ନୂଆଦିଲ୍ଲୀ,୧୨/୦୮: ଖ୍ରୀଷ୍ଟଧର୍ମ ପ୍ରଚାରକ ଗ୍ରାହାମ ଷ୍ଟେନ୍ସଙ୍କ ହତ୍ୟା ମାମଲାର ଦୋଷୀ ଦାରା ସିଂହଙ୍କ ମୁକ୍ତି ନେଇ ଆସନ୍ତା ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ସମୀକ୍ଷା ବୋର୍ଡର ଏକ ବୈଠକ ହେବାର ଅଛି । ଏହା ପରେ ରାଜ୍ୟ ସରକାର ତାଙ୍କ ପକ୍ଷ ରଖିବେ । ଏହି ମାମଲା ନେଇ ସୋମବାର ଶୁଣାଣି ସମୟରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ଫଳରେ ମାମଲାର ଶୁଣାଣି ସ୍ଥଗିତ ହୋଇଯାଇଛି ।
ବିଚାରପତି ମନୋଜ ମିଶ୍ର ଓ ବଚାରପତି ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଦାରା ସିଂହ ମୁକ୍ତି ମାମଲାର ସୋମବାର ଶୁଣାଣି ହୋଇଥିଲା । ଦାରା ସେନା ପକ୍ଷରୁ ବିଷ୍ଣୁଶଙ୍କର ଜୈନ ଶୁଣାଣି ସମୟରେ ଉପସ୍ଥିତ ଥିଲେ । ଗତ ମେ ୧୪ରେ ଅନୁଷ୍ଠିତ ହୋଇଥିବା ଶୁଣାଣି ସମୟରେ ଦାରା ସିଂହଙ୍କ ମୁକ୍ତି ନେଇ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାର ଅଧିକ ସମୟ ମାଗିଥିଲେ । ଜେଲ୍ରେ ୨୫ ବର୍ଷରୁ ଅଧିକ ସମୟ ଧରି ଦାରା ରହି ଆସିଥିବାରୁ ନିୟମାନୁସାରେ ତାଙ୍କୁ ଖଲାସ କରିବା ପାଇଁ ଦାରା ସିଂହଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ମତାମତ ଲୋଡିଛନ୍ତି ।