ନୂଆଦିଲ୍ଲୀ,୨୬।୮: ପାକିସ୍ତାନ ବିରୋଧରେ ହୋଇଥିବା ‘ଅପରେସନ ସିନ୍ଦୂର’ ସମୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରହାର ସାରା ବିଶ୍ୱ ଦେଖିଥିଲା। ଏହି କ୍ଷେପଣାସ୍ତ୍ର ଯାହାକୁ ଟାର୍ଗେଟ ହିଟ୍ କରିଥିଲା ତାହା ସମ୍ପୂର୍ଣ୍ଣ ଧ୍ବଂସ ବିଧ୍ବସ୍ତ ହୋଇଯାଇଥିଲା। ବହ୍ମୋସ ଏହାର ସମସ୍ତ ସଂସ୍କରଣରେ ସଶସ୍ତ୍ର ବାହିନୀକୁ ଅଧିକ ଶକ୍ତିଶାଳୀ କରିଛି। ବ୍ରହ୍ମୋସର ଅଭୂତପୂର୍ବ ସଫଳତା ପରେ, ଭାରତୀୟ ନୌସେନା ଦୁଇଟି ନୂତନ ଯୁଦ୍ଧଜାହାଜ ଉଦୟଗିରି ଏବଂ ହିମଗିରି ପାଇବାକୁ ଯାଉଛି, ଯେଉଁଥିରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ସକ୍ଷମ ହେବ।
ନୂତନ ଭାବରେ ସାମିଲ କରାଯାଇଥିବା ଏହି ଯୁଦ୍ଧ ଜାହାଜ ସହ ଭାରତୀୟ ନୌସେନା ପାଖରେ ଏବେ ମୋଟ ୧୪ ଗାଇଡେଡ୍ ମିସାଇଲ୍ ଷ୍ଟିଲଥ୍ ଫ୍ରିଗେଟ୍ ରହିଛି। ପ୍ରତିଟି ଫ୍ରିଗେଟ୍ରେ ୮ ଭର୍ଟିକାଲ ଲଞ୍ଚ ବ୍ରହ୍ମୋସ ଆଣ୍ଟି ସିପ୍ ମିସାଇଲ ଲଞ୍ଚର ଲାଗିଛି। ତଲୱାର କ୍ଲାସ ଯୁଦ୍ଧ ଜାହଜ ୨୦୦୩ ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ବର୍ତ୍ତମାନ ୬ଟି ଜାହାଜ ସର୍ଭିସ ଦେଉଛି। ଏଥିରୁ ୪ଟିକୁ ବ୍ରହ୍ମୋସ ମିସାଇଲ ସହିତ ସଜ୍ଜିତ କରାଯାଇଛି। ଶେଷ ୨ଟି ଉପରେ କାମ ଚାଲିଛି। ଏହାଛଡା ୨୦୧୬ ରେ ଭାରତ-ରୁଷ ଚୁକ୍ତି ଅନୁସାରେ ୪ ନୂଆ ତଲୱାର କ୍ଲାସ ଯୁଦ୍ଧଜାହାଜ ତିଆରା କରାଯାଉଛି। ରୁଷରେ ତିଆରି ହୋଇଥିବା ତୁଷିଲ ଓ ତମାଲକୁ ନୌସେନାରେ ସାମିଲ କରାଯାଇ ସାରିଛି। ବାକି ୨ଟିକୁ ଖୁବ୍ ଶୀଘ୍ର ନୌସେନାରେ ସାମିଲ କରାଯିବ।
ଆଗାମୀ ସମୟରେ ଭାରତୀୟ ନୌସେନା ପାଖରେ ମୋଟ ୨୦ ଗାଇଡେଡ୍ ମିସାଇଲ ଫ୍ରିଗେଟ୍ ରହିବ, ଯେଉଁଥିରେ ୭ଟି ନିଳଗିରି କ୍ଲାସ, ୩ ଶିଭାଲିକ୍ କ୍ଲାସ ଓ ୧୦ ତଲୱାର କ୍ଲାସର ଜାହାଜ ରହିବ। ଏହାଛଡା ନୌସେନା ପାଖରେ ମୋଟ ୧୩ ଡେଷ୍ଟ୍ରୟର ରହିଛି। ଏଥିରେ ପ୍ରତ୍ୟେକ ନୂଆ ଡେଷ୍ଟ୍ରୟର ୧୬ ବ୍ରହ୍ମୋସ ଲଞ୍ଚର ରହିଛି। ସେଭଳି ପୁରୁଣା ଡେଷ୍ଟ୍ରୟରରେ ୮ଟି ଲଞ୍ଚର ଥିଲା। ଏଥିରୁ ୪ଟି ବିଶାଖାପଟନମ୍ କ୍ଲାସର ଗାଇଡେଡ୍ ମିସାଇଲ ବିଧ୍ବଂସକ, ୩ କୋଲକାତା କ୍ଲାସର, ୩ ଦିଲ୍ଲୀ କ୍ଲାସ ଓ ୩ ରାଜପୁତ କ୍ଲାସର ଗାଇଡେଡ୍ ମିସାଇଲ ବିଧ୍ବଂସକ ରହିଛି।