ବିଶାଖାପାଟଣା: ଭାରତୀୟ ନୌସେନା ମଙ୍ଗଳବାର ଦିନ ବିଶାଖାପାଟଣାର ପୂର୍ବ ନୌସେନା କମାଣ୍ଡରେ ଦୁଇଟି ଅତ୍ୟାଧୁନିକ ନୀଳଗିରି-ଶ୍ରେଣୀ ଷ୍ଟେଲଥ ଗାଇଡେଡ୍-ମିସାଇଲ ଫ୍ରିଗେଟ, ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରିକୁ ଔପଚାରିକ ଭାବେ ନିୟୋଜିତ କରିଛି। ଏହି ଐତିହାସିକ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ଏହା ପ୍ରଥମ ଥର ଯେତେବେଳେ ଦୁଇଟି ଭିନ୍ନ ଶିପୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧ ଜାହାଜ ଏକସଙ୍ଗେ ନିୟୋଜିତ ହେଲେ। ଯାହା ଭାରତର ପୂର୍ବ ଉପକୂଳର ସାମୁଦ୍ରିକ ମହତ୍ତ୍ୱକୁ ପ୍ରତିପାଦିତ କରୁଛି।
ଉଭୟ ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରି ପ୍ରୋଜେକ୍ଟ 17ଏ (ନୀଳଗିରି-ଶ୍ରେଣୀ)ର ଅଂଶ। ଏହି ଜାହାଜଗୁଡ଼ିକ ପୂର୍ବ ଡିଜାଇନ ତୁଳନାରେ ଅତ୍ୟାଧୁନିକ ଷ୍ଟେଲଥ ବୈଶିଷ୍ଟ୍ୟ, ଉନ୍ନତ ଅସ୍ତ୍ରଶସ୍ତ୍ର, ସେନସର ଏବଂ ଆଧୁନିକ ପ୍ରପୋଲସନ ସିଷ୍ଟମ ସହିତ ନିର୍ମିତ। ଏଗୁଡ଼ିକରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ, ବାରାକ-8 ସାର୍ଫେସ-ଟୁ-ଏୟାର ମିସାଇଲ, 76 ମିମି ମେନ ଗନ, 30 ମିମି ଓ 12.7 ମିମି କ୍ଲୋଜ-ଇନ ୱେପନ ସିଷ୍ଟମ, ଟର୍ପେଡୋ ଟ୍ୟୁବ ଏବଂ ରକେଟ ଲଞ୍ଚର ସାମିଲ ରହିଛି। ଏହା ସହିତ ଏମଏଫ-ଷ୍ଟାର ଏଇଏସଏ ରାଡାର, ବିଇଏଲର ହୁମସା-ଏନଜି ସୋନାର, ଅଜନ୍ତା ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଏବଂ ସିଏମଏସ-17ଏ କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ ଭଳି ଅତ୍ୟାଧୁନିକ ସେନସର ସୁବିଧା ରହିଛି।
ଆଇଏନଏସ ଉଦୟଗିରି ମୁମ୍ବାଇର ମାଜଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ (ଏମଡିଏଲ) ଦ୍ୱାରା ନିର୍ମିତ ହୋଇଥିବା ବେଳେ ଆଇଏନଏସ ହିମଗିରି କୋଲକାତାର ଗାର୍ଡେନ ରିଚ ଶିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସଇ) ଦ୍ୱାରା ନିର୍ମାଣ କରାଯାଇଛି। ଉଦୟଗିରି ଏହାର ଶ୍ରେଣୀରେ ଲଞ୍ଚ ପରେ ସବୁଠାରୁ କମ ସମୟରେ ନିର୍ମାଣ ସରିଥିବା ଜାହାଜ ଭାବେ ରେକର୍ଡ ସୃଷ୍ଟି କରିଛି। ଯାହା ଭାରତୀୟ ଶିପୟାର୍ଡରେ ମୋଡୁଲାର ନିର୍ମାଣ କୌଶଳର ସଫଳତାକୁ ଦର୍ଶାଉଛି। ଉଭୟ ଜାହାଜରେ ପ୍ରାୟ 75% ସ୍ୱଦେଶୀ ଉପାଦାନ ରହିଛି, ଯେଉଁଥିରେ 200ରୁ ଅଧିକ ସ୍ୱଦେଶୀ ଏମଏସଏମଇ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏହା ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଦୃଷ୍ଟିକୋଣକୁ ଆଗେଇ ନେଇଛି।
ଆଇଏନଏସ ଉଦୟଗିରି ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ (ଡବ୍ଲ୍ୟୁଡିବି) ଦ୍ୱାରା ଡିଜାଇନ କରାଯାଇଥିବା ୧୦୦ତମ ଜାହାଜ ଭାବେ ଏକ ମାଇଲଷ୍ଟୋନ ସୃଷ୍ଟି କରିଛି। ଉଭୟ ଜାହାଜ ପୂର୍ବତନ ଆଇଏନଏସ ଉଦୟଗିରି (୧୯୭୬-୨୦୦୭) ଓ ଆଇଏନଏସ ହିମଗିରି (୧୯୭୪-୨୦୦୫) ନାମରେ ନାମିତ, ଯେଉଁଗୁଡ଼ିକ ଦୀର୍ଘ ବର୍ଷ ଧରି ଦେଶକୁ ସେବା ପ୍ରଦାନ କରିଥିଲେ। ଏହି ନୂଆ ଜାହାଜଗୁଡ଼ିକ ପୂର୍ବବର୍ତୀ ଜାହାଜଗୁଡ଼ିକର ଐତିହ୍ୟକୁ ସମ୍ମାନ ଦେଇ ନୌସେନାରେ ନୂଆ ଯୁଗର ସୂଚନା ଦେଉଛି।
ନିୟୋଜନ ପରେ ଉଭୟ ଜାହାଜ ପୂର୍ବ ନୌସେନା ଫ୍ଲିଟରେ ସାମିଲ ହେବେ। ଯାହା ଭାରତୀୟ ମହାସାଗର ଅଞ୍ଚଳରେ ଭାରତର ସାମୁଦ୍ରିକ ସୁରକ୍ଷା ଓ ରଣନୈତିକ ସ୍ୱାର୍ଥକୁ ସୁଦୃଢ଼ କରିବ। ଏହି ଜାହାଜଗୁଡ଼ିକ ବିମାନ ପ୍ରତିରକ୍ଷା, ସାର୍ଫେସ ଯୁଦ୍ଧ, ବୁଡାଜାହାଜ ବିରୋଧୀ ଅପରେସନ, ଇଲେକ୍ଟ୍ରୋନିକ ୱାରଫେୟାର ଏବଂ ନିରୀକ୍ଷଣ ଭଳି ବିଭିନ୍ନ ମିଶନ ପାଇଁ ସକ୍ଷମ। ଏହା ସହିତ ଏମଏଚ-60 ରୋମିଓ, ଏଏଲଏଚ ଧ୍ରୁବ ଏମକେ-III କିମ୍ବା ସି କିଙ୍ଗ ଭଳି ହେଲିକପ୍ଟର ଏହା ଉପରେ ଅବତରଣ କରିବାର ସାମର୍ଥ୍ୟ ରହିଛି ଯାହା ନୌସେନାର ଶକ୍ତିକୁ ଆହୁରି ବୃଦ୍ଧି କରିବ।
ଏହି ଜାହାଜଗୁଡ଼ିକର ନିର୍ମାଣ ଭାରତର ‘ମେକ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ର ସଫଳତାକୁ ପ୍ରତିଫଳିତ କରୁଛି। ପ୍ରାୟ ୪,୦୦୦ ସିଧାସଳଖ ଓ ୧୦,୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ଏହି ପ୍ରୋଜେକ୍ଟ ଭାରତୀୟ ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରିଛି। ଏହା ଭାରତର ସ୍ୱଦେଶୀ ଜାହାଜ ନିର୍ମାଣ ଓ ନୌସେନା ଆଧୁନିକୀକରଣରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଏହି ଘଟଣା ଭାରତର ସାମୁଦ୍ରିକ ଶକ୍ତି ଓ ସ୍ୱାବଲମ୍ବୀ ପ୍ରତିରକ୍ଷା ଉତ୍ପାଦନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚିହ୍ନିତ ହେବ।