ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂହ ପହଲଗାମ ଆକ୍ରମଣକୁ ନେଇ ନିଜ ଦଳ ଉପରେ କଠୋର ଆକ୍ରମଣ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ଲାଗି ଗୁନା ଜିଲ୍ଲାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ଲକ୍ଷ୍ମଣ ସିଂହ । ସେଠାରେ ସମାବେଶକୁ ସମ୍ବୋଧିତ କରି ଲକ୍ଷ୍ମଣ ସିଂହ ଅଭିଯୋଗ କରିଛନ୍ତି ଯେ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଆତଙ୍କବାଦୀଙ୍କ ସହ ସାମିଲ ଅଛନ୍ତି ।
କଂଗ୍ରେସ ନେତା ଲକ୍ଷ୍ମଣ ସିଂହ କହିଛନ୍ତି ଯେ, କଂଗ୍ରେସ ତୁରନ୍ତ ଜମ୍ମୁ-କାଶ୍ମୀରର ନ୍ୟାସନାଲ କନଫରେନ୍ସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ଉଚିତ। ରାହୁଲ ଗାନ୍ଧୀ ଏବଂ ତାଙ୍କ ଭିଣୋଇ ରବର୍ଟ ଭଦ୍ରା ଏହି ପ୍ରସଙ୍ଗରେ ଭାବିଚିନ୍ତି କହିବା ଦରକାର । ଭଲ ଭାବରେ ଚିନ୍ତା କରିବା ପରେ କ୍ୟାମେରା ଆଗରେ ଏହା କହୁଛି ବୋଲି ସେ କହିଛନ୍ତି । ଏହା ସହ ତାଙ୍କୁ ଦଳରୁ ବହିଷ୍କାର କଲେ ବି ତାଙ୍କୁ ଫରକ ପଡ଼ିବନି ବୋଲି କହିଛନ୍ତି ଲକ୍ଷ୍ମଣ ସିଂହ । ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖିବା ବିଷୟରେ ମଧ୍ୟ ସେ କହିଛନ୍ତି।
କଂଗ୍ରେସ ନେତା ଲକ୍ଷ୍ମଣ ସିଂହ ଏତିକିରେ ଅଟକି ନଥିଲେ। ସେ ଦଳର ବରିଷ୍ଠ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଲକ୍ଷ୍ମଣ ସିଂହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା କହୁଛନ୍ତି ଯେ, ମୁସଲମାନମାନଙ୍କୁ ରାସ୍ତାରେ ନମାଜ ପାଠ କରିବାର ଅନୁମତି ନାହିଁ, ତେଣୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ବୁଦ୍ଧିମାନ ଭାବରେ କଥା ହେବାକୁ ପରାମର୍ଶ ଦେଇ ଲକ୍ଷ୍ମଣ ସିଂହ କହିଛନ୍ତି ଯେ, ସେମାନଙ୍କ ମୂର୍ଖତା ଯୋଗୁଁ ଏପରି ଘଟଣା ଘଟଛୁ।
କ୍ୟାମେରା ସାମ୍ନାରେ ଭାବିଚିନ୍ତି ସେ ଏହି ମନ୍ତବ୍ୟ ଦେଉଛନ୍ତି ବୋଲି ଦୃଢ଼ତାର ସହ କହିଛନ୍ତି ଲକ୍ଷ୍ମଣ ସିଂହ । ସେ କହିଛନ୍ତି, ‘ମୋ ପାଇଁ ପ୍ରଥମେ ଦେଶ । ଯଦି ଦଳ ମୋତେ ବହିଷ୍କାର କରିବାକୁ ଚାହୁଁଛି, ତେବେ କିଛି ଅସୁବିଧା ନାହିଁ । କଂଗ୍ରେସ ନେତାମାନେ କହିବା ପୂର୍ବରୁ ୧୦ ଥର ଚିନ୍ତା କରିବା ଉଚିତ, ନଚେତ୍ ନିର୍ବାଚନରେ ସେମାନଙ୍କୁ ପରିଣାମ ଭୋଗିବାକୁ ପଡିବ।’ ଏହା ସହ ଲକ୍ଷ୍ମଣ ସିଂହ ପହଲଗାମ ଆକ୍ରମଣରେ ଓମର ଅବଦୁଲ୍ଲାଙ୍କ ଭୂମିକା ସନ୍ଦେହଜନକ ବୋଲି କହିଛନ୍ତି।