ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ଡକ୍ଟର ସେୟଦ ଅବ୍ବାସ ଆରାଘଚି ଆଜି ଭାରତ ଗସ୍ତରେ ଆସିଛନ୍ତି। ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ୨୦ତମ ଭାରତ-ଇରାନ ଯୁଗ୍ମ ଆୟୋଗ ବୈଠକରେ ସହ-ଅଧ୍ୟକ୍ଷତା କରିବେ। ଏହି ବୈଠକ ହାଇଦ୍ରାବାଦ ହାଉସରେ ଅନୁଷ୍ଠିତ ହେବ। ଯେଉଁଠାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି, ସଂଯୋଗୀକରଣ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବାକୁ ଯାଉଛି। ଏହା ସହିତ, ଚାବାହାର ବନ୍ଦର ବିକାଶ ପ୍ରକଳ୍ପ ଭଳି ପ୍ରମୁଖ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।
ଏହି ଗସ୍ତ ଭାରତ ଏବଂ ଇରାନ ମଧ୍ୟରେ ୧୯୫୦ରେ ସ୍ଥାପିତ ମୈତ୍ରୀ ଚୁକ୍ତିର ୭୫ତମ ବାର୍ଷିକୀ ଉତ୍ସବ ସହିତ ମଧ୍ୟ ମେଳ ଖାଉଛି। ଆରାଘଚି ଆଜି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଏହି ବୈଠକ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଉଚ୍ଚତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଆରାଘଚିଙ୍କ ଏହି ଗସ୍ତ ପୂର୍ବରୁ ପାକିସ୍ତାନରେ ଏକ ରାଜନୈତିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ସେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆରାଘଚି ତୀବ୍ର ନିନ୍ଦା କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ତାଙ୍କର ଏହି ପ୍ରସ୍ତାବକୁ ଭାରତ ଗ୍ରହଣ କରି ନାହିଁ।
ସୂଚନାଯୋଗ୍ୟ, ଏହି ଯୁଗ୍ମ ଆୟୋଗ ବୈଠକ ପୂର୍ବରୁ କୋଭିଡ-୧୯ ମହାମାରୀ ଏବଂ ଦୁଇ ଦେଶର ଆଭ୍ୟନ୍ତରୀଣ ପ୍ରାଥମିକତା ହେତୁ କିଛି ବର୍ଷ ବ୍ୟବଧାନରେ ହୋଇଥିଲା। ଏହି ବୈଠକରେ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଚାଲିଥିବା ଆନ୍ତର୍ଜାତୀୟ ଆଲୋଚନା ଉପରେ ମଧ୍ୟ ଆଲୋକପାତ ହୋଇପାରେ। ଏହାଛଡା ଦୁଇଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ କାରବାରକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।
ଆରାଘଚିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ଆହୁରି ମଜବୁତ କରିବ ଏବଂ ଆଞ୍ଚଳିକ ସ୍ଥିରତା ଓ ସହଯୋଗ ପାଇଁ ନୂଆ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।