନ୍ସ ଲାବୋରେଟୋରୀ (ଏଫଏସଏଲ) ଟିମ୍ ଦ୍ୱାରା ପରୀକ୍ଷା ନୀରିକ୍ଷା ଜାରି ରହିଛି।"
ସାଲିଗ୍ରାମ ପୁଲିସ ଅଭିଯୁକ୍ତ ସିଦ୍ଦରାଜୁଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।