ପ୍ରମୂଖ ଖବର
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ବ୍ୟାଙ୍କ ବୁଡ଼ିଲେ ମିଳିବ ୧୦ ଲକ୍ଷ ଯାଏ ବୀମା, ୬ ମାସରେ ହୋଇପାରେ ଘୋଷଣା

Published By : Ankita S | May 28, 2025 2:08 PM

ନୂଆଦିଲ୍ଲୀ,୨୮/୦୫: ବ୍ୟାଙ୍କ ଜମା ଉପରେ ମିଳୁଥିବା ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବଢ଼ିପାରେ । ଅର୍ଥାତ୍‌ ବ୍ୟାଙ୍କ ବୁଡ଼ିଗଲେ ଗ୍ରାହକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ । ଆସନ୍ତା ୬ ମାସ ମଧ୍ୟରେ ସରକାର ଏ ନେଇ ଔପଚାରିକ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି । ବର୍ତ୍ତମାନ ଏହି ସୀମା ୫ ଲକ୍ଷ ଟଙ୍କା ରହିଛି । 

ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏ ପ୍ରସ୍ତାବ ଉପରେ ବର୍ତ୍ତମାନ ମାନସ ମନ୍ଥନ ଜାରି ରହିଛି । ତେବେ ନୂଆ ସୀମା କ’ଣ ରହିବ ବର୍ତ୍ତମାନ ଯାଏ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଅଧିକାରୀଙ୍କ କହିବାନୁସାରେ, ନୂଆ ସୀମା ଧାର୍ଯ୍ୟ କରିବା ପାଇଁ ଅନେକ ଦିଗ ଉପରେ ସମୀକ୍ଷା କରାଯାଉଛି । କେତେ ଖାତାଧାରୀ ଏହା ଅନ୍ତର୍ଭୁକ୍ତ ହେବେ, କେତେ ରାଶି ବୀମାଭୁକ୍ତ ହେବ ଏବଂ ସରକାର କେତେ ଗ୍ୟାରେଣ୍ଟି ଦେବେ ତାହା ଉପରେ ଅନୁଧ୍ୟାନ କରାଯାଉଛି । କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଅର୍ଥ ମନ୍ତ୍ରାଳୟ ଏହା ଉପରେ ଘୋଷଣା କରିବ । 

ପ୍ରକାଶଯୋଗ୍ୟ, ସରକାର ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ୍‌ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେଶନ୍‌ ଆକ୍ଟ(ଡିଆଇସିଜିସି) ଅଧୀନରେ ଏବେ ବ୍ୟାଙ୍କ ବନ୍ଦ ହୋଇଗଲେ କିମ୍ବା ବୁଡ଼ିଯିବା ସ୍ଥିତିରେ ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କାର ଜମା ବୀମା ପ୍ରଦାନ କରୁଛନ୍ତି । ଜମାକାରୀଙ୍କୁ ୯୦ ଦିନ ମଧ୍ୟରେ ଏହି ରାଶି ମିଳିଥାଏ । ଦେଶରେ ଜମା ବୀମାର ଆରମ୍ଭ ୧୯୬୨ରେ ହୋଇଥିଲା । ଉକ୍ତ ସମୟରେ ଖାତାଧାରୀ ପିଛା ୧୫୦୦ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପ୍ରଦାନ କରାଯାଉଥିଲା । ଏହାକୁ ନିୟମିତ ବ୍ୟବଧାନରେ ବଢ଼ାଯାଇଥିଲା । 

୧୯୭୬ ମସିହାରେ ୨୦ ହଜାର ଟଙ୍କା, ୧୯୮୦ରେ ୩୦ ହଜାର ଟଙ୍କା ଏବଂ ୧୯୯୩ରେ ୧ ଲକ୍ଷ ଟଙ୍କା କରାଯାଇଥିଲା । ୨୦୨୦ ଫେବ୍ରୁଆରୀରେ ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ ସଂକଟ ପରେ ଏହାକୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଥିଲା । ସାଧାରଣତଃ ଏକ ବ୍ୟାଙ୍କ ଦେବାଳିଆ ହୋଇଗଲେ ଖାତାଧାରୀଙ୍କୁ ସେମାନଙ୍କୁ ଜମାରାଶି ମଧ୍ୟରୁ ଧାର୍ଯ୍ୟ ସୀମା ପର୍ଯ୍ୟନ୍ତ ଟଙ୍କା ମିଳିଥାଏ । ରିଜର୍ଭ ବ୍ୟାଙ୍କ ୨୦୨୫ ଫେବ୍ରୁଆରୀରେ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍‌ ବ୍ୟାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହା ପରଠାରୁ ବ୍ୟାଙ୍କ ଜମା ବୀମା ବୃଦ୍ଧି ପାଇଁ ତର୍କ ଚାଲିଛି । 

ସୂଚନାଯୋଗ୍ୟ, ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ, ତେବେ ଡିଆଇସିଜିସି ପ୍ରଥମେ ବ୍ୟାଙ୍କଠାରୁ ଗ୍ରାହକଙ୍କ ସୂଚୀ ଏବଂ ସେମାନଙ୍କ ଜମାରାଶିର ସୂଚନା ମାଗିଥାଏ । ଏହା ପରେ ଡିଆଇସିଜିସି ବୀମା ରାଶି ବ୍ୟାଙ୍କକୁ ଦେଇଥାଏ । ତାପରେ ବ୍ୟାଙ୍କ ଏହାର ଗ୍ରାହକଙ୍କ ଜମା ରାଶି ଆଧାରରେ ବୀମା ରାଶି ସେମାନଙ୍କ ଖାତାକୁ ପଠାଇଦିଏ । ଭାରତରେ କାର୍ଯ୍ୟରତ ବିଦେଶୀ ବ୍ୟାଙ୍କ ଶାଖା, ସ୍ଥାନୀୟ କ୍ଷେତ୍ରୀୟ ବ୍ୟାଙ୍କ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ସହିତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ବୀମା ଡିଆଇସିଜିସି ଦ୍ୱାରା କରାଯାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.