ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଅନ୍ତର୍ଜାତୀୟ ହାତୀ ଦିବସ: ଦୁର୍ଲ୍ଲଭ ଦାନ୍ତ ପାଇଁ ହାତୀ ଶିକାର, ଚୀନ୍‌କୁ ଲମ୍ବିଛି ଚୋରା ଚାଲାଣ ସିଣ୍ଡିକେଟ୍

Published By : Manoj | August 12, 2025 11:52 AM

ଭୁବନେଶ୍ୱର,୧୨/୦୮: ଚାରି  ଦିନ ତଳେ କେନ୍ଦୁଝର ବନଖଣ୍ଡରୁ ୫  ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିଥିଲା  ବନ ବିଭାଗ । ସେମାନଙ୍କଠାରୁ ୫ କେଜି ଓଜନର ୪ ହାତୀଦାନ୍ତ ଜବତ  ହୋଇଥିଲା । ଏମାନେ ହାତୀଦାନ୍ତକୁ  ବିଦେଶକୁ ଚାଲାଣ କରିବା ଚକ୍କରରେ  ଥିଲେ ବୋଲି ତଦନ୍ତରୁ ଜଣାପଡିଥିଲା । 

ଗତ ଜୁନ୍‌ ୨ ତାରିଖରେ କ୍ରାଇମ୍‌ବ୍ରାଞ୍ଚ  ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)  ବୌଦ୍ଧ ଜିଲ୍ଲାର ପ୍ରମୋଦ ପରିଡ଼ା ନାମକ ଜଣେ ଶିକାରୀଠାରୁ ୨ଟି ହାତୀଦାନ୍ତ ଜବତ  କରିଥିଲା । ଯାହାର ଆନୁମାନିକ ବଜାର  ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି  ଏସ୍‌ଟିଏଫ୍‌ ଆକଳନ କରିଥିଲା । 

କେବଳ ଏହି ଦୁଇଟି ଘଟଣା ନୁହେଁ, ଦୁର୍ଲ୍ଲଭ ଦାନ୍ତ ପାଇବା ପାଇଁ ପ୍ରତିବର୍ଷ ଅନେକ ଗଜରାଜଙ୍କୁ ମାରି ଦିଆଯାଉଛି । କେଉଁଠି  ଶିକାରୀ ଗୁଳିରେ ହାତୀ ଟଳିବା ପରେ ଦାନ୍ତ କାଟି ନେଉଛନ୍ତି । କେଉଁଠି ବିଦ୍ୟୁତ ଆଘାତ ଓ ଟ୍ରେନ୍‌ ଦୁର୍ଘଟଣାରେ ହାତୀର ଅକାଳ ମୃତ୍ୟୁ ପରେ ଦାନ୍ତ ଗାଏବ୍‌ ହୋଇଯାଉଛି । ହାତୀ ଦାନ୍ତ ଚାଲାଣ ସିଣ୍ଡିକେଟ୍‌ର ଚେର ଓଡ଼ିଶାରୁ  ବିଦେଶକୁ ଲମ୍ବିଛି, ଭାୟା ବାଂଲାଦେଶ ଓ  ନେପାଳ ହୋଇ ଚୀନକୁ ଚାଲାଣ ହେଉଛି ।  

ବନ ବିଭାଗର ତଥ୍ୟ ଆଧାରରେ, ୨୦୧୭-୧୮ରୁ ଗତବର୍ଷ ନଭେମ୍ବର ଭିତରେ  ମୋଟ ୬୭୪ ହାତୀ ମରିଛନ୍ତି । ଶିକାରୀଙ୍କ  ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ  ଯାଇଛି । ମୃତ୍ୟୁ ପରେ ପ୍ରାୟ ସବୁ ହାତୀଙ୍କ  ଦାନ୍ତ କାଟି ନେଇଛନ୍ତି ଶିକାରୀ । ଟ୍ରେନ୍‌  ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି  ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି ହାତୀ  ମରିଛନ୍ତି । ବିଦ୍ୟୁତ ଝଟ୍‌କା ଖାଇ ୧୨୩ଟି  ହାତୀଙ୍କ ପ୍ରାଣ ଯାଇଛି । ଏଥିରୁ ଅଧିକାଂଶ  ହାତୀଙ୍କ ଦାନ୍ତ ଗାଏବ ହୋଇଯାଇଛି । 

ଏସ୍‌ଟିଏଫ୍‌ ତଥ୍ୟ ମୁତାବକ, ବନ୍ୟଜନ୍ତୁ  ତସ୍କରୀ ବିରୋଧରେ ୨୦୨୦ରୁ ଆରମ୍ଭ  ହୋଇଥିବା ସ୍ପେସାଲ ଡ୍ରାଇଭ୍‌ରେ ଏଯାବତ୍‌  ୫୮ଟି ହାତୀଦାନ୍ତ ଉଦ୍ଧାର କରାଯାଇଛି ।  ଏସ୍‌ଟିଏଫ୍‌ ତୁଳନାରେ ବନ ବିଭାଗ ହାତୀଦାନ୍ତ  ଉଦ୍ଧାର କ୍ଷେତ୍ରରେ ପଛରେ ପଡ଼ିଛି । ବନ  କର୍ମଚାରୀ- ଶିକାରୀ ମଧୁଚନ୍ଦ୍ରିକା ଯୋଗୁ  ଦନ୍ତାହାତୀ ଶିକାର ବଢ଼ିଚାଲିଛି ।  

ଏସବୁ ସରକାରୀ ତଥ୍ୟକୁ ବାଦ୍‌  ଦେଲେ, ପ୍ରତିବର୍ଷ ବାସ୍ତବରେ ଅନେକ  ଦନ୍ତାହାତୀ ଶିକାର କରାଯାଉଛି । ବନ  ବିଭାଗର ପାଟ୍ରୋଲିଂ ଅଭାବରୁ ଘଞ୍ଚ ଜଙ୍ଗଲ ଭିତରେ ହିଁ ହାତୀ ଶିକାରୀଙ୍କ ତାଣ୍ଡବ  ଲୁଚିଯାଉଛି । କାହିଁ ଆଦିକାଳରୁ ଦାନ୍ତ ପାଇଁ ହାତୀ  ଶିକାର କରାଯାଉଛି । ବନ୍ୟଜନ୍ତୁ ତସ୍କରମାନେ ଦୁର୍ଲ୍ଲଭ  ତଥା ମୂଲ୍ୟବାନ ହାତୀ ଦାନ୍ତ ପାଇଁ ଗଜରାଜ ଶିକାର  କରୁଛନ୍ତି । ଦାନ୍ତରୁ ସୌଖୀନ ସାମଗ୍ରୀ ସହ ବିରଳ  ଔଷଧ ପ୍ରସ୍ତୁତ ହେଉଛି । ପୂର୍ବାପେକ୍ଷା ହାତୀ ଦାନ୍ତର  ମୂଲ୍ୟ ୨ ଗୁଣ ବଢ଼ିଗଲାଣି । 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା  ମୁତାବକ, ଓଡ଼ିଶାରୁ କୋଲକାତା ଦେଇ ବାଂଲାଦେଶ,  ନେପାଳ ସୀମା ପାର୍‌ କରି ଚୀନ୍‌ ବଜାରକୁ ପଠାଯାଉଛି ।  ଓଡି଼ଶାରୁ ଶିକାର ପରେ ହାତୀଦାନ୍ତକୁ ପଶ୍ଚିମବଙ୍ଗ  ଯାଏ ଶିକାରୀମାନେ ନେଉଛନ୍ତି । ସେଠାରୁ ପେସାଦାର  ବନ୍ୟଜନ୍ତୁ ଓ ନିଶାଦ୍ରବ୍ୟ ଚାଲାଣକାରୀମାନେ ସୀମା ପାର୍‌  କରାଉଛନ୍ତି । ହାତୀ ଦାନ୍ତ କାରବାରର ବଡ଼ ବଜାର  ହେଉଛି ଚୀନ୍‌ । ହାତୀ ଦାନ୍ତରୁ ପ୍ରସ୍ତୁତ ହେଉଥିବା  ନାନା ଔଷଧ ପାଇଁ ଚୀନ୍‌ର କିଛି ଅନ୍ତର୍ଜାତୀୟ ମାଫିଆ  ଉତ୍ତର-ପୂର୍ବ ଭାରତକୁ ଟାର୍ଗେଟ୍‌ କରିଛନ୍ତି । ଏମାନେ  ତସ୍କରଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଦାନ୍ତ କିଣୁଛନ୍ତି ।  ଆସାମ, ମଣିପୁର, ମିଜୋରାମ୍‌ ଓ ଓଡ଼ିଶାରେ  ଅଧିକାଂଶ ହାତୀକୁ ମାରି ଦାନ୍ତ କାଟି ନେଉଛନ୍ତି ।  

ସୂଚନା ମୁତାବକ, ୨୦୨୦ ଅଗଷ୍ଟ ୩୧ରେ  କେନ୍ଦୁଝର ୱାଇଲ୍ଡ ଲାଇଫ୍‌ ଡିଭିଜନ ହରିଚନ୍ଦନପୁର ସେକ୍ସନରୁ ୧୯ କିଲୋ ଓଜନର ୧୪ ହାତୀଦାନ୍ତ ଜବତ  ହୋଇଥିଲା । ୨୦୨୦ ଅକ୍ଟୋବର ୯ରେ ଦେବଗଡ଼  ଡିଭିଜନ ପାଳଲହଡ଼ା ରେଞ୍ଜ୍‌ରୁ ୧୦ କେଜି ଓଜନର ୨ଟି  ଦାନ୍ତ, ୨୦୨୧ ଜାନୁଆରୀ ୧୩ରେ ସମ୍ବଲପୁର ଡିଭିଜନ  ବରେହିପାଲିରୁ ୨ଟି ଦାନ୍ତ, ୨୦୨୧ ଫେବ୍ରୁଆରୀ ୧୨ରେ  ଯାଜପୁର ଡିଭିଜନ କବାଟବନ୍ଧରୁ ୨ଟି, ଫେବ୍ରୁଆରୀ  ୧୩ରେ କରଞ୍ଜିଆ ଡିଭିଜନରୁ ଗୋଟିଏ, ୨୦୨୧  ଫେବ୍ରୁଆରୀ ୨୪ରେ ବାରିପଦା ଡିଭିଜନ ଉଦଳାରୁ  ୫ ଫୁଟ ଲମ୍ବର ୨ଟି ବଡ଼ ଦାନ୍ତ, ୨୦୨୧ ମାର୍ଚ୍ଚ  ୨୬ରେ ଦେବଗଡ଼ ଡିଭିଜନ ଖମାର ରେଞ୍ଜ୍‌ରୁ ୨ଟି  ଦାନ୍ତ, ୨୦୨୧ ମାର୍ଚ୍ଚ ୨୬ରେ ସେହି ଖମାର ରେଞ୍ଜରୁ  ୨ଟି, ୨୦୨୧ ଏପ୍ରିଲ ୨୪ରେ ନୟାଗଡ଼ ଡିଭିଜନ  ଗଣିଆରୁ ୨ଟି, ୨୦୨୧ ଅଗଷ୍ଟ ୧୪ରେ ଦେବଗଡ଼  ଡିଭିଜନରୁ ୨ଟି, ୨୦୨୧ ସେପ୍ଟେମ୍ବର ୪ରେ ଭଦ୍ରକ  ଆଗରପଡ଼ାରୁ ଗୋଟିଏ ଦାନ୍ତ, ଅକ୍ଟୋବର ୧୧ରେ  ଦେବଗଡ଼ରୁ ୨ଟି, ୨୦୨୧ ଅକ୍ଟୋବର ୨୭ରେ ଅନୁଗୁଳ  ଡିଭିଜନ ଜରପଡ଼ା ରେଞ୍ଜ୍‌ରୁ ଗୋଟିଏ ଦାନ୍ତ, ୨୦୨୧  ନଭେମ୍ବର ୮ରେ କେନ୍ଦୁଝର ଡିଭିଜନ ଲୁନାଗଡ଼ରୁ  ୨ଟି ଦାନ୍ତ, ୨୦୨୧ ନଭେମ୍ବର ୧୩ରେ ବରଗଡ଼  ଡିଭିଜନରୁ ଗୋଟିଏ, 

ସେହିମାସ ୧୮ରେ ଖରିଆର  ଡିଭିଜନ ସିନାପାଲିରୁ ୨ଟି, ୨୦୨୧ ଡିସେମ୍ବର ୭ରେ  ବଲାଙ୍ଗିର ଡିଭିଜନରୁ ଗୋଟିଏ ଦାନ୍ତ, ଡିସେମ୍ବର  ୧୪ରେ ଆଠଗଡ଼ ଡିଭିଜନ ଖୁଣ୍ଟୁଣିରୁ ୨ଟି, ୨୦୨୨  ଜାନୁଆରୀ ୬ରେ ଦେବଗଡ଼ ଡିଭିଜନରୁ ଗୋଟିଏ  ଦାନ୍ତ, ଫେବ୍ରୁଆରୀ ୨୩ରେ ସୋନପୁର ଡିଭିଜନରୁ ୩ଟି  ଦାନ୍ତ, ଫେବ୍ରୁଆରୀ ୨୬ରେ କେନ୍ଦୁଝର ସଦର ରେଞ୍ଜରୁ  ୨ଟି, ମେ ୪ରେ ବଲାଙ୍ଗିର ଡିଭିଜନ ମଲପଡ଼ାରୁ ୩ଟି,  ମେ ୨୩ରେ ରାୟଗଡ଼ା ଗୁଡ଼ାରୀ ରେଞ୍ଜରୁ ୨ଟି ଓ ଗତ  ଜୁନ୍‌ ୧ ତାରିଖରେ ଅନୁଗୋଳ ଡିଭିଜନ ଜରପଡ଼ା  ରେଞ୍ଜରୁ ୨ଟି, ୨୦୨୨ ଡିସେମ୍ବରରେ ଦେବଗଡ଼ରୁ ୨ଟି  ହାତୀ ଦାନ୍ତ ଜବତ ହୋଇଥିଲା । ଏସବୁ ହାତୀଦାନ୍ତ  ଏସ୍‌ଟିଏଫ୍‌ ଜବତ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.