ନୂଆଦିଲ୍ଲୀ,୨୪।୮: ଗାଁର ମାଟି, ପାଣି ଓ ପବନରେ ଦେଶପ୍ରେମ। ପିଲାଟିଏ ଜନ୍ମ ହେବା ପରେ ଗୋଟିଏ ସ୍ବପ୍ନ ଦେଖେ, ତାହା ହେଲା ଦେଶ ସେବା। ଗାଁର ପ୍ରତ୍ୟେକଟି ପୁଅ ବୀର ଯବାନ। ସୀମାରେ ଶତ୍ରୁ ସହ ମୁକାବିଲା କରିବା ସହ ଦେଶ ସୁରକ୍ଷାର ନେଇଛନ୍ତି ପ୍ରତିଜ୍ଞା। ଏଭଳି ଏକ ଗାଁ ହେଉଛି ଛତିଶଗଡର କିରିଟ, ଯାହାର ମାଟି ବୀର ସୁପୁତ୍ରଙ୍କୁ ଜନ୍ମ ଦେଇଛି। କିରିଟ ଗାଁର ୧୦୦ ରୁ ଅଧିକ ଯୁବକ ଏବେ ସ୍ଥଳସେନାରେ ଭିନ୍ନ ଭିନ୍ନ ପଦବୀରେ ସୀମାରେ ମୁତୟନ ଅଛନ୍ତି। ଏହାଛଡା ପୋଲିସ, ଆଇଟିବିପି, ସିଆରପିଏଫ, ସିଆଇଏସଏଫରେ ମଧ୍ୟ କାର୍ଯ୍ୟରତ। ଦେଶ ସେବାର ଉତ୍ସାହ ଓ ସେନାରେ ଭର୍ତ୍ତି ହେବାର ପ୍ରଥା ଗାଁରେ ବିଗତ ୪ ଦଶକ ପୂର୍ବରୁ ଆରମ୍ଭ ହୋଇଥିଲା, ଯାହାକି ଏବେ ଯାଏଁ ବି ଚାଲିଛି।
ଏହି ଗାଁର ଜନସଂଖ୍ୟା ୪ ହଜାର, କିନ୍ତୁ ଅଧିକାଂଶ ପିଲା ସେନାରେ ଚାକିରୀ କରିବାର ଇଚ୍ଛା ରଖନ୍ତି। ୬ ଜୁନ ୧୯୮୫ ରେ ସର୍ବ ପ୍ରଥମେ ଗାଁର ଧ୍ୟାନଚନ୍ଦ ଚନ୍ଦ୍ରା ସ୍ଥଳସେନାରେ ନିଯୁକ୍ତି ପାଇଥିଲେ। ଧ୍ୟାନଚନ୍ଦ କେବେ ବି ଭାବିନଥିଲେ, ତାଙ୍କ ପରେ ଗାଁର ଅନ୍ୟ ଯୁବକମାନେ ସେନାରେ ଯୋଗ ଦେବାର ସ୍ବପ୍ନ ଦେଖିବେ। ତାଙ୍କ ପରଠାରୁ ପ୍ରତିବର୍ଷ ଗାଁର ଯୁବକ ସେନାରେ ଯୋଗ ଦେଉଛନ୍ତି। ସେଥିପାଇଁ ଗାଁ ପିଲାଙ୍କ ସକାଳ ଆରମ୍ଭ ହୁଏ ଟ୍ରେନିଂରୁ। ରନିଂ ସହ ଚାଲେ ଏକ୍ସସରସାଇଜ। ଏପରିକି ପିଲାମାନେ ଦୈନିକ ୧୦ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ପ୍ରତିଦିନ ଦୌଡିଥାନ୍ତି।
କିରିଟ ଗାଁ ଦେଶପ୍ରେମର ମାଟିରେ ବଢ଼ିଥିବା ଏକ ନିଆରା ଗାଁ, ଯେଉଁଠି ପ୍ରତ୍ୟେକ ଘରୁ ଜଣେ ଜଣେ ସୈନିକ ରହିଛନ୍ତି। ଛତିଶଗଡ଼ର ଜାଞ୍ଜଗିର ଚମ୍ପା ଜିଲ୍ଲାରେ ଅବସ୍ଥିତ ଏହି ଛୋଟ ଗାଁ ସମଗ୍ର ଦେଶ ପାଇଁ ପ୍ରେରଣା ପାଲଟିଛି। ଗତ ୪ ଦଶନ୍ଧିରେ, ପ୍ରତିବର୍ଷ ଗାଁରୁ ୫ ରୁ ୬ ଜଣ ଯୁବକଙ୍କୁ ସେନାରେ ସିଲେକ୍ସନ କରାଯାଏ । ଗାଁର ପ୍ରବେଶ ପଥରେ ଯେତେବେଳେ ପଶିଯିବେ, ସେଇଠି ଦେଖିବାକୁ ପାଇବେ ଲେଖାଥିବ ସୈନିକ ନଗର। ନିଶ୍ଚିତ ପକ୍ଷେ ଏଭଳି ଏକ ଗାଁ ପୁରା ଦେଶ ପାଇଁ ଗୌରବ ଆଣି ଦେଇଛି। ଆଗାମୀ ଦିନରେ ବହୁ ସଂଖ୍ୟାରେ ଯୁବପୀଢି ସେନାରେ ଯୋଗଦେବାର ମଧ୍ୟ ଆଶା ରହିଛି।