ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୯ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ପୁଣେ ଜିଲ୍ଲାର ଏକ ପାହାଡ଼ିଆ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶ୍ରଦ୍ଧାଳୁମାନଙ୍କୁ ନେଇ ଏକ ପିକଅପ ଭ୍ୟାନ୍ ପହାଡ ଶୀର୍ଷରେ ଥିବା ମନ୍ଦିର ଆଡ଼କୁ ଯାଉଥିବା ବେଳେ ଖାଇକୁ ଖସିପଡ଼ିଥିଲା। ପ୍ରରମ୍ଭିକ ତଦନ୍ତରୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗାଡିଟି ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ପାପଲୱାଡି ଗାଁର ବାସିନ୍ଦା, ଶ୍ରାବଣ ମାସର ପବିତ୍ର ସୋମବାର ପାଳନ କରିବା ପାଇଁ ଖେଦ ତହସିଲର ଶ୍ରୀକ୍ଷେତ୍ର ମହାଦେବ କୁଣ୍ଡେଶ୍ୱର ମନ୍ଦିରକୁ ଯାଉଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ପିଲା ଥିଲେ। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୧ଟା ବେଳେ ଘଟିଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ରାସ୍ତାରୁ ୨୫ ରୁ ୩୦ ଫୁଟ ତଳକୁ ଖସିପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ପହଞ୍ଚି ଉଦ୍ଧାର କରିବା ସହିତ ୧୦ ଟି ଆମ୍ବୁଲାନ୍ସରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ତଥାପି ଏହି ଦୁର୍ଘଟଣାରେ ୮ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରାଯାଇଥିବା ବେଳେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।