ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପହଲଗାମରେ ନିକଟରେ ହୋଇଥିବା ଆତଙ୍କୀ ହମଲା ପରେ କରାଯାଉଛି, ଯେଉଁଥିରେ ୨୬ ଲୋକଙ୍କ ମୃତ୍ୟୁ ହୋଇଥିଲା। ସୁରକ୍ଷା ଚିନ୍ତା ବୃଦ୍ଧି ମଧ୍ୟରେ ସଂପୃକ୍ତ ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି।
ସୂତ୍ରାନୁସାରେ, ଏହି ସର୍ଚ୍ଚ ଅପରେସନ ସେତେବେଳେ ଆରମ୍ଭ କରାଯାଇଛି , ଯେତେବେଳେ ଜଣେ ମହିଳା ପୁଲିସକୁ ସୂଚନା ଦେଇଛନ୍ତି ଯେ, ସେ ସେହି ଅଞ୍ଚଳରେ ୪ଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିଛନ୍ତି। ମହିଳାଙ୍କ ସୂଚନା ପରେ ଅଞ୍ଚଳରେ ଉତ୍ତେଜନା ଖେଳିଯାଇଛି ଏବଂ ସୁରକ୍ଷା ବାହିନୀ ତୁରନ୍ତ ଆକ୍ସନକୁ ଆସିଛନ୍ତି।
ଜମ୍ମୁ-କାଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (ଏସଓଜି) ଘଟଣା ସ୍ଥଳରେ ପହଞ୍ଚି ଯାଇଛି ଏବଂ ସ୍ଥାନୀୟ ପୁଲିସ ସହ ମିଶି ତଲାସୀ ଅଭିଯାନ ଚଳାଇଛନ୍ତି। ଅଞ୍ଚଳକୁ ଘେରାବନ୍ଦୀ କରି ଦିଆଯାଇଛି ଏବଂ ସବୁ ଯାତାୟାତ ଉପରେ କଡ଼ା ନଜର ରଖାଯାଇଛି।
ସୂଚନା ମୁତାବିକ , ଏହି ଅଞ୍ଚଳ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଅଛି ଏବଂ ପୂର୍ବରୁ ମଧ୍ୟ ଏଠାରେ ଅନୁପ୍ରବେଶର ଚେଷ୍ଟା ଦେଖିବାକୁ ମିଳିଛି। ସୁରକ୍ଷା ଏଜେନ୍ସିଙ୍କୁ ସନ୍ଦେହ ଯେ ସନ୍ଦିଗ୍ଧ କୌଣସି ବଡ଼ ଷଡ଼ଯନ୍ତ୍ରକୁ ସଫଳ କରିବାର ଉଦ୍ଦେଶ୍ୟ ଥାଇ ପାରନ୍ତି। ପୁଲିସ ଓ ସେନାର ଟିମ୍ ତଲାସୀ ଅଭିଯାନକୁ ଖୁବ୍ ସାବଧାନତା ଓ ରଣନୀତିକ ଉପାୟରେ କାର୍ଯ୍ୟକାରୀ କରିଛନ୍ତି। ଡ୍ରୋନ୍ ଓ ସ୍ନିଫର ଡଗ୍ ଗୁଡ଼ିକର ମଧ୍ୟ ସାହାଯ୍ୟ ନିଆଯାଉଛି।
ପୁଲୱାମାର କରିମାବାଦ ଅଞ୍ଚଳରେ ମଧ୍ୟ ସୁରକ୍ଷା ବାହିନୀ ଗୁଡ଼ିକ ତଲାସୀ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏହି ଅଞ୍ଚଳ ପୂର୍ବରୁ ମଧ୍ୟ ଆତଙ୍କୀଙ୍କ ଉପସ୍ଥିତି ନେଇ ଚର୍ଚ୍ଚାରେ ରହିଛି ଏବଂ ଏଠାରୁ ଅନେକ ଥର ଅନୁପ୍ରବେଶର ଖବର ଆସିଛି। ବର୍ତ୍ତମାନ ପୂରା ଅଞ୍ଚଳକୁ ସିଲ୍ କରିଦିଆ ଯାଇଛି ଏବଂ ତଲାସୀର ପରିସର ଲଗାତାର ବୃଦ୍ଧି କରାଯାଉଛି ।
ପହଲଗାମ ହମଲା ପରେ ସ୍ଥଳସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନିଜେ ଜମ୍ମୁ-କାଶ୍ମୀରର ଉଧମପୁର ସ୍ଥିତ ଉତ୍ତରୀ କମାଣ୍ଡ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେନା ଅଧିକାରୀଙ୍କ ମୁତାବିକ , ଜେନେରାଲ ଦ୍ୱିବେଦୀଙ୍କୁ ଏଲଓସିରେ ପୁଚ୍ଛ-ରାଜୋରୀ ଜିଲ୍ଲା ଓ ପିର୍ ପଞ୍ଜାଲ ରେଞ୍ଜର ଦକ୍ଷିଣୀ ଅଞ୍ଚଳର ସୁରକ୍ଷା ସ୍ଥିତିର ବିସ୍ତୃତ ସୂଚନା ଦିଆଯାଉଛି। ସେ ବର୍ତ୍ତମାନ ସ୍ଥିତିର ଅନୁଧ୍ୟାନ କରିବା ସହ ସୁରକ୍ଷା ପ୍ରସ୍ତୁତି ଗୁଡ଼ିକର ସମୀକ୍ଷା କରୁଛନ୍ତି।