ନୂଆଦିଲ୍ଲୀ, ୨୩ ।୮: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆମେରିକା ଓ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଇତିହାସକୁ ଅଣଦେଖା କରିବା ଉଭୟ ଦେଶର ଅଭ୍ୟାସ । ଏଥିସହ ସେ କହିଛନ୍ତି ବାଣିଜ୍ୟ କାରବାରକୁ ନେଇ ଆମେରିକା ସହ ଭାରତର କୌଣସି ବିବାଦ ନାହିଁ । ଭାରତ ସବୁବେଳେ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଆସିଛି ବୋଲି ସେ କହିଛନ୍ତି । ନୂଆଦିଲ୍ଲୀରେ ଶନିବାର ଅନୁଷ୍ଠିତ ୱାର୍ଲଡ ଲିଡର୍ସ ଫୋରମ୍ ୨୦୨୫କୁ ସମ୍ବୋଧନ କରି ଜୟଶଙ୍କର ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକୀୟ ସେନା ଚଢ଼ଉ କରି ଅଲ୍କାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ହତ୍ୟା କରିବା କଥା ମନେପକାଇଛନ୍ତି । ସେ କହିଛନ୍ତି ପାକିସ୍ତାନ ସହ ପୁରୁଣା ସମ୍ପର୍କକୁ ଆମେରିକା ଭୁଲିଯାଉଛି । ଦୁନିଆର ସବୁଠାରୁ କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନ ପାକିସ୍ତାନର ଆବୋଟାବାଦ ସହରରେ ହିଁ ମିଳିଥିଲା । ଆମେରିକା ଓ ପାକିସ୍ତାନର ଏକ ଇତିହାସ ରହିଛି । ଯାହାକୁ ଆମେରିକା ଲଗାତାର ଭାବେ ଅଣଦେଖା କରିଆସୁଛି । ଏହା ପ୍ରଥମ ଘଟଣା ନୁହେଁ । କିଛି ଦେଶ ନିଜର ସୁବିଧା ଲାଗି ରାଜନୀତି କରୁଛନ୍ତି । ଯାହାଫଳରେ କି କିଛି ରଣନୀତିକ ଫାଇଦା ମିଳିପାରିବ । ଯେତେବେଳେ ଆମେ ଆମେରିକା ଓ ପାକିସ୍ତାନର ସମ୍ପର୍କ ଆଗକୁ ବଢ଼ୁଥିବାର ଦେଖୁ ସେତେବେଳେ ଭାରତ ଚିନ୍ତା କରେ ଆମେରିକା ସହ ତାର ସମ୍ପର୍କ କେତେ ମଜଭୁତ । ସେହି ସମ୍ପର୍କକୁ ପ୍ରାସଙ୍ଗିକ କରି ରଖିବାର ପ୍ରସଙ୍ଗ କଣ । ଉଭୟ ଆମେରିକା ଓ ପାକିସ୍ତାନକୁ ଭଲ ଭାବେ ଜଣାଅଛି କି ଭାରତ କଣ, ଏହାର ଶକ୍ତି କଣ ଏବଂ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କିଭଳି ଅଛି ତଥା ତାର ପ୍ରାସଙ୍ଗିକତା କେତେ ।
ଭାରତ-ପାକ୍ ସମ୍ପର୍କ ଉପରେ ଜୟଶଙ୍କର କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ସମ୍ପର୍କରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ । ମଧ୍ୟସ୍ଥତାର ବିରୋଧ କଥା ଆସିଲେ ଭାରତର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଛି । ସତୁରୀ ଦଶକରୁ ଆଜି ପର୍ଯ୍ୟନ୍ତ ୫୦ ବର୍ଷରୁ ଅଧିକ ସମୟ ହେଲା ଭାରତ ସର୍ବଦା କହିଆସିଛି ଯେ ପାକିସ୍ତାନ ପ୍ରସଙ୍ଗରେ କୌଣସି ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ । ପ୍ରକୃତ କଥା ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ପାକ୍ ସଂଘର୍ଷକୁ ନେଇ ଯୁଦ୍ଧବିରତି କରିଥିବା କଥା ଅନେକଥର ଦାବି କରିଆସିଛନ୍ତି । କିନ୍ତୁ, ଭାରତ ତାଙ୍କର ଏଭଳି ଦାବିକୁ ଅଗ୍ରାହ୍ୟ କରିଆସିଛି । ଏହା ଉପରେ ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ସଂଘର୍ଷ ଘଟେ ଗୋଟିଏ ଦେଶ ଅନ୍ୟ ଦେଶ ସହ କଥାବାର୍ତ୍ତା କରେ । ଆମେରିକା ଓ ଅନ୍ୟ ଦେଶମାନେ ଭାରତ ସହ କଥାବାର୍ତ୍ତା କରିଥିଲେ । ଏକଥା କାହାକୁ ଅଛପା ନାହିଁ । ଏସବୁ କଥାବାର୍ତ୍ତାର ଫୋନ୍ କଲର ସମସ୍ତ ତଥ୍ୟ ସୋସିଆଲ ମିଡିଆ ଆକାଉଣ୍ଟସ୍ରେ ଏବେ ବି ଉପଲବ୍ଧ ଅଛି । ସେ ଇସ୍ରାଏଲଇରାନ, ରୁଷ-ୟୁକ୍ରେନ ସଙ୍କଟ ସମୟରେ ମଧ୍ୟ ଫୋନ୍ କରିଥିଲେ । ଆଜିର ବୈଶ୍ୱିକ ସମ୍ପର୍କରେ ଏହା ସାଧାରଣ କଥା । କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ଫୋନ୍ କଲ ଯୋଗୁ ହୋଇଥିଲା, ଏକଥା କହିବା ସମ୍ପୂର୍ଣ୍ଣ ଭାବେ ଭୁଲ୍ ।
ବାଣିଜ୍ୟ କାରବାର ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ ଆମେରିକା ସହ ଭାରତର କୌଣସି ମତଭେଦ ନାହିଁ । ଏବେ ବି ଦୁଇଦେଶ ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ କଥାବାର୍ତ୍ତା ଜାରି ରହିଛି । ରୁଷ ଠାରୁ ତେଲ କିଣାଯିବା ଉପରେ ସେ କହିଛନ୍ତି ଯେ ଭାରତ ନିଜର ରାଷ୍ଟ୍ରୀୟ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛି । ରୁଷ ଠାରୁ କମ୍ ଦାମରେ ତେଲ କିଣି ଉଚ୍ଚଦାମରେ ବିକ୍ରି କରିବା ଅଭିଯୋଗ ଉପରେ ଜୟଶଙ୍କର କହିଛନ୍ତି ଯେ ଯଦି କୌଣସି ଦେଶକୁ ଭାରତ ଠାରୁ ତେଲ କିଣିବାରେ ସମସ୍ୟା ଅଛି ତେବେ ସେହି ଦେଶ ତେଲ ନ କିଣୁ । ଭାରତ କୌଣସି ଦେଶକୁ ତେଲ କିଣିବା ଲାଗି ଚାପ ପକାଉନାହିଁ । ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଭାରତ ସରକାରଙ୍କ ବିଚାର ସ୍ପଷ୍ଟ ରହିଛି । ଯଦି କେହି ଏଥିରେ ଅସହମତ ତେବେ ଜଣାଉ କି ସେ ଚାଷୀଙ୍କ ହିତରେ ନାହିଁ । ଦେଶ ହିତରେ ନାହିଁ । ଚାଷୀ ଓ ଦେଶର ହିତ ପାଇଁ ଯାହା କରିବା କଥା ଆମେ ତାହା ହିଁ କରିବୁ । ଟ୍ରମ୍ପଙ୍କ ବିଦେଶ ନୀତି ସମ୍ପର୍କରେ ସୂଚନା ଦେଇ ଜୟଶଙ୍କର କହିଲେ ଯେ ଟ୍ରମ୍ପ ତାଙ୍କର ବିଦେଶ ନୀତି ଯେଭଳି ଚଳାଉଛନ୍ତି ଆମେରିକାର ଅନ୍ୟ କୌଣସି ରାଷ୍ଟ୍ରପତି ସେଭଳି କରି ନଥିଲେ । ତାଙ୍କର ବିଦେଶ ନୀତି ଅନ୍ୟ ରାଷ୍ଟ୍ରପତିଙ୍କ ଠାରୁ ଭିନ୍ନ । ଟ୍ରମ୍ପଙ୍କ ପରିବର୍ତ୍ତିତ ବିଦେଶ ନୀତି କେବଳ ଭାରତ ପର୍ଯ୍ୟନ୍ତ ସୀମିତ ନାହିଁ । ସମଗ୍ର ଦୁନିଆ ସହିତ ଟ୍ରମ୍ପଙ୍କର ବ୍ୟବହାର କରିବାର ତରିକା, ଏପରିକି ନିଜ ଦେଶ ସହିତ ବ୍ୟବହାରର ତରିକା ରୁଢ଼ୀବାଦି ଶୈଳୀଠାରୁ ବହୁତ ଅଲଗା ବୋଲି ଜୟଶଙ୍କର କହିଛନ୍ତି ।