ଭୁବନେଶ୍ୱର୧୨/୦୮: ଅଣଛାତ୍ର ମୁକ୍ତ ହୋଇପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ସନ୍ଧ୍ୟା ହେବା ମାତ୍ରେ ଜମୁଛି ନିଶାଡ଼ିଙ୍କ ଆଡ୍ଡା । କେବଳ କ୍ୟାମ୍ପସ ନୁହେଁ, ହଷ୍ଟେଲକୁ କିଛି ଜଣ କବ୍ଜା କରି ନେଇଛନ୍ତି । ଏପରି ବାରମ୍ବାର ଅଭିଯୋଗ ହେଉଛି । କର୍ତ୍ତୃପକ୍ଷ ବାରମ୍ବାର ପୁଲିସ ଲଗାଇ ତଡ଼ୁଛନ୍ତି, ପୁଣି ସମାନ ଅବସ୍ଥା । ଅନେକ ପିଲା ନିଜ ନାଁରେ ହଷ୍ଟେଲ ଆବେଦନ କରୁଛନ୍ତି । ସିଟ୍ ଆବଣ୍ଟନ ପରେ ତାକୁ ବାହାର ଲୋକଙ୍କୁ ବିକ୍ରି କରୁଛନ୍ତି । ଏପରି ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସତ କିନ୍ତୁ ଏହା କେତେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ରହିଲା ।
ସୋମବାର ଭୋର୍ ୩ଟା ୪୫ ମିନିଟ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟର ୩ ନମ୍ବର ଛାତ୍ରାବାସ ଅର୍ଥାତ୍ ଫକୀରମୋହନ ଛାତ୍ରାବାସର ଦ୍ୱିତୀୟ ମହଲା କରିଡରରୁ ଜଣେ ୪୦ ବର୍ଷର ଯୁବକ ପଡ଼ି ମୃତ୍ୟୁବରଣ କରିଥିବା କଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ଉଲ୍ଲେଖ କରାଯାଇଛି, ୪ଜଣ ଅଣଛାତ୍ର ହଷ୍ଟେଲରେ ମଦ-ମାଂସ ଆସର ଜମାଇଥିଲେ । ଉକ୍ତ ୪୦ ବର୍ଷୀୟ ଯୁବକ ଅଧିକ ନିଶାସକ୍ତ ଥିଲେ । କରିଡରରେ ଚାଲିବା ସମୟରେ ଭାରସାମ୍ୟ ହରାଇ ମୃତ୍ୟୁବରଣ କରିଛନ୍ତି । ଉକ୍ତ ଅଣଛାତ୍ରମାନେ ହଷ୍ଟେଲର ଯେଉଁ ରୁମ୍ରେ ରହନ୍ତି ତାକୁ ଅନ୍ୟ ଛାତ୍ରଙ୍କ ନାମରେ ଆବଣ୍ଟନ କରାଯାଇଛି । ତେବେ କ୍ୟାମ୍ପସ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି । ଏଣିକି ଶିକ୍ଷାର୍ଥୀଙ୍କ ଆବଶ୍ୟକତାକୁ ଭିତ୍ତି କରି ହଷ୍ଟେଲ୍ ସିଟ୍ ଆବଣ୍ଟନ କରାଯିବ ।
ସେମାନଙ୍କ ଆବେଦନକୁ ବିଚାରକୁ ନିଆଯିବ । ହଷ୍ଟେଲରେ ଯେଉଁ ସବୁ ରୁମ୍କୁ ଛାତ୍ରଛାତ୍ରୀଙ୍କ ନାମରେ ଆବଣ୍ଟନ କରାଯାଇଛି, ସେ ରୁମ୍ରେ କିଏ ରହୁଛି ଆଉ କିଏ ଭଡ଼ାରେ ଲଗାଇଛନ୍ତି ତାକୁ ଚିହ୍ନଟ କରାଯିବ । ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହଷ୍ଟେଲ ଅନ୍ତେବାସୀ ରାତି ସମୟରେ ରୁମ୍ ବାହାରେ ବୁଲିବେ ନାହିଁ । ସେମାନଙ୍କ ରୁମ୍ରେ ଅଣଛାତ୍ର ଯଦି ରହନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଅଭାବନୀୟ ଘଟଣା ଘଟିବା ପରେ ଫକୀର ମୋହନ ଛାତ୍ରାବାସରୁ ବିଦ୍ୟୁତ୍ ଓ ପାଣି ସଂଯୋଗ କାଟି ଦିଆଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ନବୀକରଣ କାମ ପାଇଁ ସଂଯୋଗ ବିଚ୍ଛିନ୍ନ କରାଯିବ ।
ଅନ୍ୟପଟେ ଏବିଭିପି କହିଛି, ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଶା କାରବାର ବଢ଼ୁଛି । ହଷ୍ଟେଲ୍ ରୁମ୍ ବିକ୍ରି କରାଯାଉଛି ବା ଭଡ଼ାରେ ଲାଗୁଛି । ନିଦ୍ଦିଷ୍ଟ ଛାତ୍ର ସଂଗଠନର ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ଅଛନ୍ତି । ସେମାନେ କ୍ୟାମ୍ପସରେ ଅରାଜକତା ସୃଷ୍ଟି କରୁଛନ୍ତି ।