ନୂଆଦିଲ୍ଲୀ: ଇରାନ ଇସ୍ରାଏଲର ସୋରୋକା ହସ୍ପିଟାଲ ଉପରେ କ୍ଷେପଣାସ୍ତ୍ର ମାଡ କରିଛି । ଏହି ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆଉ ଏହା ପରେ ଏବେ ଇସ୍ରାଏଲ ଖୋଲାଖୋଲି ଭାବରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କୁ ଧମକ ଦେଇଛି। ଏହି ଆକ୍ରମଣକୁ ଯୁଦ୍ଧ ଅପରାଧ ବୋଲି ବିବେଚନା କରିଛି । ଏବଂ କହିଛି ଯେ ଖାମେନି ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କୋଟଜ୍ ଆକ୍ରମଣ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ କୋଟଜ୍ କହିଛନ୍ତି ଯେ, "କାପୁରୁଷ ଇରାନୀ ଏକଛତ୍ରବାଦୀ ଶାସକ ଏକ ବଙ୍କରରେ ଲୁଚି ରହିଛନ୍ତି ଏବଂ ଆମର ହସ୍ପିଟାଲ ଏବଂ ଆବାସିକ ସ୍ଥାନ ଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଏହା ସବୁଠାରୁ ଖରାପ ପ୍ରକାରର ଯୁଦ୍ଧ ଅପରାଧ। ଖାମେନିଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡିବ। ସେ ଏହି ଅପରାଧ ପାଇଁ ସମ୍ପୂର୍ଣ୍ଣ ଦାୟୀ।" କାଟ୍ଜ୍ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନରେ ଆକ୍ରମଣକୁ ଆହୁରି ତୀବ୍ର କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଖାମେନିଙ୍କୁ ଚେତାବନୀ ଦେଇଛନ୍ତି। ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସେ ଏହାର ଉପଯୁକ୍ତ ଜବାବ ଦେଇଛନ୍ତି। ନେତାନ୍ୟାହୁ ଟ୍ୱିଟରରେ ଲେଖିଛନ୍ତି କି,"ଇରାନର ଆତଙ୍କବାଦୀ ଏକଛତ୍ରବାଦୀ (ଖାମେନି)ଙ୍କ ସୈନିକ ମାନେ ସାରୋକା ହସ୍ପିଟାଲ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଏବେ ଇରାନକୁ ଏହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡିବ।"